କୋଭିଡ୍‌-୧୯ ପାଇଁ ଫିଟ୍‌ନେସ୍‌ ଓ ଡ୍ରାଇଭିଂ ଲାଇସେନ୍‌ସ୍‌ ଅବଧି ବୃଦ୍ଧି

ଭୁବନେଶ୍ବର: କୋଭିଡ୍‌-୧୯ ପାଇଁ ତାଲାବନ୍ଦ ସମୟ ଭିତରେ ବୈଧ ଅବଧି ସରୁଥିବା ଡ୍ରାଇଭିଂ ଲାଇସେନ୍‌ସ୍‌, ଗାଡ଼ି ଫିଟ୍‌ନେସ୍‌ ପ୍ରମାଣପତ୍ର, ଲର୍ଣ୍ଣର୍ସ୍‌ ଲାଇସେନ୍‌ସ୍‌ ପରି ମୋଟରଯାନ ସଂକ୍ରାନ୍ତ ବିଭିନ୍ନ ପ୍ରମାଣପତ୍ର ବୈଧତାକୁ ଆସନ୍ତା ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ସରକାର ବୃଦ୍ଧି କରିଛନ୍ତି। ଏ ନେଇ ରାଜ୍ୟ ପରିବହନ କମିସନର ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି।ବିଜ୍ଞପ୍ତି ଅନୁଯାୟୀ, ଯେଉଁ ପରିବହନ ଗାଡ଼ିର ଫିଟ୍‌ନେସ୍‌ ପ୍ରମାଣପତ୍ର ବୈଧ ଅବଧି ଗତ ଫେବ୍ରୁଆରି ପହିଲାରୁ ଆସନ୍ତା ଜୁନ୍‌ ଭିତରେ ସରୁଥିବ, ସେସବୁ ଗାଡ଼ିର ଫିଟ୍‌ନେସ୍‌ ଜୁନ୍‌ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ସେହିପରି ଏହି ସମୟ ଭିତରେ ପଞ୍ଜୀକରଣ ବୈଧ ଅବଧି ସରୁଥିବା ପ୍ରାଇଭେଟ୍‌ ଗାଡ଼ିଗୁଡ଼ିକର ବୈଧ ଅବଧିକୁ ମଧ୍ୟ ଜୁନ୍‌ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

କରୋନା ପାଇଁ ଡ୍ରାଇଭିଂ ଲାଇସେନ୍‌ସ୍‌ ପରୀକ୍ଷା ସରକାର ଗତ ୧୮ ତାରିଖରୁ ସ୍ଥଗିତ ରଖାଯାଇଥିବାରୁ ଏହି ଲାଇସେନ୍‌ସ୍‌ଗୁଡ଼ିକର ବୈଧ ଅବଧିକୁ ଜୁନ୍‌ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗତ ୧୮ ତାରିଖରୁ ଜୁନ୍‌ ୩୦ ଭିତରେ ଡ୍ରାଇଭିଂ ଲାଇସେନ୍‌ସ୍‌ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ଲର୍ଣ୍ଣର୍ସ୍‌ ଲାଇସେନ୍‌ସ୍‌ଧାରୀମାନେ ଏହି ସୁବିଧା ପାଇପାରିବେ। ଏହାସହିତ ୨୦୨୦ ଫେବ୍ରୁଆରି ପହିଲାରୁ ୨୦୨୦ ଜୁନ୍‌ ୩୦ ଭିତରେ ବୈଧ ଅବଧି ଶେଷ ହେଉଥିବା ଡ୍ରାଇଭିଂ ଲାଇସେନ୍‌ସ୍‌ର ବୈଧତାକୁ ମଧ୍ୟ ବୃଦ୍ଧି କରାଯାଇଛି। ଏହି ସୁବିଧା ପ୍ରତ୍ୟେକ ମାଲପରିବହନ କରୁଥିବା ଯାନ, ଘରୋଇସେବା ପ୍ରଦାନକାରୀ ମୋଟରଯାନ, ଶିକ୍ଷାନୁଷ୍ଠାନମାନଙ୍କ ବସ୍‌ ପରମିଟ୍‌ ପାଇଁ ଲାଗୁ ହେବ। ଆନ୍ତଃରାଜ୍ୟ ପରିବହନ ବ୍ୟବସାୟରେ ନିୟୋଜିତ ଷ୍ଟେଜ୍‌ କ୍ୟାରେଜ୍‌ ଗାଡ଼ିଗୁଡ଼ିକର ସ୍ଥାୟୀ ପରମିଟ୍‌ ବୈଧତା ଯଦି ଚଳିତମାସ ୨୨ ତାରିଖ ସୁଦ୍ଧା ସରୁଥିବ, ତାହେଲେ ଏହାକୁ ଆସନ୍ତାମାସ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଯେହେତୁ, ତାଲାବନ୍ଦ ଅବଧି ଏପ୍ରିଲ୍‌ ୧୪ ତାରିଖ ପର୍ଯ୍ୟନ୍ତ ଘୋଷଣା କରାଯାଇଛି, ସେଥିପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତାଲାବନ୍ଦ ସମୟରେ ପ୍ରଦୂଷଣ ଟେଷ୍ଟିଂ କେନ୍ଦ୍ରଗୁଡ଼ିକ ବନ୍ଦ ରହିଥିବାରୁ ଗାଡ଼ିଗୁଡ଼ିକର ପ୍ରଦୂଷଣ ପରୀକ୍ଷା କରାଯାଇପାରୁନି। ଏଥିପାଇଁ ଗତ ୨୨ ତାରିଖରୁ ବୈଧତା ସରିଥିବା ପ୍ରଦୂଷଣ ପ୍ରମାଣପତ୍ରଗୁଡ଼ିକୁ ଆସନ୍ତାମାସ ଶେଷ ପର୍ଯ୍ୟନ୍ତ କାଏମ ରଖିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି ମାର୍ଚ୍ଚ ୨୨ ତାରିଖଠାରୁ ଯେଉଁ ବିଏସ୍‌-୪ ଗାଡ଼ିଗୁଡ଼ିକର ଅସ୍ଥାୟୀ ପଞ୍ଜୀକରଣ ଅବଧି ସରୁଥିବ, ସେସବୁ ଗାଡ଼ିଗୁଡ଼ିକର ପଞ୍ଜୀକରଣ ପ୍ରମାଣପତ୍ର ଅବଧିକୁ ଏପ୍ରିଲ୍‌ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ପରିବହନ ବ୍ୟବସାୟ କରୁଥିବା ଯେଉଁ ଗାଡ଼ି ମାଲିକମାନେ ସେମାନଙ୍କ ଗାଡ଼ିଗୁଡ଼ିକୁ ରାସ୍ତାରେ ନ ଚଲାଇବାକୁ ଚାହାଁନ୍ତି ତେବେ ସେମାନେ ଆରଟିଓ ଅଫିସ ନ ଆସି ଅନ୍‌ଲାଇନ୍‌ ଯୋଗେ ଆବେଦନ କରିପାରିବେ ବୋଲି କମିସନର ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି।

କରୋନା ସ୍ଥିତିକୁ ଦେଖି ଗତକାଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ମୋଟରଯାନ ପ୍ରମାଣପତ୍ର ପାଇଁ ଏପରି କୋହଳ ବ୍ୟବସ୍ଥା କରିବାକୁ ସବୁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦିଆଯାଇଥିଲା। ତାଲାବନ୍ଦ ପାଇଁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପରିବହନ ବିଭାଗକୁ ଆଂଶିକ କ୍ରିଟିକାଲ ବିଭାଗରେ ସାମିଲ କରିଛନ୍ତି। ସେଥିପାଇଁ ମୋଟରଯାନ ସଂକ୍ରାନ୍ତ ସମସ୍ତ ପ୍ରକାର ଆବେଦନ ପରିବହନ ପୋର୍ଟାଲ ଜରିଆରେ ଅନ୍‌ଲାଇନ୍‌ ଯୋଗେ କରିବାକୁ ସରକାର ଜନସାଧାରଣଙ୍କୁ ଅପିଲ୍‌ କରିଛନ୍ତି।

ସମ୍ବନ୍ଧିତ ଖବର