କୁକୁଡ଼ା ଫାର୍ମ ଆଢୁଆଳରେ ଗଂଜାମରୁ ସୁରତ ଗଞ୍ଜେଇ ଚାଲାଣ; ୫ ଫେରାର

ଟ୍ରକ୍ ସମେତ ପିକ୍‌ଅପ୍ ଭ୍ୟାନ୍, ସ୍କୁଟି, ବାଇକ୍, ଦେଶୀ ପିସ୍ତଲ ଜବତ

କବିସୂର୍ଯ୍ୟନଗର: ଗଞ୍ଜାମରୁ ଗୋଆ ଭାୟା ସୁରତ ଦେଇ ଚାଲାଣ ହେଉଥିଲା ଗଞ୍ଜେଇ। କୁକୁଡ଼ାଫାର୍ମ ଆଢ଼ୁଆଳରେ ଚାଲିଥିଲା ଅନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରାକେଟ୍। ଗତକାଲି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଦେଓଗାଁରୁ ପୁଲିସ ଏକ ଗଞ୍ଜେଇ ବୋଝେଇ ଟ୍ରକ୍ ଜବତ ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ କବିସୂର୍ଯ୍ୟନଗର ପୁଲିସର ଏକ ଟିମ୍ ସାନ୍ତଉସ୍ତପଡ଼ା ଜଙ୍ଗଲ ନିକଟରେ ଚାଲିଥିବା କୁକୁଡ଼ାଫାର୍ମରେ ଚଢ଼ଉ କରିବା ସହ ସେଠାରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତଜଣକ ହେଉଛି, କୋଦଳା ଥାନା ବାଦପଲ୍ଲୀର ସନ୍ତୋଷ ରାଉତ (୧୯)। ଫାର୍ମଟି ପ୍ରଭାତଭାନୁ ଜେନାର ବୋଲି ଜଣାପଡ଼ିଛି। ତେବ‌େ ଜଙ୍ଗଲିଆ ଇଲାକା ସାଙ୍ଗକୁ ଅନ୍ଧାରିଆ ରାସ୍ତାର ସୁଯୋଗ ନେଇ ପାଞ୍ଚଜଣ ଚମ୍ପ୍‌ଟ ମାରିଛନ୍ତି। ଫେରାରଙ୍କ ମଧ୍ୟରେ ୨ଜଣ ସୁରତର ବୋଲି ଜଣାପଡ଼ିଛି। ପୁଲିସ ଉକ୍ତ ଛଅଚକିଆ ଟ୍ରକ୍‌ରୁ ୪୧୩ କେଜି ଗଞ୍ଜେଇ ବସ୍ତା ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ। ସେହିପରି ଏକ ପିକଅପ୍ ଭ୍ୟାନ୍, ଦୁଇଟି ବାଇକ୍, ଗୋଟିଏ ସ୍କୁଟ୍ ସମେତ ଗୋଟିଏ ଦେଶୀ ପିସ୍ତଲ ଓ ଚାରିଟି ଗୁଳି ଜବତ ହୋଇଛି। ଏ ନେଇ ଆସିକା ଏସଡିପିଓ ଉମାଶଙ୍କର ସିଂହ ଓ କବିସୂର୍ଯ୍ୟନଗର ଥାନାଧିକାରୀ ପ୍ରଭାତ କୁମାର ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଦୀର୍ଘଦିନ ଧରି ଏହି କୁକୁଡ଼ାଫାର୍ମରୁ ଗଞ୍ଜେଇ ଚାଲାଣ ହେଉଥିଲା। ପିକ୍‌ଅପ୍‌ ଭ୍ୟାନରୁ ଗଞ୍ଜେଇ ଆଣି ଟ୍ରକ୍‌ରେ ‌ଲୋଡ଼ିଂ କରାଯାଇଥିଲା। ସମସ୍ତ ଗଞ୍ଜେଇ ବସ୍ତାକୁ ଅତି ଚତୁରତାର ସହ ଟ୍ରକର ଡାଲା ତଳେ ତିଆରି ଏକ ଆଉ କ୍ଷୁଦ୍ର ଡାଲାରେ ‌ରୋଲର୍ ମେସିନ୍ ସହାୟତାରେ ରଖାଯାଉଥିଲା। ଉକ୍ତ ମେସିନ୍‌କୁ ବି ପୁଲିସ ଜବତ କରିଛି। ଏହି ଗଞ୍ଜେଇ ସୁରତ ଚାଲାଣ ହେବା ପରେ ସେଠାରୁ ଗୋଆ ନେବା ଲାଗି ଯୋଜନା ହୋଇଥିଲା। ଫଳରେ ଏଥ‌ିରେ ଅନ୍ତଃରାଜ୍ୟ ମାଫିଆଙ୍କ ସଂପୃକ୍ତି ସ୍ପଷ୍ଟ ହୋଇଛି। ସୁରତ ପୁଲିସ ସହାୟତାରେ ତଦନ୍ତ ପ୍ରକ୍ରିୟାକୁ ଆଗେଇ ନିଆଯିବ। ଏହାସହ ଏହି ରାକେଟ୍‌ର ଚେର ଆଉ କେଉଁଆଡ଼େ ଲମ୍ବିଛି, ଏହାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। ତେବେ ଖୋଳତାଡ଼ ପରେ ବହୁ ପେସାଦାର ଅପରାଧୀ ଜାଲରେ ପଡ଼ିବେ ବୋଲି ସୂଚନା ମିଳିଛି।
ସମ୍ବନ୍ଧିତ ଖବର