ଲଢ଼େଇରୁ ଓହରିଲେ ୫ କାଉନ୍‌ସିଲର ଓ ଜଣେ ନଗରପାଳ ପ୍ରାର୍ଥୀ

ପ୍ରକାଶ ପାଇଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

ବାରିପଦା: ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାର ଥିଲା। ମିଳିଥିବା ସୂଚନା ଅନୁସାରେ; ୨ ଜଣ ବିଜେପି ଓ ୩ ଜଣ ସ୍ବାଧୀନ କାଉନ୍‌ସିଲର ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ୪ ନମ୍ବର ୱାର୍ଡ ପାଇଁ ବିଜେପିରୁ କାଉନ‌୍‌ସିଲର ପଦ ପାଇଁ ନାମାଙ୍କନ ଦାଖଲ କରିଥିବା ମନୋରମା ପୃଷ୍ଟି ଏବଂ ୮ ନମ୍ବର ୱାର୍ଡ ପାଇଁ ନାମାଙ୍କନ ଦାଖଲ କରିଥିବା ସଂଯୁକ୍ତା ବାରିକ ସେମାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଛନ୍ତି।

ସେହିଭଳି ସ୍ବାଧୀନ କାଉନ୍‌ସିଲର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ୨୫ ନମ୍ବର ୱାର୍ଡର ସଂଜୀବ କୁମାର ପୂର୍ତ୍ତୀ, ୧୪ ନମ୍ବର ୱାର୍ଡର ନଳିନୀ କୁମାର ମହାପାତ୍ର ଓ ୩ ନମ୍ବର ୱାର୍ଡର ସ୍ନେହାଶିଷ ପଣ୍ଡା ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ୩ ସ୍ବାଧୀନ ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ତାହା ବଡ଼କଥା ନୁହେଁ, ତେବେ ବିଜେଡିର ମୁଖ୍ୟ ବିରୋଧୀ ବିଜେପିର ଦୁଇ ଜଣ କାଉନ୍‌ସିଲର ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ମୁଖ୍ୟ ଆଲୋଚନାର ବିଷୟ ହୋଇଛି। ସ୍ବଇଛାରେ, ନା ଭିତିର ବୁଝାମଣାରେ ଏଭଳି ହୋଇଛି; ତାହା ଜଣାପଡ଼ି ନାହିଁ।

ତେବେ ବିଜେପି ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାରେ ବିଜେଡିର ଭୂମିକା ଥିବା ଆଲୋଚନା ହେଉଛି। ସେହିପରି ନଗରପାଳ ସ୍ବାଧୀନ ପ୍ରାର୍ଥୀ ପ୍ରଦୀପ କୁମାର ବାବୁ ବି ନିର୍ବାଚନ ମଇଦାନକୁ ଯିବା ପୂର୍ବରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି। ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଥିଲା। ତା’ପରେ ଅପରାହ୍ନ ୫ଟାରେ ଚୂଡ଼ାନ୍ତ ଚାଲିବା ପ୍ରକାଶ ପାଇଛି। ଏବେ ବାରିପଦା ପୌର ନିର୍ବାଚନ ପାଇଁ ମଇଦାନରେ ୧୧୨ କାଉନ୍‌ସିଲର ଓ ୧୬ ଜଣ ନଗରପାଳ ପ୍ରାର୍ଥୀ ମଇଦାନରେ ରହିଲେ ବୋଲି ପୌର ନିର୍ବାଚନ ଅଧିକାରୀ ବସନ୍ତ କୁମାର ସେଠୀ କହିଛନ୍ତି।

ସମ୍ବନ୍ଧିତ ଖବର