ବୌଦ୍ଧ : ବୌଦ୍ଧ ଥାନା ଗମ୍ଭାରିପଦର ପେଟ୍ରୋଲ ପମ୍ପ ମାଲିକଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାର ୫ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଅନ୍ୟ ଜଣେ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର ରହିଛି। ଶୁକ୍ରବାର ଏସପି ଭି.ରଘୁନାଥ ରାଓ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ବିବରଣୀ ଦେଇଛନ୍ତି। ଚଳିତ ମାସ ୧୮ ତାରିଖ ଅପରାହ୍ନ ୩ ଟାରେ ୪ ଜଣ ଦୁର୍ବୃତ୍ତ ପେଟ୍ରୋଲ ପମ୍ପ ମାଲିକ ନଟବର ଅଗ୍ରୱାଲଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଗୋଟିଏ ଲେଖାଁ ସ୍କୁଟର ଓ ବାଇକରେ ୪ ଜଣ ଯୁବକ ପେଟ୍ରୋଲ ପମ୍ପକୁ ଆସି ବଟି ଆଦାୟକୁ ନେଇ କର୍ମଚାରୀଙ୍କ ସହ ଗଣ୍ଡଗୋଳ କରିଥିଲେ। ଶ୍ରୀ ଅଗ୍ରୱାଲ ସମାଧାନ କରି ଅଫିସକୁ ଫେରିବା ବେଳେ ତାଙ୍କୁ ପଛପଟରୁ ଆକ୍ରମଣ କରାଯାଇଥିଲା ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି।
ଅଭିଯୁକ୍ତଙ୍କୁ ଧରିବା ପାଇଁ ଟାଉନ ଥାନା ଆଇଆଇସି ତପସ୍ବିନୀ କହଁରଙ୍କ ନେତୃତ୍ବରେ ଏସ୍ଆଇ ରାମ ସୁବ୍ରମନ୍ୟମ ପ୍ରଧାନ, ତପନ ସ୍ବାଇଁ ଓ ଏଏସଆଇ ରମାକାନ୍ତ ପ୍ରଧାନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା। ପୁଲିସ ବିଭିନ୍ନ ସ୍ଥାନରେ ଖାନତଲାସି ଆରମ୍ଭ କରି ମଙ୍ଗଳବାର ବୌଦ୍ଧ ମୁସଲିମପଡ଼ାର ରଫିକ ଖାନ(୪୦)କୁ ଗିରଫ କରିଥିଲା। ତଦନ୍ତ ବେଳେ ଘଟଣାରେ ୪ ଜଣ ନୁହେଁ ୬ ଜଣ ସଂପୃକ୍ତ ଥିବା ପୁଲିସ ଜାଣି ପାରିଥିଲା। ଗୁରୁବାର ରାତିରେ ଏହି ଟିମ ନୟାଗଡ଼ର ଏକ ଭଡ଼ାଘରରୁ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଘଟଣାର ମୁଖ୍ୟ ଅଭିଯୁକ୍ତ ବୌଦ୍ଧ ମୁସଲିମ ପଡ଼ା ରୋନକ ଓରଫ ସୟଦ ଅର୍ବାଦ ଇସଲାମ(୩୦), ବାବୁସାହିର ସିପୁନ ଭଞ୍ଜ(୨୭), ରାଜା ରଞ୍ଜନ ଶତପଥି(୨୪) ଓ ଦୁତିଆ ସିଂହ(୨୫)। ୪ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ଜଣେ ଫେରାର୍ ଥିବା ପୁଲିସ କହିଛି। ସାମ୍ବାଦିକ ସମ୍ମିଳନୀରେ ସ୍ବତନ୍ତ୍ର ଟିମର ସଦସ୍ୟ, ଏସ୍ପିଙ୍କ ସହ ଏସ୍ଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ ଉପସ୍ଥିତ ଥିଲେ।
ଆକ୍ରମଣ ପଛର କାହାଣୀ: ବଟି ମାଗିବାକୁ ନେଇ ଗଣ୍ଡଗୋଳ ଓ ପରେ ତାଙ୍କୁ ଆକ୍ରମଣ କରାଯାଇଥିବା ବ୍ୟବସାୟୀ ତଥା ଓକିଲ ଶ୍ରୀ ଅଗ୍ରୱାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ବଟି ଆଦାୟ ନୁହେଁ ଅନ୍ୟ କାରଣରୁ ଆକ୍ରମଣ ହୋଇଥିବା ଏସ୍ପି ସ୍ପଷ୍ଟ କରିଛନ୍ତି। ଘଟଣାର ୪/୫ ଦିନ ଅଗରୁ ସୌମିତ୍ରୀ ଭୋଇ ନାମକ ବ୍ୟକ୍ତିଙ୍କ ପେଟ୍ରୋଲ ପମ୍ପ ନିକଟରେ ଥିବା ୱେଲ୍ଡିଂ ଦୋକାନରୁ କିଛି ଲୁହା ପାଇପ ଚୋରି ହୋଇଥିଲା। ସେ ଖୋଜ ଖବର କରି ବଲାସିଙ୍ଗାର ୨ ଜଣ ଲୋକ ଚୋରି କରିଥିବା ଜାଣିବାକୁ ପାଇଥିଲେ। ସୌମିତ୍ରୀ ସେହି ସମୟରେ ରୋନକର ଘରେ କାମ କରୁଥିବା ବେଳେ ଘଟଣା ବିଷୟରେ ଜଣାଇ ପାଇପ ଉଦ୍ଧାର କରିବାକୁ ଅନୁରୋଧ କରିଥିଲା। ରୋନକ ଘଟଣା ଦିନ ଅନ୍ୟମାନଙ୍କୁ ନେଇ ବଲାସିଂଗାରୁ ପାଇପ ଉଦ୍ଧାର କରିଥିଲା। ସେମାନେ ବଲାସିଂଗାରୁ ଫେରିବା ବେଳେ ପେଟ୍ରୋଲ ପମ୍ପରେ ଉଦ୍ଧାର କରିଥିବା ପାଇପ ଭଳି ଏକ ପାଇପ ଦେଖି ତାକୁ ଆଣିବାକୁ ଜଣେ ଅଭିଯୁକ୍ତ ଯାଇଥିଲା। ଏହି ସମୟ ମଧ୍ୟରେ ପେଟ୍ରୋଲ ପମ୍ପ ଜଣେ କର୍ମଚାରୀ ଟାଙ୍ଗିଆରେ ଗଛ କାଟୁଥିଲା। ପାଇପ ନେବା ଦେଖି ଗଛ ଉପରୁ କର୍ମଚାରୀ ଜଣକ କାହିଁକି ପାଇପ ନେଉଛ ବୋଲି ପାଟି କରିଥିଲା। ଫଳରେ ଅନ୍ୟ ୨ କର୍ମଚାରୀ ଆସି ପାଇପ ନ ନେବାକୁ ପାଟି କରିଥିଲା। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କରେ ମାଲିକ ନଟବର ହସ୍ତକ୍ଷେପ କରି ସମାଧାନ କରି ଅଫିସ୍କୁ ଫେରୁଥିଲେ। ଠିକ୍ ଏହି ସମୟରେ ଗଛ କାଟୁଥିବା କର୍ମଚାରୀ ଟାଙ୍ଗିଆ ଧରି ଧାଇଁ ଆସିଥିଲା। ଯୁବକମାନେ ଶ୍ରୀ ଅଗ୍ରୱାଲଙ୍କ ପ୍ରରୋଚନାରେ ଆକ୍ରମଣ କରିବାକୁ ଆସୁଛି ଭାବି ହାତରେ ଥିବା ଷ୍ଟମ୍ପରେ ତାଙ୍କୁ ପଛପଟୁ ଆକ୍ରମଣ କରିଥିବା ଏସ୍ପି ପ୍ରକାଶ କରିଛନ୍ତି।
କେମିତି କାବୁ କଲା ପୁଲିସ: ଆକ୍ରମଣକାରୀଙ୍କୁ ଧରିବାକୁ ଗଠିତ ପୁଲିସ ଟିମକୁ ନାକେଦମ ହେବାକୁ ପଡ଼ିଥିଲା। ସମସ୍ତ ଅଭିଯୁକ୍ତ ନିଜ ମୋବାଇଲ ବନ୍ଦ ରଖିଥିଲେ। ଫଳରେ ପୁଲିସ ସେମାନଙ୍କ ଫୋନ ଟ୍ରାକିଂ କରିପାରୁ ନଥିଲା। ଶେଷରେ ସେମାନଙ୍କ ବନ୍ଦ ଥିବା ମୋବାଇଲକୁ ଫୋନ କରୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କୁ ପୁଲିସ ଚିହ୍ନଟ କରି ଖୋଳତାଡ଼ ଆରମ୍ଭ କରିଥିଲା। ଶେଷରେ ମଙ୍ଗଳବାର ରାତିରେ ନୟାଗଡ଼ର ଏକ ଭଡ଼ା ଘର ଉପରେ ଚଢ଼ଉ କରି ଚାରିଜଣଙ୍କୁ ଗରିଫ କରିବାରେ ସଫଳ ହୋଇଥିଲା। ଅଭିଯୁକ୍ତଙ୍କ ନାମରେ କେସ ନଂ ୧୫୦/୧୯.୬.୨୧ ୩୮୫, ୩୨୪, ୩୨୬, ୩୦୭/୩୪ ଆଇପିସି ଧାରରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କ ମଧ୍ୟରୁ ରଫିକ ନାମରେ ପର୍ବରୁ ୬ଟି ମାମଲା ଓ ରୋନକ ନାମରେ ୫ଟି ମାମଲା ଥିବା ଏସ୍ପି ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/5246f715-2909-446c-887c-477acfaa252f.jpg)