ତାଲା ଭାଙ୍ଗି ସୁନା ଓ ରୁପା ସହ ନଗଦ ଲକ୍ଷାଧିକ ଟଙ୍କା ଲୁଟିଥିଲେ, ଗିରଫ ହେଲେ ୫ ଅଭିଯୁକ୍ତ

ଫାଇନାନ୍‌ସ କଂପାନିରେ ସୁନା ବନ୍ଧକ ଦେଇ ଆଣିଥିଲେ ଟଙ୍କା

ନବରଙ୍ଗପୁର: ନବରଙ୍ଗପୁର ପୁଲିସକୁ ବଡ଼ ସଫଳତା ମିଳିଛି। ବନ୍ଦ ଘରୁ ତାଲା ଭାଙ୍ଗି ୧୦ ଲକ୍ଷ ଟଙ୍କା ନଗଦ, ୧୨୦ ସୁନା ଓ ରୂପା ଅଳଙ୍କାର ଚୋରି ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୨ ଲକ୍ଷ ୧୬ ହଜାର ଟଙ୍କା, ୯୮ ଗ୍ରାମ ସୁନା ଓ ରୁପା ଅଳଙ୍କାର ଜବତ କରିବାରେ ସକ୍ଷମ ହୋଇଛି। ଗିରଫ ୫ ଜଣ ହେଲେ ନବରଙ୍ଗପୁର ସହରର ଦଶରାପଦା, ମେଦ୍ରୀ ସାହି, ସେନାପତିସାହି ଓ ଦଣ୍ଡାସିସାହିର ଧର୍ନୁଜୟ ହରୀଜନ, ଶିବ ହରୀଜନ, ଅମିର ଭତ୍ରା, ହ୍ରିତିକ ହରୀଜନ ଓ ସହଦେବ ନାୟକ। ଅଭିଯୁକ୍ତମାନେ ଚୋରି ସୁନାକୁ କମ୍ପାନିରେ ବନ୍ଧକ ରଖି ଟଙ୍କା ଆଣିଥିଲେ।

ସାମ୍ବାଦିକ ସମ୍ମିଳନୀରେ ପୁଲିସ କହିଛି ଯେ, ସହରର ଦଶରାପଦା ସାହିର ଆର.ନାଗରତ୍ନମ ତାଙ୍କ ପରିବାର ସହ ଗତ ୭ ତାରିଖ ରୁ ୧୪ ତାରିଖ ମଧ୍ୟରେ ଏକ ବିବାହ ଭୋଜିରେ ଯୋଗଦେବା ପାଇଁ ଆନ୍ଧ୍ରପ୍ରଦେଶର ବିଜୟନଗରମକୁ ଯାଇଥିଲେ। ୭ ତାରିଖ ଦିନ ଉକ୍ତ ୫ ଜଣ ଯୁବକ ଆର.ନାଗରତ୍ନମଙ୍କ ଘରେ ତାଲା ପଡିଥିବାର ଦେଖି ସେହି ଦିନ ରାତିରେ ନାଗରାତ୍ନାମାଙ୍କ ଘରେ ତାଲା ଭାଙ୍ଗି ପଶିଥିଲେ। ସେହି ଘରୁ ଆଲମିରା ତାଲା ଭାଙ୍ଗି ସୁନା , ସୁନା ଓ ରୂପା ଅଳଙ୍କାର ଚୋରି କରି ନେଇଥିଲେ। ଯେତେବେଳେ ଆର.ନାଗରତ୍ନାମା ଓ ତାଙ୍କ ପରିବାର ଗତ ୧୪ ତାରିଖ ଦିନ ଘରକୁ ଫେରି ଦେଖିଲେ ତାଙ୍କ ଘରର ତାଲା ଓ ଆଲମିରା ତାଲା ଭାଙ୍ଗି ୧୦ ଲକ୍ଷ ଟଙ୍କା ନଗଦ, ପ୍ରାୟ ୧୨୦ ଗ୍ରାମ ସୁନା ଅଳଙ୍କାର ଓ ବହୁ ପରିମାଣ ରେ ରୂପା ସାମଗ୍ରୀ ଚୋରି ହୋଇଥିବା ନେଇ ଆର. ନାଗରାତ୍ନାମା ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ। ନବରଙ୍ଗପୁର ଥାନାରେ କେସ ନଂ ୧୨୩/୨୩ ରେ ମାମଲା ରୁଜୁ କରି ପୁଲିସ ଏହି ମାମଲାକୁ ଆଗକୁ ବଢ଼ାଇଥିଲେ। ପୁଲିସ ସନ୍ଦେହରେ ଧନୁର୍ଯୟ ହରିଜନ, ଶିବ ହରିଜନ ଓ ସହଦେବ ନାୟକକୁ ଉଠାଇ ନେଇ ତଦନ୍ତ କରିବା ବେଳେ ସବୁ କିଛି ସତ ପଦାରେ ପଡିଥିଲା। ଏହି ଚୋରି ମାମଲରେ ୫ ଜଣ ଯୁବକ ସମ୍ପୃକ୍ତ ଥିବା ଜଣାପଡିଥିବା ବେଳେ ଏମାନଙ୍କ ନିକଟରୁ ଗୋଟିଏ ବାଜାଜ ପଲସର ବାଇକ, ୬୦ ହଜାର ମୁଲ୍ୟ ରେ ଗୋଟିଏ ନୂଆ ଆଇ ଫୋନ ଓ ଅନ୍ୟ ଏକ ବାଇକ ଜବତ କରିବା ସହ ବହୁ ପରିମାଣର ସୁନା ଅଳକଙ୍କାର ଓ ରୂପା ସାମଗ୍ରୀ ସହିତ ୨ ଲକ୍ଷ ୧୬ ହଜାର ଟଙ୍କା ନଗଦ ଜବତ ହୋଇଥିଲା ।

ସେହିପରି ଚୋରି ସୁନା ଅଳଙ୍କାର ଆଇଏଫଲ ଫାଇନାନସ୍ ଓ ମୁଥୁଟ୍ ଫାଇନାନସ୍‌ରେ ବନ୍ଧକ ରଖି ଟଙ୍କା ଆଣି ଖର୍ଚ୍ଚ କରିଥିଲେ। ସେଥି ମଧ୍ୟରୁ ୩୧.୬୦ ଗ୍ରାମ ସୁନା ଅଳଙ୍କାର ଆଇଏଫଏଲ୍ ସଂସ୍ଥା ପାଖରେ ବନ୍ଧକ ରଖିଥିବା ବେଳେ ମୁଥୁଟ୍ ସଂସ୍ଥା ପାଖରେ ପ୍ରାୟ ୨୫ ଗ୍ରାମ ସୁନା ଅଳଙ୍କାର ବନ୍ଧକ ରଖିଥିବା ପୁଲିସ ଜାଣିବାକୁ ପାଇଥିଲା। ପୁଲିସ ଏହି ୨ଟି ସଂସ୍ଥାରୁ ବନ୍ଧକ ସମସ୍ତ ସୁନା ଅଳଙ୍କାର ଜବତ କରିବା ସହ ସେମାନଙ୍କ ନିକଟରେ ଗଛିତ ପ୍ରାୟ ୪୨ ଗ୍ରାମ ସୁନା ଅଳଙ୍କାର ଓ କିଛି ରୁପା ସାମଗ୍ରୀ ଜବତ କରିଛି।

ସମ୍ବନ୍ଧିତ ଖବର