ଟାଙ୍ଗୀ : ଦୋଳଯାତ୍ରାରେ ଆୟୋଜନ ହେବ ଆତସବାଜି ପ୍ରତିଯୋଗିତା। ଏଥିପାଇଁ କାହିଁରେ କେତେ ଉତ୍ସାହ। ଏହାକୁ ଦୃଷ୍ଟିରେ ରଖି ବାଣ ଭିଡ଼ୁଥିବା ବେଳେ ଭୟଙ୍କର ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଆଖିପିଛୁଳାକେ ୫ ଜଣଙ୍କ ଜୀବନ ଚାଲିଗଲା। ଅନ୍ୟ ୨ଜଣ ଏବେ ଗୁରୁତର। ସେମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଘଟିଥିବା ଏହିଭଳି ଏକ ଘଟଣା କେବଳ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳର ଭୂଷଣ୍ଡପୁର ଗାଁ ନୁହେଁ, ସାରାରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ବାଣ ବିସ୍ଫୋରଣ ଜନିତ ଘଟଣା ଏହିଭଳି କେତେ ଜୀବନ ନେବ, ତାହାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଇଛି।
ମୃତକମାନେ ହେଲେ, ଟାଙ୍ଗୀ ଥାନା ଭୂଷଣ୍ଡପୁରର ନିରଞ୍ଜନ ବେହେରା, ବ୍ରଜ ବେହେରା, ନିରାକାରପୁର ଥାନା ଅଧୀନସ୍ଥ ପାଣ୍ଡବ ପାଟଣାର ସହଦେବ ବେହେରା ଏବଂ କଣାସ ଥାନା ଅଧୀନସ୍ଥ ବାଦୁରାବରର ବୃନ୍ଦାବନ ସାହୁ, ଦୋଳଗୋବିନ୍ଦ ବେହେରା। ଦୋଳଗୋବିନ୍ଦଙ୍କର କଟକ ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଘଟଣାସ୍ଥଳରେ ଜୀବନ୍ତ ଦଗ୍ଧୀଭୂତ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଅନ୍ୟ ଦୁଇଜଣ ମହେଶ୍ବର ବେହେରା ଓ ସୁଦର୍ଶନ ବେହେରା ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।
ଏହି ମୃତାହତମାନେ ଆସନ୍ତାକାଲି ଭୂଷଣ୍ଡପୁରରେ ହେବାକୁ ଥିବା ଆତସବାଜି ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଭୂଷଣ୍ଡପୁରର ଚିଲିକାକୂଳ ମନ୍ଦିର ନିକଟରେ ବାଣ ତିଆରି କରୁଥିଲେ। ମନ୍ଦିରର କୋଠଜାଗାରେ ଭୂଷଣ୍ଡପୁର ମଙ୍ଗଳା ସାହିର ବାଣବେପାରୀ ହଟ ବେହେରା ନିର୍ମାଣ କରିଥିବା ଏକ ଆଜ୍ବେଷ୍ଟସ୍ ଘରେ ବାଣ ଭିଡ଼ା ଚାଲିଥିଲା। ଏଥିରେ ସେ ନିଜ ଦୁଇପୁଅଙ୍କ ସମେତ ମୋଟ ୭ ଜଣ କାମରେ ଲାଗାଇଥିଲେ। ସେମାନଙ୍କ ମଧ୍ୟରୁ ଘର ଭିତରେ ଥିବା ବାରୁଦ ଗଦା ନିକଟରେ ଚାରିଜଣ ବାଣ ଭିଡ଼ୁଥିଲେ। ସେହି ସମୟରେ ହଠାତ୍ ଘର ଭିତରୁ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ବୋଧହୁଏ ଆଜ୍ବେଷ୍ଟସ୍ ମାତ୍ରାଧିକ ଗରମ ହେବାଯୋଗୁ ବାରୁଦ ତାତି ଯାଇଥିଲ। ସେଥିପାଇଁ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସଂପୃକ୍ତ ଆଜ୍ବେଷ୍ଟସ୍ ଘରର ଛାତ ସଂପୂର୍ଣ୍ଣ ଛାରଖାର ହୋଇଯାଇଥିଲା। ଚାରିଟି ଯାକ କାନ୍ଥ ଫାଟି ଯାଇଥିଲା। ଢେର ସମୟ ପର୍ଯ୍ୟନ୍ତ ଏହି ଆଜବେଷ୍ଟସ୍ ଘରେ ନିଆଁ ହୁତୁହୁତୁ ହୋଇ ଜଳୁଥିଲା। ଏଥିସହିତ, ଘର ଭିତରେ ଥିବା ଚାରିଜଣ ବାଣଭିଡ଼ାଳି ପୋଡ଼ି କାଠ ହୋଇଯାଇଥିଲେ। ପୂରାପୂରି ଜୀବନ୍ତ ଦଗ୍ଦ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ।
/sambad/media/post_attachments/wp-content/uploads/2023/03/bhusundapur-blast-750x430.jpg)
ବିସ୍ଫୋରଣରେ ୩ ଜଣ ମଧ୍ୟ ପୋଡ଼ିହୋଇ ଗୁରୁତର ହୋଇଯାଇଥିଲେ। ସେମାନଙ୍କୁ ପ୍ରଥମେ ଖୋର୍ଦ୍ଧା ସରକାରୀ ଡାକ୍ତରଖାନାର ଭର୍ତ୍ତି କରାଯାଇଥିଲା। ପରେ ଦୁଇଜଣଙ୍କ ଭୁବନେଶ୍ବର ଏମ୍ସ ଏବଂ ଜଣକୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଦୋଳ ଉତ୍ସବ ପୂର୍ବରୁ ଏହିଭଳି ଘଟଣାରେ ସ୍ତବ୍ଧ ହୋଇଯାଇଥିଲେ ସ୍ଥାନୀୟ ଲୋକେ। ବିସ୍ଫୋରଣ ଶବ୍ଦ ଏତେ ଜୋର୍ ଥିଲା ଯେ ଆଖପାଖ ଅଞ୍ଚଳ ବି ଥରି ଉଠିଥିବା ସ୍ଥାନୀୟ ଅଧିବାସୀ କହିଛନ୍ତି।
ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଖୋର୍ଦ୍ଧା ଏସ୍ପି ସିଦ୍ଧାର୍ଥ କାଟାରିଆ, ଉପଜିଲ୍ଲାପାଳ,ଟାଙ୍ଗୀ ବିଡିଓ ଐଶ୍ୱର୍ଯ୍ୟା ସାମନ୍ତରାୟଙ୍କ ସମେତ ସମଗ୍ରଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିଛନ୍ତି। ଘଟଣାର ଅଧିକ ତଦନ୍ତ ପାଇଁ ପୁରୀରୁ ଏକ ଫୋରେନନ୍ସିକ୍ ଟିମ୍ ଘଟଣା ପରିଦର୍ଶନ କରିଛନ୍ତି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ଲାଗି ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଆସନ୍ତାକାଲିର ଦୋଳଯାତ୍ରାକୁ ଦୃଷ୍ଟିରେ
ରଖି ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଦିଆଯାଇଛି।
ଅନ୍ୟପକ୍ଷରେ, ସ୍ଥାନୀୟ ଅଞ୍ଚଳରେ ବେଆଇନ ଭାବେ ବାଣଭିଡ଼ା ହେଉଥିବା କଥା ଜାଣି ମଧ୍ୟ ପୁଲିସ କାହିଁକି ପଦକ୍ଷେପ ଗ୍ରହଣ କରୁନଥିଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ତେବେ, ଏଠାରେ ବାଣ ଭିଡ଼ିବା ପାଇଁ କୌଣସି ସରକାରୀ ଅନୁମତି ନିଆଯାଇ ନଥିବା ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବାଣ ତିଆରି ପାଇଁ କଞ୍ଚାମାଲ କେଉଁଠୁ ଆସିଥିଲା ତାର ତଦନ୍ତ ହେବ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/bhusundapur-blast2.jpg)