ସମ୍ବଲପୁର : ଟାଉନ୍ ଥାନା ଅଧୀନ ରାମଜୀମନ୍ଦିର ଓ ରାଣୀବନ୍ଧରେ ୨ ପରିବାର ମଧ୍ୟରେ ମାର୍ପିଟ୍ ହୋଇଥିବା ଅଭିଯୋଗ ହୋଇଛି। ୨ ପରିବାରର ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଉଭୟ ମାମଲାରେ ୫ ଜଣଙ୍କୁ ଗିରଫ କରିଛି।
ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ରାଣୀବନ୍ଧ ଅଞ୍ଚଳର ବୁବୁନ ପାଣିଗ୍ରାହୀ ଓ ତାଙ୍କ ବାପା ମନୋରଞ୍ଜନ ପାଣିଗ୍ରାହୀଙ୍କୁ ରାମଜୀ ମନ୍ଦିର ପଡ଼ାର କିଛି ଦୁର୍ବୃତ୍ତ ଘରେ ପଶି ମାର୍ପିଟ୍ ଓ ଗାଳିଗୁଲଜ କରିଥିଲେ। ଦୁର୍ବୃତ୍ତଙ୍କ ପଥର ମାଡ଼ରେ ବୁବୁନଙ୍କ ମୁଣ୍ଡ ଫାଟି ଯାଇଥିବା ତାଙ୍କ ମାଆ ଟାଉନ୍ ଥାନାରେ ଗୁରୁବାର ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ରାମଜୀ ମନ୍ଦିର ପଡ଼ାର ସତ୍ୟନାରାୟଣ ବଗର୍ତ୍ତିଙ୍କୁ ଗୁରୁବାର ସକାଳେ ତାଙ୍କ ପଡ଼ାର ଜଣେ ଯୁବକ ଘରେ ପଶି ଗାଳିଗୁଲଜ ଓ ମାର୍ପିଟ୍ କରିଥିବା ଆଉ ଏକ ଅଭିଯୋଗ ହୋଇଛି। ବନ୍ଧୁକ ଦେଖାଇ ଧମକ ଦେବା ସହିତ ସତ୍ୟଙ୍କ ହାତକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ତେବେ ଅଭିଯୁକ୍ତକୁ ଧରିବା ପାଇଁ ପଡ଼ାବାସୀ ଚେଷ୍ଟା କରିବା ବେଳେ ଗାଡ଼ି ଛାଡ଼ି ସେ ଫେରାର୍ ହୋଇଯାଇଥିଲା।
ପୁଲିସ ୨ଟି ଭିନ୍ନ ଭିନ୍ନ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଉଭୟ ମାମଲାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୫ ଅଭିଯୁକ୍ତ ହେଲେ ରାମଜୀ ମନ୍ଦିରର ବବୁଲୁ ଶର୍ମା, ବିଶ୍ବଜିତ୍ ଦାସ, ବବୁଲୁ ପଧାନ, ବବୁନ ପାଣିଗ୍ରାହୀ ଓ ସତ୍ୟ ବଗର୍ତ୍ତି।