ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ଜାରି ହେଲା ଫିଟ୍‌ନେସ୍‌ ପ୍ଲାନ୍‌, କ୍ୟାମ୍ପସରେ ସାଇକେଲ ଜୋନ୍‌ କରିବାକୁ ପରାମର୍ଶ

ଭୁବନେଶ୍ବର : ଉଚ୍ଚ ଶିକ୍ଷାନୁଷ୍ଠାନରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀମାନେ ଶାରୀରିକ ବ୍ୟାୟାମରୁ ଦୂ‌ରେଇ ରହୁଛନ୍ତି। ସେମାନଙ୍କ ମଧ୍ୟରେ ଅଳସୁଆପଣ ଦେଖିବାକୁ ମିଳୁଛି। ପାଠପଢ଼ା ପ୍ରତି ଛାତ୍ରଛାତ୍ରୀ ଗୁରୁତ୍ବ ଦେଉଥିଲେ ମଧ୍ୟ ଠିକ୍‌ ଭାବେ ସ୍ବାସ୍ଥ୍ୟର ଯତ୍ନ ନେଉନାହାନ୍ତି। ଯେଉଁଥିପାଇଁ ବହୁ କମ୍‌ ବୟସରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଜଙ୍କ୍‌ଫୁଡ୍‌ ଓ ଫାଷ୍ଟଫୁଡ୍‌ ପରି ଖାଦ୍ୟ ଖାଇବା ଦ୍ବାରା ମାରାତ୍ମକ ରୋଗର ଶିକାର ହେଉଛନ୍ତି। ଏ ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଫିଟ୍‌ନେସ୍‌ ପ୍ଲାନ୍‌ ଜାରି ହୋଇଛି। ଦେଶ ତଥା ରାଜ୍ୟରେ ଥିବା‌ ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜ ଆକ୍ସନ ପ୍ଲାନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି।

ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀ, ଅଧ୍ୟାପକଙ୍କ ଶାରୀରିକ ଓ ମାନସିକ ସ୍ବା‌ସ୍ଥ୍ୟ ଉପରେ ଗୁରୁତ୍ବ ଦେବେ। ଶାରୀରିକ ବ୍ୟାୟାମ ସମ୍ପର୍କରେ ଏକାଡେମିକ କ୍ୟାଲେଣ୍ଡରରେ ବ୍ୟବସ୍ଥା ରଖିବେ ଓ କ୍ୟାମ୍ପସରେ କେତେ ସମୟ ବ୍ୟାୟାମ ହେବ, ସେନେଇ ସ୍ଥିର କରିବେ। ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମା‌ନେ ଫିଟ୍‌ନେସ୍‌ ଯଥା ଯୋଗ, ଧ୍ୟାନ, ଚାଲିବା, ସାଇକେଲ ଚଲାଇବା, ନୃତ୍ୟ, ସାମରିକ କଳା ଆଦି ବିଷୟ‌ରେ ପ୍ରତିଦିନ ଗୋଟିଏ ଘଣ୍ଟା ସମୟ ଦେବେ। ଫିଜିକାଲ ଫିଟ୍‌ନେସ୍‌ ପାଇଁ ପ୍ରତି ଶିକ୍ଷାନୁଷ୍ଠାନ ଫିଟ୍‌ନେସ୍‌ ଲିଡରଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ମେଣ୍ଟର ପ୍ରସ୍ତୁତ କରିବେ। ଶିକ୍ଷାନୁଷ୍ଠାନ, ଅଧ୍ୟାପକ, ଇନ୍‌ଷ୍ଟ୍ରକଟର, ଅବସରପ୍ରାପ୍ତ କର୍ମଚାରୀମାନେ ସ୍ବେଚ୍ଛାକୃତ ଭାବେ ଛାତ୍ରଛାତ୍ରୀଙ୍କୁ ଏ ବିଷୟରେ ସେବା ଯୋଗାଇବେ। ସ୍ବାସ୍ଥ୍ୟ ବିଶେଷଜ୍ଞ, ପ୍ରେରଣାଦାୟୀ ବକ୍ତାମାନେ ନିୟମିତ ବ୍ୟବଧାନରେ କ୍ୟାମ୍ପସ୍‌କୁ ଆସି ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେବେ। ଶିକ୍ଷାନୁଷ୍ଠାନର ମାର୍ଗଦର୍ଶକ, ପ୍ରଫେସରମାନେ ଅଧିକ କ୍ରିୟାଶୀଳ ଭାବେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କ ସହ ମିଶି ସାଇକ୍ଲୋଥନ୍‌, ୱାକାଥନ୍‌, ମାରାଥନ୍‌, ଯୋଗ, ମେଡିଟେସନ୍‌ ଆଦିରେ ସାମିଲ ହେବେ। ଛାତ୍ରଛାତ୍ରୀ ପ୍ରତିଦିନ ୧୦ ହଜାର ପାଦ ଚାଲିବା ଲାଗି ପରାମର୍ଶ ଦିଆଯାଇଛି।

କ୍ୟାମ୍ପସ‌ରେ ସାଇକେଲ୍‌ ଚଲାଇବା ପାଇଁ ସାଇକେଲ ଜୋନ୍‌ ପ୍ରସ୍ତୁତ, ଜିମ୍‌ ସୁବିଧା‌ ଉପଲବ୍ଧ କରାଇବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଛାତ୍ରଛାତ୍ରୀମାନେ ଯେପରି ଚିନ୍ତାଗ୍ରସ୍ତ ନ ହୁଅନ୍ତି ଓ ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ଭଲ ରହିବ, ସେନେଇ କ୍ୟାମ୍ପସରେ ଆଲୋଚନାଚକ୍ର, କର୍ମଶାଳା ଆଦି କରିବାକୁ କୁହାଯାଇଛି। ପୃଷ୍ଟିସାର ଖାଦ୍ୟ ଖାଇବା, ଶାରୀରିକ ବ୍ୟାୟାମ ନେଇ ଲିଫଲେଟ୍‌ ବାଣ୍ଟିବା, ସଚେତନତାଧର୍ମୀ ପୁସ୍ତକ ପ୍ରସ୍ତୁତ କରି ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା, ଛତ୍ରଛାତ୍ରୀଙ୍କ ମଧ୍ୟରେ ନିୟମିତ ବ୍ୟବଧାନରେ କ୍ରୀଡ଼ା ପ୍ରତିଯୋଗିତା କରିବା(ପ୍ରତି ୩ ମାସରେ ଥରେ), ଡାକ୍ତରଙ୍କ ଦ୍ବାରା ପ୍ରତି ବର୍ଷ ଥରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କ୍ୟାମ୍ପ କରିବାକୁ ନିର୍ଦେଶ ଦିଆଯାଇଛି। ଏ ସମ୍ପର୍କିତ କାର୍ଯ୍ୟକ୍ରମକୁ ସମସ୍ତ ବିଶ୍ବବିଦ୍ୟାଳୟ ନିଜ ୱେବସାଇଟ୍‌ରେ ସ୍ଥାନିତ କରିବେ। ଫଳ ସ୍ବରୂପ ଜାତୀୟସ୍ତରୀୟ ପୁରସ୍କାର ଲାଗି ଯୋଗ୍ୟ ବିବେଚିତ ‌ହୋଇପାରିବେ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର