ପୁରୀ :‌ ଶ୍ରୀକ୍ଷେତ୍ରକୁ ବୁଲି ଆସୁଥିବା ମହିଳା ପର୍ଯ୍ୟଟକ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଅସଦାଚରଣ କରିବା ୫ ଜଣ ଯୁବକଙ୍କୁ ମହଙ୍ଗା ପଡ଼ିଛି। ପୁରୀ ସମ୍ପୃକ୍ତ ୫ଜଣ ଯୁବକଙ୍କୁ ପୁଲିସ ଗିରଫ କରି ନିଜ ସମ୍ମାନ ବଞ୍ଚାଇବାକୁ ଉଦ୍ୟମ କରିଛି।

Advertisment

ଗିରଫ ଅଭିଯୁକ୍ତମାନେ ହେଲେ, ସମୁଦ୍ର କୂଳ ଥାନା ବାଲିସାହି ହରିଜନ ବସ୍ତିର ଲିଟୁ ଓରଫ ଗୌତମ ନାୟକ(୨୯), ରାହୁଲ ଓରଫ ଦେବାଶିଷ ନାୟକ(୨୧), ନିଖିଲ ଓରଫ ଆଶୁତୋଷ ନାୟକ(୨୦), ବଣ୍ଟି ନାୟକ(୨୦) ଓ ରିବୁ ଓରଫ ହିଂମାଶୁ ନାୟକ(୨୩)। ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଗିରଫଙ୍କ ଭିତରେ କିଛି କଲେଜ ପଢ଼ୁଆ ଛାତ୍ର ବି ଥିବା ପୁଲିସ କହିଛି।

ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗର ଅର୍ପିତା ସାହା ତାଙ୍କ ପରିବାର ସଦସ୍ୟଙ୍କ ସହ ନୂଆବର୍ଷ ପାଳିବାକୁ ପୁରୀ ବୁଲି ଆସିଥିଲେ। ଏହି ସମୟରେ କିଛି ଯୁବକ ପିଛା କରିବା ସହ ଅଶ୍ଳୀଳ ଇଙ୍ଗିତ କରିଥିଲେ। ଅଶ୍ଳୀଳ ବ୍ୟବହାର ପ୍ରଦର୍ଶନ କରିବା ସହ କମେଣ୍ଟ୍‌ ମାରିଥିଲେ।