୫ଦିନ ପରେ ଅନର୍ କିଲିଂର ପର୍ଦାଫାସ, ପରିବାର ଇଜ୍ଜତ ପାଇଁ ଭଉଣୀର ପ୍ରେମିକକୁ ହତ୍ୟା

ରାସ୍ତାରେ ଫୋପାଡ଼ି ଦେଇଥିଲେ ଶବ, ଯୁବତୀଙ୍କ ଭାଇ ସମେତ ୪ ଗିରଫ

ନବରଙ୍ଗପୁର: ପରିବାରର ଇଜ୍ଜତ ପାଇଁ ଅନ୍ଧାର ରାତିରେ ଭଉଣୀର ପ୍ରେମିକକୁ ପିଟିପିଟି ହତ୍ୟା କରିଥିଲା ଭାଇ। ଆଉ ପ୍ରମାଣ ନଷ୍ଟ ପାଇଁ ଶବକୁ ବସ୍ତାରେ ଭର୍ତ୍ତି କରି ରାସ୍ତାରେ ଫୋପାଡ଼ି ଦେଇଥିଲା। କିନ୍ତୁ ସତକୁ ଯେତେ ଲୁଚାଇବାକୁ ଚେଷ୍ଟା କଲେ ମଧ୍ୟ ଲୁଚିଲା ନାହିଁ। ଘଟଣାର ୫ଦିନ ପରେ ଏଭଳି ଚାଞ୍ଚଲ୍ୟକର ଅନର୍ କିଲିଂ ଉପରୁ ପରଦା ଉଠାଇଛି ନବରଙ୍ଗପୁର ପୁଲିସ। ଯୁବତୀଙ୍କ ଭାଇ ସମେତ ୪ଜଣଙ୍କୁ ଗିରଫ କରିଛି।

ନବରଙ୍ଗପୁର ବ୍ଲକ୍‌ ଅନ୍ତର୍ଗତ ଦେଉଳା ଗାଁର ଈଶ୍ବର ପୂଜାରୀ (୨୧) କୋଡ଼ିଙ୍ଗା ଥାନା ଅନ୍ତର୍ଗତ ସରଗିଗୁଡ଼ା ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ତେବେ ଉଭୟଙ୍କ ସଂପର୍କକୁ ସ୍ବୀକୃତି ମିଳିବ ନାହିଁ ବୋଲି ଦୁହେଁ ଆଶଙ୍କା କରି ପରସ୍ପରକୁ ଲୁଚାଛପାରେ ଭେଟୁଥିଲେ। ଗତ ୧୮ତାରିଖ ଦିନ ମଧ୍ୟ ନିଜ ଗାଁ ଠାରୁ ୭କିଲୋମିଟର ଦୂର ସରଗିଗୁଡ଼ା ଗାଁକୁ ପ୍ରେମିକାଙ୍କୁ ଭେଟିବା ପାଇଁ ଈଶ୍ବର ଗାଁରୁ ବାଇକ୍‌ ନେଇ ବାହାରିଥିଲେ। ସାଥୀରେ ଥିଲେ ଡଙ୍ଗରୀଗୁଡ଼ା ଗାଁର ଜଗନ୍ନାଥ ଗୌଡ଼ ଏବଂ ଦେଉଳା ଗାଁର ମନୋଜ ପୂଜାରୀ। ରାତି ପ୍ରାୟ ୯ଟାରେ ସରଗିଗୁଡ଼ାରେ ପହଞ୍ଚିବା ପରେ ଗାଁ ମୁଣ୍ଡରେ ଦୁଇ ସାଙ୍ଗଙ୍କୁ ଛାଡ଼ି ଦେଇ ଈଶ୍ବର ଏକା ଚାଲିଚାଲି ପ୍ରେମିକାର ଘର ନିକଟରେ ପହଞ୍ଚିଥିଲା। ଅନ୍ଧାର ରାତିରେ ସେ ପ୍ରେମିକାର ଘର ଛାତ ଉପରେ ଚଢ଼ି ଯାଇଥିବାବେଳେ ପୂର୍ବରୁ ହିଁ ପ୍ରେମିକା ଅପେକ୍ଷା କରି ରହିଥିଲା। ତେବେ ଛାତ ଉପରେ ଝିଅ ସହ ଈଶ୍ବରକୁ ଦେଖିବା ପରେ ପ୍ରେମିକାଙ୍କ ପରିବାର ଲୋକ ଗୋଡ଼ାଇଥିଲେ। ପ୍ରାଣ ବିକଳରେ ଈଶ୍ବର ଛାତ ଉପରୁ ଡେଇଁ ପଡ଼ିଥିଲେ ମଧ୍ୟ ପ୍ରେମିକାଙ୍କ ସଂପର୍କୀୟଙ୍କ ହାବୁଡ଼ରେ ପଡ଼ି ଯାଇଥିଲା। ଏହାପରେ ପ୍ରେମିକାଙ୍କ ପରିବାର ସଦସ୍ୟ ସୁଧୀର ମାଝୀ, ମଦନ ‌ମାଝୀ, ସଂପର୍କୀୟ ଭାଇ ଟୁନା ମାଝୀ ଓ ଭିଣୋଇ ଈଶ୍ବର ପୂଜାରୀ ପ୍ରମୁଖ ତା’କୁ କାବୁ କରି ନିସ୍ତୁକ ପିଟିଥିଲେ। ଗାଁରେ ଏହି ପ୍ରେମ ସଂପର୍କ ପ୍ରଘଟ ହୋଇଗଲେ ଘରର ଇଜ୍ଜତ ଚାଲିଯିବା ଆଶଙ୍କା କରି ସେମାନେ ଈଶ୍ବରକୁ ଗୋଟିଏ ଶାବଳରେ ଗୋଡ଼କୁ ପିଟିବା ସହ ଧାରୁଆ ଅସ୍ତ୍ରରେ ବାରମ୍ବାର ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଈଶ୍ବରର ପ୍ରାଣ ଚାଲି ଯାଇଥିଲା।

ମାରୁ ମାରୁ ଈଶ୍ବରକୁ ମାରି ଦେବାପରେ ଅଭିଯୁକ୍ତମାନେ ଚିନ୍ତାରେ ପଡ଼ି ଯାଇଥିଲେ। ପ୍ରମାଣ ନଷ୍ଟ କରିବାକୁ ଶବକୁ ଗୋଟିଏ ବସ୍ତାରେ ଭର୍ତ୍ତି କରି ଦୁଇଟି ବାଇକରେ ଆଣି ସାନମସିଗାଁ ଛକରେ ଫୋପାଡ଼ିଥିଲେ। ଯୋଜନା ଥିଲା ଉକ୍ତ ରାସ୍ତା ଦେଇ ବାଲି ବୋଝେଇ ଓ ଭାରରଯାନ ଯାତାୟାତ କରୁଥିବାରୁ କୌଣସି ଗାଡ଼ି ଧକ୍କାରେ ଈଶ୍ବରର ମୃତ୍ୟୁ ହୋଇଥିବା ପୁଲିସ ଅନୁମାନ କରିବ। ହତ୍ୟାକାଣ୍ଡର କୌଣସି ସୁରାକ ମଧ୍ୟ ପୁଲିସକୁ ମିଳିବ ନାହିଁ। ଆଉ ଗାଁକୁ ଫେରି ନଦୀରେ ଗାଧୋଇ ନିଜ ନିଜ ଘରକୁ ଚାଲି ଯାଇଥିଲେ। ସେପଟେ ସାରା ରାତି ସରଗିଗୁଡ଼ା ଗାଁ ମୁଣ୍ଡରେ ଈଶ୍ବରକୁ ଅପେକ୍ଷା କରି ରହିଥିବା ଦୁଇ ବନ୍ଧୁ ମନୋଜ ଓ ଜଗନ୍ନାଥ ଏ ନେଇ ଆଦୌ ଟେର୍ ପାଇ ନଥିଲେ। ପରଦିନ ସକାଳେ ଶବ ମିଳିବା ପରେ ମନୋଜ ଓ ଜଗନ୍ନାଥଙ୍କୁ ଫୋନରେ ଜଣାଇଥିଲେ ଈଶ୍ବରଙ୍କ ଭାଇ। ଉଭୟ ଦେଉଳା ଗାଁକୁ ଯାଇ ଈଶ୍ବରଙ୍କ ପରିବାରକୁ ପୂର୍ବଦିନ ରାତିରେ ସରଗିଗୁଡ଼ା ଗାଁକୁ ଯାଇଥିବା ଜଣାଇଥିଲେ। ନବରଙ୍ଗପୁର ଥାନା ପୁଲିସ ଅଭିଯୋଗ ମିଳିବା ପରେ ଅଭିଯୁକ୍ତ ସୁଧୀର ମାଝୀ, ମଦନ ମାଝୀ, ଟୁନା ମାଝୀ ଓ ଈଶ୍ବର ପୂଜାରୀକୁ ଥାନାକୁ ଆଣି ପଚରାଉଚୁରା କରିଥିଲେ। ଏ ନେଇ ପ୍ରମାଣ ମିଳିବାରୁ ପ୍ରାଥମିକ ତଦନ୍ତ ପରେ କେସ ନଂ ୧୪୬/୨୦ ଓ ଧାରା ୩୦୨, ୨୦୧ରେ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର