ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ାସ୍ଥିତ ବାଂଶପାଣି ରେଳ ଷ୍ଟେସନରେ ବ୍ୟାପକ ଭଙ୍ଗାରୁଜା ଓ ଆର୍ପିଏଫ୍ ଯବାନଙ୍କୁ ହତ୍ୟା ଅଭିଯୋଗରେ ପୁଲିସ ବୁଧବାର ଦିନ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବାଂଶପାଣି ନାରୁହଟିଂର ଗୋବିନ୍ଦ ପାତ୍ର, ଭଞ୍ଜହଟିଂର ଲାଲା ପାତ୍ର, ରାଧାହଟିଂର ରାଜା ମହାରଣା, ସୁଶାନ୍ତ ନାୟକ ଓ ଶମ୍ଭୁନାଥ ପାତ୍ର।
ସୂଚନାଯୋଗ୍ୟ, ୧୨ ତାରିଖ ରାତିରେ ବାଂଶପାଣି ଷ୍ଟେସନର ସାଇଡିଂରେ ସ୍ଥାନୀୟ ଅଞ୍ଚଳର ଯୁବକ ଲକ୍ଷ୍ମଣ ମୁଣ୍ଡାଙ୍କ ଆକସ୍ମିତ ମୃତ୍ୟୁ ଘଟିଥିଲା। ଏହାକୁ କେନ୍ଦ୍ରକରି ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଷ୍ଟେସନରେ ଭଙ୍ଗାରୁଜା କରିଥିଲେ। ଆର୍ପିଏଫ୍ ଯବାନଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ୪ଜଣ ଯବାନ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ସଂକଟାପନ୍ନ ଅବସ୍ଥାରେ ଜାମସେଦପୁରର ଟାଟା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସମଶେର କୁମାର ସିଂହଙ୍କ ୧୭ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।
ଏନେଇ ଯୋଡ଼ା ଥାନାରେ କେସ୍ ନମ୍ବର ୧୬୯/୨୦୨୧ ଦଫା ୧୪୭, ୧୪୮, ୩୪୧, ୨୯୪, ୩୩୨, ୩୨୩, ୩୨୪, ୩୨୫, ୧୮୬, ୩୦୭, ୩୯୫, ୪୨୭, ୧୪୯, ୧୨୦(ବି) ଓ ୩୦୨ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଯୋଡ଼ା ଥାନା ଅଧିକାରୀ ପଦ୍ମାଳୟା ସାହୁ କହିଛନ୍ତି।