ଚୋର ସନ୍ଦେହରେ ଅଚିହ୍ନା ଯୁବକଙ୍କୁ ପିଟିପିଟି ହତ୍ୟା, ୫ ଗିରଫ

୯ ଦିନ ପରେ ନାଳରୁ ଶବ ଉଦ୍ଧାର

ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ୍‌ ଧୁରୁଡ଼ିଆମ୍ବ ପଞ୍ଚାୟତ କରଡ଼ାପାଳ ଗ୍ରାମ କମଳାବାହାଳି ସାହି ପାଖ ଏକ ନାଳରୁ ପୁଲିସ ଶୁକ୍ରବାର ଜଣେ ଅଚିହ୍ନା ଯୁବକଙ୍କ ଶବ ଉଦ୍ଧାର କରିଛି। ଚୋର ସନ୍ଦେହରେ ସମ୍ପୃକ୍ତ ଯୁବକଙ୍କୁ ୩ ତାରିଖ ରାତିରେ ପିଟିପିଟି ହତ୍ୟା କରାଯାଇଛି। ଏହି ଘଟଣାରେ ପୁଲିସ କମଳାବାହାଳି ଗ୍ରାମର ଘନଶ୍ୟାମ ମୁଣ୍ଡା (୨୧), ରବୀନ୍ଦ୍ର ହନଗା (୪୦), ସୁବିନାଥ ମୁଣ୍ଡା(୩୨), ବୀରୁ ମୁଣ୍ଡା (୩୫) ଓ ସନାତନ ନାଏକ (୪୭)କୁ ଗିରଫ କରିଛି।

ପୁଲିସ ସୂଚନା ଅନୁଯାୟୀ, ୩ ତାରିଖରେ ଦୁଇଜଣ ଅଚିହ୍ନା ଯୁବକ ସନାତନ ନାଏକଙ୍କ ଘରେ ଆସି ଆଶ୍ରୟ ନେଇଥିଲେ। ସେହିଦିନ ସନ୍ଧ୍ୟାରେ ସନାତନ ଓ ସେମାନଙ୍କ ମଧ୍ୟରୁ ଜଣେ ଯୁବକ କୁକୁଡ଼ା ମାଂସ ଆଣିବା ପାଇଁ ତାଳଡିହି ଗ୍ରାମକୁ ଯାଇଥିଲେ। ସେଠାରୁ କୌଶଳ କ୍ରମେ ସନାତନଙ୍କ ମୋବାଇଲ ନେଇ ଯୁବକ ଜଣଙ୍କ ଫେରାର ହୋଇଯାଇଥିଲା। ସନାତନ ଘରକୁ ଫେରି ତାଙ୍କ ସହ ଆସିଥିବା ଅନ୍ୟ ଯୁବକଙ୍କୁ ତା’ର ପରିଚୟ ପଚାରିଥିଲେ। ସେ କିଛି ନ କହିବାରୁ ଚୋର ଭାବି ସନାତନ, ସୁବିନାଥ ଓ ଅନ୍ୟମାନେ ସମ୍ପୃକ୍ତ ଯୁବକକୁ ଏକ ଘରେ ପୂରାଇ ନିସ୍ତୁକ ପିଟିବା ପରେ ତାଲା ପକାଇ ଦେଇଥିଲେ। ପରଦିନ ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ଜାଣି ଶବକୁ ପାଖ ନାଳରେ ପକାଇ ଦେଇଥିଲେ। ତା ଉପରେ ଏକ ବଡ଼ ପଥର ରଖି ଦେଇଥିଲେ।

ଅନ୍ୟପକ୍ଷରେ କମଳାବାହାଳି ସାହିରେ ଜଣେ ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ନେଇ ଖବର ପ୍ରଚାରିତ ହୋଇଥିଲା। ପୁଲିସ ଏହି ଖବର ପାଇବା ପରେ ବିଭିନ୍ନ ଲୋକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ଶେଷରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା। ଆଜି ଅଭିଯୁକ୍ତଙ୍କ ସୂଚନାକୁ ଅଧାର କରି ଘଟଗାଁ ଏସ୍‌ଡିପିଓ ଅସିତ ରଂଜନ ମହାନ୍ତି, ଥାନା ଅଧିକାରୀ ସୁସ୍ମିତା ଦେବତା, ତହସିଲଦାର ପ୍ରଶାନ୍ତ କୁମାର ସେଠୀ, ଏସ୍‌ଆଇ ସୁକଳ କୁମାର ଥେମୁରିଆ, ଏଏସ୍‌ଆଇ ରମେଶ ଚନ୍ଦ୍ର ଜେନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆଜି ଶବ ଉଦ୍ଧାର କରିଥିଲ। ଶବ ଚିହ୍ନଟ ପାଇଁ କେନ୍ଦୁଝର ଡାକ୍ତରଖାନାରେ ୭୨ ଘଣ୍ଟା ପର୍ଯ୍ୟନ୍ତ ରଖାଯିବ ବୋଲି ପୁଲିସ କହିଛି। ଏନେଇ ହରିଚନ୍ଦନପୁର ପୁଲିସ କେସ୍‌ ନମ୍ବର ୯୮/୨୧ ଦଫା ୩୦୨, ୨୦୧, ୩୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ମୃତ ଯୁବକଙ୍କ ପରିଚୟ ଜାଣିବା ପାଇଁ ପୁଲିସ ତନାଘନା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର