ପୁଲିସକୁ ସଂଘବଦ୍ଧ ଆକ୍ରମଣ : ମହିଳା କନେଷ୍ଟବଳଙ୍କ ପୋଷାକ ଚିରିଦେଲେ, ନିର୍ଘାତ ମାଡ଼ ଖାଇଲେ ପୁଲିସ କର୍ମଚାରୀ

୫ ଜଣଙ୍କୁ ଗିରଫ କଲା ପୁଲିସ, ପୁରୁଷଶୂନ୍ୟ ପୁରିନ୍ଦା ଗାଁ

ବେତନଟୀ : ଅପହୃତା ନାବାଳିକାଙ୍କୁ ଉଦ୍ଧାର କରିବାକୁ ଆସି ସଂଘବଦ୍ଧ ଆକ୍ରମଣର ଶିକାର ହୋଇଛି ପୁଲିସ। ଅଭିଯୁକ୍ତମାନେ ଅତର୍କିତ ଆକ୍ରମଣ କରିବା ସହ ଜଣେ ମହିଳା କନେଷ୍ଟବଳଙ୍କୁ ଅସଦାଚରଣ କରି ତାଙ୍କ ପୋଷାକ ଚିରି ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ପୁରିନ୍ଦା ଗାଁରେ ଘଟିଥିବା ଏହି ମାମଲାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଏହି ଘଟଣା ପରେ ଗାଁ ପୁରୁଷଶୂନ୍ୟ ହୋଇଯାଇଛି।

ସୂଚନା ଅନୁଯାୟୀ, ଜଣେ ଅପହୃତା ନାବାଳିକାଙ୍କ ସନ୍ଧାନରେ ଶନିବାର ବିଳମ୍ବିତ ରାତିରେ ବାରିପଦା ସଦର ଥାନା ଏସ୍‌ଆଇ ସନ୍ତୋଷ କୁମାର ବିଶୋୟୀ ନିଜ ସହଯୋଗୀଙ୍କ ସହ ବେତନଟୀ ଥାନାରେ ପହ‌ଞ୍ଚିଥିଲେ। ବେତନଟୀ ଥାନା ଆଇଆଇସି ଅଶୋକ କୁମାର ନାୟକଙ୍କ ସହିତ ଆଲୋଚନା ପରେ ପୁଲିସ ଟିମ୍‌ ଏହି ଥାନା ଅନ୍ତର୍ଗତ ପୁରିନ୍ଦା ଗାଁରେ ପହଞ୍ଚିଥିଲା। ସେଠାରେ ଅପହୃତା ନାବାଳିକା ଓ ଅପହରଣକାରୀ ଯୁବକକୁ ଠାବ କରିଥିଲା ପୁଲିସ। ତେବେ ଉଭୟଙ୍କୁ ଆଣିବା ବେଳେ ଅଭିଯୁକ୍ତ ଯୁବକଙ୍କ ପରିବାର ସହ ମିଶି କେତେକ ଗ୍ରାମବାସୀ ପୁଲିସ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏମିତିକି ପୁଲିସ ଟିମ୍‌ରେ ଥିବା ଜଣେ ମହିଳା କନେଷ୍ଟବଳଙ୍କୁ କିଛି ଯୁବକ ଅସଦାଚରଣ କରିବା ସହ ତାଙ୍କ ପୋଷାକ ବି ଚିରି ଦେଇଥିଲେ। ଅନ୍ୟ ପୁଲିସ କର୍ମଚାରୀମାନେ ନିର୍ଘାତ ମାଡ଼ ଖାଇ ଗୁରୁତର ଆହତ ହୋଇଥିଲେ। ଏହି ମଉକାରେ ଅପହୃତା ନାବାଳିକା ଓ ଅପହରଣକାରୀ ଯୁବକ ସେଠାରୁ ଫେରାର ହୋଇ ଯାଇଥିଲେ। ଆକ୍ରମଣକାରୀଙ୍କ କବଳରୁ କୌଣସିପ୍ରକାର ମୁକୁଳିବା ପରେ ସଦର ଥାନା ଏସଆଇ ଶ୍ରୀ ବିଶୋୟୀ ବେତନଟୀ ଥାନାକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଅଭିଯୋଗ ପରେ ଆଜି ବେତନଟୀ ଥାନା ପୁଲିସ ପୁରିନ୍ଦା ଗାଁରେ ଚଢ଼ଉ କରି ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଦ୍ୟାଧର ମହାନ୍ତ (୨୬), ସୁଧାକର ମହାନ୍ତ (୨୭), ପଙ୍କଜ କୁମାର ମହାନ୍ତ (୩୩), ସୋମନାଥ ମହାନ୍ତ ଓ ରାସଗୋବିନ୍ଦପୁର ଥାନା ରାଘବପୁର ଗ୍ରାମର ତପନ କୁମାର ମହାନ୍ତ (୨୪)। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୁଲିସ। ଏହି ଘଟଣାରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବାରୁ ଆଜି ଦିନତମାମ ପୁରିନ୍ଦା ଗାଁରେ ପୁଲିସ ପଇଁତରା ମାରିଛି। ତେବେ ଗିରଫଦାରୀ ଭୟରେ ଅଭିଯୁକ୍ତମାନେ ଗାଁ ଛାଡ଼ି ପଳାଇଛନ୍ତି। ସେମାନଙ୍କୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଏ ନେଇ କେସ୍‌ ନଂ ୪୪/୨୦୨୦ରେ ମାମଲା ରୁଜୁ ହୋଇଥିବାବେଳେ ଅଭିଯୁକ୍ତମାନଙ୍କ ବିରୋଧରେ ୮ଟି ଦଫା ଲଗାଯାଇଛି।

ସମ୍ବନ୍ଧିତ ଖବର