ପୁଣି ୫ ପଜିଟିଭ ଚିହ୍ନଟ, ୪ ସୁରତ ଫେରନ୍ତା ଜଗତ୍‌ସିଂହପୁରରୁ ଠାବ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫

କେନ୍ଦ୍ରପଡ଼ା ଜିଲ୍ଲାରୁ ଆଉ ଜଣେ ପଜିଟିଭ ଚିହ୍ନଟ

ଭୁବନେଶ୍ୱର/ଜଗତସିଂହପୁର: ଏଯାଏଁ ଗ୍ରୀନ ଜୋନ୍‌ରେ ଥିବା ଜଗତସିଂହପୁର ଜିଲ୍ଲା ଆଜି କରୋନା ମାନଚିତ୍ରରେ ଯୋଡ଼ି ହୋଇଯାଇଛି । ଏକକାଳୀନ ୪ ଜଣ କରୋନା ପଜିଟିଭ ଜଗତସିଂହପୁରରୁ  ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲରୁ ମଧ୍ୟ ବହୁ ଦିନର ବ୍ୟବଧାନ ପରେ ଜଣେ ଆକ୍ରାନ୍ତ ଠାବ ହୋଇଛନ୍ତି । ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ ପହଞ୍ଚିଛି।

ତେବେ ପ୍ରଥମ ଥର ଲାଗି କରୋନା ସଂକ୍ରମଣର କବଳିତ ହୋଇଥିବା ଜଗତସିଂହପୁର ଜିଲ୍ଲାର ଏହି  ୪ଜଣ ଆକ୍ରାନ୍ତଙ୍କୁ ନାଉଁଗାଁ ଅଞ୍ଚଳରୁ ଚିହ୍ନଟ କରାଯାଇଥିବା ଜଣାଯାଇଛି । ୩ ଜଣ ଗୋଟିଏ ପରିବାରର ଓ ଚତୁର୍ଥ ଆକ୍ରାନ୍ତ ସେହି ଗାଁର ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି  l ଏହି ୪ ଜଣ ଯାକ ଗୋଟିଏ ସଙ୍ଗରୋଧ ଗୃହରେ ଥିଲେ l କାହା ନିକଟରେ ରୋଗର ଲକ୍ଷଣ ନ ଥିବା କଥା ସ୍ପଷ୍ଟ କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର।

ଏଥି ସହିତ ପଡୋଶୀ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାର ପଡୋଶୀ ପୁରୀ ଜିଲ୍ଲାରେ ପୂର୍ବରୁ ଜଣେ, କଟକ ଜିଲ୍ଲାରୁ ୨ ଜଣ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କିନ୍ତୁ ଜଗତସିଂପୁର ଜିଲ୍ଲା କାଲି ଯାଏଁ କରୋନା ମୁକ୍ତ ଥିବା ବେଳେ ଆଜି ରାଜ୍ୟର ୧୭ତମ ଜିଲ୍ଲା ଭାବେ ତାଲିକାରେ ସ୍ଥାନ ପାଇଛି । ପୂର୍ବରୁ ରାଜ୍ୟର ୧୬ଟି ଜିଲ୍ଲାରେ କରୋନା ଭାଇରସ ପହଞ୍ଚିଥିଲା । ଏଥି ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ ପହଞ୍ଚିଛି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରୁ ୯ ଜଣ (ଜଗତସିଂହପୁର ଜିଲ୍ଲାରୁ ୪ ଜଣ, ଯାଜପୁର ଜିଲ୍ଲାରୁ ୨ ଜଣ, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଗଂଜାମ ଜିଲ୍ଲାରୁ ଜଣେ ଲେଖାଏଁ) କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏପର୍ଯ୍ୟନ୍ତ ୪୭ ହଜାର ୪୫୪ଟି ଆରଟି ପିସିଆର ନମୁନା ପରୀକ୍ଷା ହୋଇଛି । ୧୭ଟି ଜିଲ୍ଲାରୁ ମୋଟ ୧୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ସର୍ବାଧିକ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୪୭ ଜଣ, ବାଲେଶ୍ୱର ଜିଲ୍ଲାରୁ ୨୫ ଜଣ, ଭଦ୍ରକ ଜିଲ୍ଲାରୁ ୨୧ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨ ଜଣ, ଗଂଜାମ ଓ ଜଗତ୍‌ସିଂହପୁର ଜିଲ୍ଲାରୁ ୪-୪ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ ଜଣ, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କଟକ ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତଦ ବ୍ୟତୀତ କୋରାପୁଟ, ଦେବଗଡ଼, ଢେଙ୍କାନାଳ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧୨୨ ଜଣ ସକ୍ରିୟ ଆକାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । କରୋନା ସଂକ୍ରମଣରେ କେବଳ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛନ୍ତି ।

ସମ୍ବନ୍ଧିତ ଖବର