ସୋନପୁର ମହାନଦୀ ସେତୁରେ ଦୁର୍ଘଟଣା: ଟ୍ରକ୍‌-ବଲେରୋ ମୁହାଁମୁହିଁ, ବାପ-ଝିଅ ସମେତ ୫ ମୃତ

ସୋନପୁର/ଉଲୁଣ୍ଡା : ସୋନପୁର ମହାନଦୀ ସେତୁ ଉପ‌ରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଧାନ ବୋଝେଇ ଟ୍ରକ୍‌ (ଓଆର୍‌ ୧୫ ଜି ୧୨୮୯) ଏବଂ ଏକ ବଲେରୋ (ଓଡି ୩୧ ଏଫ୍ ୧୮୭୦) ମୁହାଁମୁହିଁ ଧକ୍କା ‌ହେବାରୁ ବାପ-ଝିଅ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ଉଲୁଣ୍ଡା ଥାନା ନିମ୍ନା ଗାଁର ପ୍ରଦୀପ୍ତ ପାଣ୍ଡିଆଙ୍କ ପୁଅ ମନୀଷଙ୍କ ବାହାଘର ବିନିକା ଥାନା କଉଡ଼ିଆମୁଣ୍ଡା ଗାଁରେ ଶୁକ୍ରବାର ଥିଲା। ଏହି ବଲେରୋରେ ପ୍ରାୟ ୧୦ ଜଣ ବରଯାତ୍ରୀ କଉଡ଼ିଆମୁଣ୍ଡା ଯାଇଥିଲେ। ସେଠାରୁ ଭୋଜି ଖାଇ ବିଳମ୍ବିତ ରାତିରେ ଫେରିବା ସମୟରେ ମହାନଦୀ ସେତୁରେ ବଲେରୋ ଏବଂ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ମନୀଷଙ୍କ କାକା ଉଲୁଣ୍ଡା ଥାନା ପଞ୍ଚମହଲା ଗାଁର ଆଶିଷ ପାଣ୍ଡିଆ(୪୪ବର୍ଷ), ଆଶିଷଙ୍କ ଝିଅ ଆଲିନା ଓରଫ୍‌ ସିଦ୍ଧି (୧୧ବର୍ଷ), ଆଶିଷଙ୍କ ପୁତୁରା ଶୁଭମ ପାଣ୍ଡିଆ(୧୭ବର୍ଷ), ପ୍ରମୋଦ ପାଣ୍ଡିଆ (୪୮ବର୍ଷ), ନିମ୍ନା ଗ୍ରାମର ତ୍ରୟମ୍ବକ ମେହେର (୪୫ବର୍ଷ)ଙ୍କ ଘଟଣାସ୍ଥଳରେ ବଲେରୋରେ ଚାପି ହୋଇ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ଡୁଙ୍ଗୁରିପାଲି ଥାନା ତମାମୁରା ଗ୍ରାମର ପ୍ରମୋଦ ହୋତା, ଉଲୁଣ୍ଡା ଥାନା ବଢାଲି ଗ୍ରାମର ମାଧବ ପୁରୋହିତ, ପଞ୍ଚମହଲା ଗ୍ରାମର ଆଲିଶା ଓରଫ ସିଲକି (ମୃତ ଆଶିଷ ପାଣ୍ଡିଆଙ୍କ ଝିଅ), ନିମ୍ନା ଗ୍ରାମର ଓମପ୍ରକାଶ ପାଣ୍ଡିଆ, ପଞ୍ଚମହଲା ଗ୍ରାମର ଅମିନ ବାଘ ପ୍ରମୁଖ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ବୁର୍ଲା‌ ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣା ପରେ ଖବର ପାଇ ସୋନପୁର ପୁଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍‌ କଟରରେ କାଟି ବଲେରୋ ମଧ୍ୟରୁ ମୃତ ଏବଂ ଆହତଙ୍କୁ ବାହାର କରିଥିଲେ।

ସମ୍ବନ୍ଧିତ ଖବର