ଦୁର୍ଘଟଣାରେ ୫ ମୃତ

ପାଟଣା/ଚାନ୍ଦବାଲି : କେନ୍ଦୁଝର ଓ ଭଦ୍ରକ ଜିଲ୍ଲ‌ାରେ ଘଟିଥିବା ଦୁଇଟି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି।

ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ ନମ୍ବର ଜାତୀୟ ରାଜପଥ ଡିଆନାଳିଠାରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଥିଲା। ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ୩ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତକମାନେ ହେଲେ; କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଆମ୍ବୁଆପଡା ଗ୍ରାମର ତ୍ରିଲୋଚନ ମହାନ୍ତ (୪୪), ପାଟଣା ଥାନା ସରାସକୋଲା ଗ୍ରାମର ରମାକାନ୍ତ ମହାନ୍ତ (୨୯) ଓ ରୁଧିଅପଡ଼ା ଗ୍ରାମର ସୁନୀଲ ଦାସ (୨୬)। ଗୁରୁତର ଆହତ ଜଣକ ହେଲେ ପାଟଣା ଥାନା ପଡ଼ିଆପଶି ଗ୍ରାମର କମଳାକାନ୍ତ ମହାନ୍ତ (୨୮)। ସୂଚନା ଅନୁଯାୟୀ, ତ୍ରିଲୋଚନ ଏବଂ କମଳାକାନ୍ତ ଡିଆନାଳି ଗ୍ରାମର ଏକ ବିବାହ ଉତ୍ସବରେ ଯୋଗଦେଇ ବାଇକରେ ମଲ୍ଲିପଶି ଆଡ଼କୁ ଯାଉଥିଲେ। ଏହି ସମୟରେ ମଲ୍ଲିପଶି ଆଡ଼ୁ ପାଟଣା ନିଆନାଳି ଆଡ଼କୁ ସୁନୀଲ ଓ ରମାକାନ୍ତ ଆସୁଥିଲେ। ନିଆନାଳି ନିକଟରେ ଉଭୟ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

ଅନ୍ୟପଟେ, ମଙ୍ଗଳବାର ରାତି ୯ଟାରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଚାନ୍ଦବାଲି ତାରିଣୀ ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଦୁଇଜଣ ହେଲେ, ମତୋ ମୁସଲିମ ସାହିର ସେକ୍ ଆସଲାମ୍, ସେକ ସକିଲ୍। ଏକ ମୋଟରସାଇକଲ୍‌ରେ କେନ୍ଦ୍ରାପଡ଼ାରୁ ମତୋ ଫେରୁଥିବା ବେଳେ ଚାନ୍ଦବାଲି ତାରିଣୀ ଛକ ନିକଟରେ ଅଜଣା ଗାଡ଼ି ଦୁହିଁଙ୍କୁ ଧକ୍କା ଦେଇଥିଲା।

ସମ୍ବନ୍ଧିତ ଖବର