ଜାଗା ବିବାଦକୁ ନେଇ ୪ଟି ଘର ଭାଙ୍ଗିବା ଅଭିଯୋଗ, ୫ କୋର୍ଟ ଚାଲାଣ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ପୋଖରୀବନ୍ଧ ଗ୍ରାମରେ ୪ ଜଣଙ୍କ ଘର ଭାଙ୍ଗିବା ଅଭିଯୋଗରେ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ଇନ୍ଦ୍ର ହରିଜନ, ଦେବ ହରିଜନ, ନୀଳ ହରିଜନ, ବବ୍ରୁ ହରିଜନ ଓ ଚନ୍ଦ୍ର ହରିଜନ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ପୋଖରୀବନ୍ଧ ଗାଁ ହରିଜନ ସାହିରେ ବହୁଦିନ ହେଲା ଦୁଇଗୋଷ୍ଠୀ ମଧ୍ୟରେ ଘରଡିହକୁ ନେଇ ବିବାଦ ଲାଗି ରହିଛି। ଏହାକୁ ନେଇ ଅଦାଲତରେ ମାମଲା ରହିଛି ଓ ବିବାଦୀୟ ଜାଗାରେ ୧୪୪ ଧାରା ଜାରି କରାଯାଇଛି। ଉପଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଗତ ଗୁରୁବାର ସ୍ଥାନୀୟ ଆରଆଇ ଓ ବିଶ୍ୱନାଥପୁର ପୁଲିସ ଗାଁକୁ ଯାଇ ଉଭୟ ଗୋଷ୍ଠୀଙ୍କୁ କାଗଜପତ୍ର ମାଗିଥିଲେ। ଗୋଟିଏ ଗୋଷ୍ଠୀ ଏଥିପାଇଁ ୭ ଦିନ ସମୟ ମାଗିଥିଲେ। ଆର୍‌ଆଇ ଓ ପୁଲିସ ଗାଁରୁ ଚାଲିଆସିବା ପରେ ପୁଣି ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଗୋଟିଏ ଗୋଷ୍ଠୀର ବୈଦ୍ୟନାଥ, ଟିକେ, ଯୋଗେଶ୍ୱର ଓ ଭୁଜଙ୍କ ୪ଟି ଘରକୁ ଭାଙ୍ଗି ଦେଇଥିଲେ। ଏନେଇ ବୈଦ୍ୟନାଥ ବିଶ୍ୱନାଥପୁର ଥାନାରେ ଇନ୍ଦ୍ର ହରିଜନ, ଦେବ ହରିଜନ ସମେତ ୧୫ ଜଣଙ୍କ ନାମରେ ଲିଖିତ ଅଭିଯୋଗ କାରିଥିଲେ। ଥାନା ଅଧିକାରୀ ରୁନୁ କୁମାରୀ ମାଝୀ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଥାନାକୁ ଆଣିଥିଲେ। ଶନିବାର ସେମାନଙ୍କ ମଧ୍ୟରୁ ଉକ୍ତ ୫ ଜଣଙ୍କୁ ପୁଲିସ ଗିରଫ କରିଥିଲା। ଅନ୍ୟ ପଟେ ଘରଗୁଡ଼ିକ ଭାଙ୍ଗି ଯାଇଥିବା ଯୋଗୁଁ ୪ ପରିବାରର ୩୦ ଜଣ ବାସହରା ହୋଇଯାଇଛନ୍ତି। ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର