ଭୁବନେଶ୍ବର: ବଢ଼ି ଚାଲିଛି ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶା ତାପମାତ୍ରା। ଆଜି ରାଜ୍ୟର ୧୨ ସହର ତାପମାତ୍ରା ୪୦ ଡିଗ୍ରି ପାର୍ କରିଥିବା ବେଳେ ଆଉ ୫ ସହରର ତାପମାତ୍ରା ୪୦ ପାଖାପାଖି ରହିଥିଲା। ପଶ୍ଚିମ ଓଡ଼ିଶାର ୫ ସହରର ତାପମାତ୍ରା ୪୨ ଡିଗ୍ରି ଉପରେ ରହିବା ସହ ଜଳୁଛି ପଶ୍ଚିମ ଓଡ଼ିଶା। ରାଜ୍ୟର ସର୍ବାଧିକ ତାପମାତ୍ରା ବାରିପଦାଠାରେ ୪୨.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଏହା ପଛକୁ ରହିଛି ବଲାଙ୍ଗୀର। ଏଠାରେ ଦିନର ସର୍ବାଧିକ ତାପମାତ୍ରା ୪୨.୫ ଡିଗ୍ରି ରେକର୍ଡ ହୋଇଛି। ସେହିପରି ଝାରସୁଗୁଡ଼ାରେ ୪୨.୪ ଡିଗ୍ରି, ସୋନପୁରରେ ୪୨.୧ ଡିଗ୍ରି ଓ ବୌଦ୍ଧରେ ୪୨ ଡିଗ୍ରି ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି। ଏହିଭଳି ତାପମାତ୍ରା ସହ ରୌଦ୍ର ତାଣ୍ଡବ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି। ସକାଳ ୮ଟାରୁ ଘରୁ ବାହାରିବା ମୁସ୍କିଲ ହୋଇଯାଇଥିବା ବେଳେ ଖରା ବେଳେ ଫ୍ୟାନ୍ ଓ କୁଲର୍ କିଛି କାମ ଦେଉନି। ଅନ୍ୟପଟେ ଅନୁଗୁଳର ତାପମାତ୍ରା ୪୧.୯, ସମ୍ବଲପୁର ୪୧.୪, ସୁନ୍ଦରଗଡ଼ ୪୧.୦ ଓ ଟିଟିଲାଗଡ଼ ୪୧.୬ ଡିଗ୍ରି ରହିଛି। ଅବଶିଷ୍ଟ ୩ ସହର ଯଥା ହୀରାକୁଦରେ ୪୦.୯ ଡିଗ୍ରି, ତାଳଚେର ୪୦.୨ ଓ ଭବାନୀପାଟଣାରେ ତାପମାତ୍ରା ୪୦.୮ ଡିଗ୍ରି ରେକର୍ଡ ହୋଇଛି।
ଅନ୍ୟପଟେ ଧୀରେଧୀରେ ଉପକୂଳର ତାପମାତ୍ରା ବି ବଢ଼ିବାରେ ଲାଗିଛି। ଆଜି ବାଲେଶ୍ବରର ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଭଦ୍ରକର ତାପମାତ୍ରା ଥିଲା ୩୯ ଡିଗ୍ରି। ଆଗକୁ ମଧ୍ୟ ଏହି ତାପମାତ୍ରା ଜାରି ରହିବ। ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାର ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି ଯାଏ ଅଧିକ ରହିବ। ଫଳରେ ଦିନର ତାପମାତ୍ରା ବେଶ୍ ଅଧିକ ରହିବ। ଏଣୁ ଦିନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖରାକୁ ନ ବାହାରିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଅନ୍ୟପଟେ ୧୪ ଓ ୧୫ ତାରିଖରେ କିଛି ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।