ବାଇକ୍‌କୁ ଧକ୍କାଦେଲା ଟ୍ରକ୍‌; ବାପା, ମା’, ପୁଅ ସମେତ ୫ ମୃତ

ନୂଆପଡ଼ା/କୋମନା : ନୂଆପଡ଼ା ଜିଲ୍ଲା କୋମନା ୩୫୩ନଂ ଜାତୀୟ ରାଜପଥ କୃଷ୍ଣା ଛକଠାରେ ଟ୍ରକ୍ ଏବଂ ବାଇକ ମଧ୍ୟରେ ମହାଁମୁହିଁ ଧକ୍କା ଯୋଗୁ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଛନ୍ତି ଗୋଟିଏ ପରିବାରର ବାପା,ମା’ ଓ ଶିଶୁପୁତ୍ର। ସେମାନେ ହେଲେ; କୋମନା ଥାନା ସନବାହାଲି ଗାଁର ନୀଳ ମାଝୀ (୨୬), ନୀଳଙ୍କ ଦୁଇ ଭିଣୋଇ ଖଡ଼ିଆଳ ଥାନା ଖନତରି ଗାଁର ରମେଶ ମାଝୀ (୨୬) ଓ ଭିଣୋଇ କୋମନା ଥାନା ହାତୀସରା ଗାଁର ଭଜନ ମାଝୀ (୨୮) ଏବଂ ଭଜନଙ୍କ ପତ୍ନୀ କୁନ୍ତଳା ମାଝୀ (୨୫) ଓ ୩ ବର୍ଷର ଶିଶୁପୁତ୍ର ଦୁର୍ଜନ ମାଝୀ।

ନୀଳ ମାଝୀ ତାଙ୍କ ଭିଣୋଇ ରମେଶ ମାଝୀଙ୍କ ସହ ଭଉଣୀଘର କୋମନା ଥାନା ତରବୋଡ଼ ଫାଣ୍ତି ହାତୀସରା ଗାଁକୁ ଯାଇଥିଲେ। ସେଠାରୁ ଅପରାହ୍ନ ୩ଟାରେ ବାଇକରେ ନୀଳ, ରମେଶ, ଭଜନ, କୁନ୍ତଳା ଓ ଦୁର୍ଜନ ସନବାହାଲି ଗାଁକୁ ଫେରୁଥିଲେ। ଏହି ସମୟରେ ଖଡ଼ିଆଳ ପଟୁ ଯାଉଥିବା ଏକ ମାଲବୋଝେଇ ଟ୍ରକ୍ ସେମାନଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ରମେଶ, ଭଜନ ଓ ନୀଳଙ୍କ ମୃ୍ତ୍ୟୁ ଘଟିଥିଲା। କୁନ୍ତଳା ଓ ତାଙ୍କ ଶିଶୁପୁତ୍ର ଦୁର୍ଜନ ଗୁରୁତର ହୋଇଥିଲେ। ଏହିସମୟରେ ନୂଆପଡ଼ା ଆର୍‌ଟିଓ ସେହି ରାସ୍ତା ଦେଇଯାଉଥିବା ବେଳେ ଗୁରୁତର ମା’-ପୁଅଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ କୋମନା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଦୁର୍ଜନର ମୃତ୍ୟୁ ଘଟିଥିଲା। ଅ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ କୁନ୍ତଳାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କୁନ୍ତଳାଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର