ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷଙ୍କୁ ହତ୍ୟା ଘଟଣାରେ ୫ ଗିରଫ

ମୁଖ୍ୟ ଅଭିଯୁକ୍ତ ଅଜୟ କିଣିଥିଲା ୩ ବନ୍ଧୁକ, ୧୧୬ ରାଉଣ୍ଡ୍‌ ଗୁଳି

ଛତ୍ରପୁର/ବ୍ରହ୍ମପୁର : ପ୍ରତିଶୋଧର ନିଆଁ ଜଳୁଥିଲା। ଟାର୍ଗେଟ୍‌ରେ ଥିଲେ ଦେବରାଜ। ମୁଖ୍ୟ ଅଭିଯୁକ୍ତ ଅଜୟର ଯୋଜନା ଥିଲା, ଯେମିତି ଗୁଳି ବେକାର ଯିବନି। ଗୋଟିଏ ପ୍ରୟାସରେ ଶତ ପ୍ରତିଶତ ସଫଳତା ହାସଲ ଏକମାତ୍ର ଲକ୍ଷ୍ୟ ଥିଲା। ସାର୍ପସୁଟର୍‌ ପ୍ରସ୍ତୁତ ହେଲେ। ବନ୍ଧୁକ ଗୋଟିଏ ନୁହେଁ, ତିନି ତିନିଟି ଓ ସାଙ୍ଗରେ ଗୁଳି ୧୧୬ ରାଉଣ୍ଡ୍‌ କିଣା ହୋଇଥିଲା। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍‌ ପୂର୍ବତନ ଅଧ୍ୟକ୍ଷ ସୁମଣ୍ଡଳ ନିବାସୀ ଦେବରାଜ ସାହୁଙ୍କୁ ହତ୍ୟା ପାଇଁ ଏମିତି ପ୍ରସ୍ତୁତ ହୋଇଥିଲା ବ୍ଲୁ-ପ୍ରିଣ୍ଟ୍‌। ଏହି ହାଇ-ପ୍ରୋଫାଇଲ୍‌ ହତ୍ୟା ଘଟଣାରେ ଗଞ୍ଜାମ ପୁଲିସକୁ ମିଳିଛି ବଡ଼ ସଫଳତା। ଘଟଣାର ଠିକ୍‌ ଦୁଇ ଦିନ ପରେ ଅଭିଯୁକ୍ତଙ୍କୁ କାବୁ କରିଛି। ୫ ଦିନ ପରେ ସମଗ୍ର ରହସ୍ୟ ଉପରୁ ପରଦା ହଟାଇଛି ପୁଲିସ।

ଛତ୍ରପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ସତ୍ୟବ୍ରତ ଭୋଇଙ୍କ ସୂଚନା ଅନୁଯାୟୀ, ଦେବରାଜ ଏବଂ ସେହି ଗ୍ରାମର ଅଜୟ ବାରିକଙ୍କ ମଧ୍ୟରେ ପୁରୁଣା ଗଣ୍ଡଗୋଳ ଥିଲା। ପ୍ରତିଶୋଧ ନେବା ଲାଗି ସୁଯୋଗ ଅପେକ୍ଷାରେ ଥିବା ମୁଖ୍ୟ ଅଭିଯୁକ୍ତ ଅଜୟ ଶେଷରେ ଦେବରାଜଙ୍କୁ ହତ୍ୟା କରିଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଜୟ ବାରିକ, ବଳରାମ ପରିଡ଼ା, ପବନା ପାହାନ, କାର୍‌ ଚାଳକ ପ୍ରଶାନ୍ତ ସ୍ବାଇଁ ଓ (ଖବ୍‌ରୀ)ସୂଚନାଦାତା ଗଗନ ବିଶ୍ବାଳଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୩ଟି ଦେଶୀ ବନ୍ଧୁକ, ୬୨ ରାଉଣ୍ଡ ଜୀବନ୍ତ ଗୁଳି, ୫ଟି ମାଗାଜିନ୍‌, ଏକ ଇଣ୍ଡିଗୋ ସିଏସ୍‌ କାର୍‌, ୩ଟି ମୋବାଇଲ୍‌, ୩୫ଶହ ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ଛତ୍ରପୁର ଠାରେ ଡିଆଇଜି ଶ୍ରୀ ଭୋଇ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର