ତାଳଚେର : ଅନୁଗୁଳ ଜିଲ୍ଲା ତାଳଚେର ବିକ୍ରମପୁର ଥାନା ଗୋବରା ଗାଁରେ ଶୁକ୍ରବାର ସଂଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ କାର୍ ଧକ୍କାରେ ବୁଢ଼ୀ ମା’ ତାଙ୍କର ଦୁଇ ନାତିଙ୍କର ଜୀବନ ଦୀପ ଲିଭିଯାଇଛି। ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ସୂଚନା ମୁତାବକ, ଗୋବରା ଗ୍ରାମର ପ୍ରମିଳା ପ୍ରଧାନ(୫୫) ଶୁକ୍ରବାର ସଂଧ୍ୟା ପ୍ରାୟ ସାଢ଼େ ୬ଟାବେଳେ ଘରଠାରୁ ଅଳ୍ପଦୂରରେ ଥିବା ଜଳଛତ୍ର କେନ୍ଦ୍ର ମାଠିଆରେ ପାଣି ଭର୍ତ୍ତି କରିବାକୁ ଯାଉଥିଲେ। ପ୍ରମିଳାଙ୍କ ପଛରେ ତାଙ୍କର ଦୁଇ ନାତି ପୂର୍ଣ୍ଣମ୍ ପ୍ରଧାନ (୪) ଓ ଦିବ୍ୟାଂଶୁ ପ୍ରଧାନ(୭) ଯାଉଥିଲେ। ଏହିସମୟରେ ତାଳଚେର ଟାଉନ୍ ଆଡ଼ୁ ଗୋବରା ଗାଁ ଦେଇ ଅନୁଗୁଳ ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ କାର୍ (ଓଡ଼ି-୦୨ବିସି-୩୭୬୫) ସେମାନଙ୍କୁ ଧକ୍କା ଦେଇଥିଲା। କାର୍ଟି ଏତେ ଜୋର୍ରେ ଧକ୍କା ଦେଇଥିଲା ଯେ ଏଥିରେ ପ୍ରମିଳା ଛିଟିକିଯାଇ ଏକ ଇଟାଗଦା ସହ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ପ୍ରମିଳାଙ୍କ ମୃତ୍ୟୁ ଘଟିଥିଲା। ସେହିପରି ତାଙ୍କ ପଛର ଥିବା ଦୁଇ ନାତି ମଧ୍ୟ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ଗର୍ଭବତୀ ପତ୍ନୀ ସହ ସ୍ବାମୀ; ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯାଉଥିଲେ, ଟ୍ରକ୍ ଧକ୍କାଦେଲା
କଣ୍ଟାବାଞ୍ଜି/ଲାଠୋର : ଡାକ୍ତରଖାନାକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ବାଇକ୍ରେ ଯାଉଥିବା ବେଳେ ଟ୍ରକ୍ ଚାପାରେ ଜଣେ ଗର୍ଭବତୀ ଓ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍ ଗଇନ୍ଦିମାଲ ଗାଁ ମାଝୀପଡ଼ାର ଅଶୋକ ମାଝୀ (୨୬) ଓ ତାଙ୍କ ସ୍ତ୍ରୀ ଲଳିତା ମାଝୀ (୨୧)। ସୂଚନା ଅନୁସାରେ, ଅଶୋକ ତାଙ୍କ ସ୍ତ୍ରୀ ଲଳିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଶୁକ୍ରବାର ଲାଠୋର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ବାଇକ୍ ଯୋଗେ ଯାଉଥିଲେ। ଗାଁଠାରୁ ମାତ୍ର ଦୁଇ କିଲୋମିଟର ଗଲା ପରେ ଲାନ୍ଥ ନଦୀ ପାଖରେ ତୁରେକେଲାରୁ ରାୟପୁର ଯାଉଥିବା ଟ୍ରକ (ସିଜି- ୦୪ଜେସି -୬୦୮୫) ସେମାନଙ୍କୁ ପଛପଟୁ ଧକ୍କା ଦେଇ ଚାପିଦେଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କ ଜୀବନ ଚାଲିଯାଇଥିଲା।