ଆଇପିଏଲ୍‌ ବେଟିଂ: ଛତିଶଗଡ଼ର ୫ ଯୁବକ ଗିରଫ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖରିଆରରୋଡ଼ ସହରରେ ଆଇପିଏଲ୍ ବେଟିଂ ଚାଲିଥିବା ବେଳେ ଜୋଙ୍କ ପୁଲିସ୍‌ ଚଢ଼ଉ କରି ଏକ ରାକେଟକୁ ଧରିବାର ସଫଳ ହୋଇଛି। ସେଠାରୁ ଛତିଶଗଡ଼ ରାଜ୍ୟର ୫ ଜଣ ଯୁବକଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୪ଟି ଲ୍ୟାପ୍‌ଟପ୍‌, ୨୧ଟି ମୋବାଇଲ୍‌, ୧୫ଟି ଏଟିଏମ୍‌ ଓ ୧୦ଟି ଚେକ୍‌ବୁକ୍‌ ସହ ଗୋଟିଏ ଡିଏଲ୍‌, ଗୋଟିଏ ଆଧାରକାର୍ଡ ଜବତ କରାଯାଇଥିବା ଜୋଙ୍କ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଜି.ଆର ରାଘବେନ୍ଦ୍ର  ସୂଚନା ଦେଇଛନ୍ତି।

ଏସ୍‌ପିଙ୍କ ସୂଚନା ଅନୁସାରେ, ଖରିଆରରୋଡ଼ ସହରରେ ଆଇପିଏଲ୍‌ ଆରମ୍ଭ ହେବା ଦିନଠାରୁ ଅନ୍ତଃରାଜ୍ୟ ତଥା ଛତିଶଗଡ଼ ରାଜ୍ୟର ଯୁବକମାନେ ଆଇପିଏଲ ବେଟିଂ ଆରମ୍ଭ କରିଥିଲେ। ଛତିଶଗଡ଼ର ଯୁବକମାନେ ଏକ ଘର ଭଡ଼ାନେଇ ପ୍ରତିଦିନ ଏଭଳି ବେଆଇନ୍ କାର୍ଯ୍ୟ କରୁଥିଲେ। ଏହି ଆଇପିଏଲ୍‌ ବେଟିଂରେ କୋଟି କୋଟି ଟଙ୍କାର ଖେଳ ହେଉଥିଲା। ମଙ୍ଗଳବାର ଖରିଆରରୋଡ଼ ସହରର ରାମ ମନ୍ଦିର ପଛପଟେ ଥିବା ଏକ ଘରେ ଆଇପିଏଲ ବେଟିଂ ଚାଲିଥିବା ଜୋଙ୍କ ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା।

ଥାନାଧିକାରୀ କୈଳାସ ଚନ୍ଦ୍ର ସେଠୀଙ୍କ ନିର୍ଦେଶ କ୍ରମେ ଏସ୍‌ଆଇ ଅରବିନ୍ଦ ମେହେରଙ୍କ ନେତୃତ୍ବରେ ଏକ ପୁଲିସ୍‌ ଟିମ୍‌ ଚଢ଼ଉ କରି ଛତିଶଗଡ଼ ରାଜ୍ୟ  ବେମେତରା ଓ ରାଜନାନ୍ଦଗାଓଁ ଜିଲ୍ଲାର ୫ ଜଣ ଯୁବକଙ୍କୁ ଗିରଫ କରିଥିଲେ। ଆଇପିଏଲ୍‌ ଆରମ୍ଭ ହେବା ଦିନଠାରୁ  ସେମାନେ ଖରିଆରରୋଡ଼ରେ ରହି ଟାଇଗର ଏକ୍ସଚେଞ୍ଜ୍‌ ଓ ରେଜର୍‌ ୨୪୭ ନାମକ ୱେବ୍‌ସାଇଟ୍‌ରେ ବେଟିଂ ଚ‌ଲେଇଥିଲେ।

ସମ୍ବନ୍ଧିତ ଖବର