ବସ୍ତା/ଭଦ୍ରକ/ଚାନ୍ଦବାଲି/ବେତନଟୀସଦର: ବାଲେଶ୍ବର, ଭଦ୍ରକ ଓ ମୟୂରଭଂଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଧବାର ଅପରାହ୍ଣରେ ବଜ୍ରପାତ ହୋଇଛି। ଏହି କାରଣରୁ ୨ ଜଣ ମହିଳାଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ଜଣ ଲୋକ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ବ୍ୟକ୍ତିଙ୍କ ମଧ୍ୟରେ କିଛି ଶ୍ରମିକ ଅଛନ୍ତି। ଉତ୍ତର ଓଡ଼ିଶାରେ ଆଜି ଅପରାହ୍ଣ ଠାରୁ ବର୍ଷା ଲାଗି ରହିଛି।
ସୂଚନା ଅନୁସାରେ ବିଲରେ କାମ କରୁଥିବା ବେଳେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ତିନୋଟି ସ୍ଥାନରେ ବଜ୍ରାଘାତ ଘଟିଛି। ଏଥିରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି। ଉତୁକୁଡ଼ା ପଂଚାୟତ ସିଙ୍ଗିଟି ଗ୍ରାମରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଖେରଙ୍ଗ ପଂଚାୟତରେ ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ଏଠାରେ ୩ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ସମସ୍ତ ଗୁରୁତରଙ୍କୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ସେହିପରି ଉତୁକୁଡ଼ା ପଂଚାୟତର ସିଙ୍ଗିଟି ଗ୍ରାମରେ ମୟୁରଭଞ୍ଜ ଜିଲ୍ଲାରୁ କୃଷିକାର୍ଯ୍ୟ ପାଇଁ ଆସିଥିବା ମା ଓ ଝିଅଙ୍କ ମଧ୍ୟରୁ ବଜ୍ରାଘାତରେ ମା ଘୁମୁନା ସିଂଙ୍କର ମୃତ୍ୟୁ ହୋଇଥିବା ବେଳେ ଝିଅ ସିମା ଗୁରୁତର ଆହତ ହୋଇଛନ୍ତି। ଖେରଙ୍ଗ ପଂଚାୟତରେ ପ୍ରଫୁଲ ମାଝୀଙ୍କ ପୁଅ ପ୍ରତାପ ମାଝୀ ବଜ୍ରାଘାତରେ ମୃତ୍ୟୁ ଘଟିଛି। ମୈସୁଧା ପଂଚାୟତ ଫାର୍ସିବନ୍ଦ ଗାଁରେ ଧନେଶ୍ଵର ବାରିକ ଓ ସୁମନ୍ତ ସାହୁ ବଜ୍ରାଘାତରେ ଗୁରୁତର ଆହତ ହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।
ସେହିପରି ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଟିକିରାପଡ଼ା ଗ୍ରାମରେ ବଜ୍ରାଘାତରେ ତିନି ମୃତ ଓ ଛଅରୁ ଅଧିକ ଗୁରୁତର ହୋଇଥିବା ପ୍ରାଥମିକ ସୂଚନାରୁ ଜଣାଯାଇଛି। ଏହି ମୃତ୍ୟୁ ଓ ଆହତଙ୍କ ସଂଖ୍ୟା ବଢ଼ିବାର ଆଶା କରାଯାଉଛି। ଆଜି ଅପରାହ୍ନ ତିନିଟା ପରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଆରମ୍ଭ ହୋଇଥିବା ବେଳେ ଚାଷଜମିରେ କାମକରୁଥିବା ଶ୍ରମିକ ମାନେ ବିଲରୁ ଉଠି ଏକ ଗଛମୂଳରେ ଆଶ୍ରୟ ନେଇଥିଲେ। ହଠାତ୍ ଗଛରେ ବଜ୍ରାଘାତ ହେବାରୁ ତିନି ଜଣଙ୍କ ଘାଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଛଅ ଜଣରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ଅଣାଯାଇଥିଲା। ପୁଣି କିଛି ଗୁରୁତରଙ୍କୁ ଡାକ୍ତରଖାନାକୁ ଅଣାଯାଉଥିବା ବେଳେ ଗୁରୁତର ସଂଖ୍ୟା ଧୀରେ ଧୀରେ ବୃଦ୍ଧି ହେବାର ଅନୁମାନ କରାଯାଉଛି। କିଛି ଗୁରୁତରଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ବଜ୍ରପାତରେ ମହାଦେବ ସରାଇ ଗ୍ରାମର କାନୁ ମୁର୍ମୁ, ପଣିସା ପଡ଼ା ଗ୍ରାମର ମକରା ନନ୍ଦ ବେହେରା, ବେଲଗାଁର ଶମ୍ଭୁନାଥ ସାହୁ (୩୦) ଓ ସୁଲେମାନପୁର ଗ୍ରାମର ଗୋପାଳ ବିନ୍ଧାଣିଙ୍କ ମୃତ୍ୟୁ ହୋଇଥିଲା ବେଳେ ଦସରାପଦା, ମହାଦେବ ସରାଇ, ମାଛିଆ ଓ ଟିକରାପଡା ଗ୍ରାମରେ ମୋଟ ୫ ଜଣ ଗୁରୁତର ଓ ଆହତଙ୍କୁ ବସ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରମାନଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଯାଇଛି। ମୃତ ପରିବାରକୁ ଖୁବଶୀଘ୍ର ସରକାରୀ ସହାୟତା ଯୋଗାଇଦେବା ପାଇଁ ସାଧାରଣରେ ଦାବି କରାଯାଇଛି।
ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ପୁରୁଣିଆ ପଞ୍ଚାୟତର ହରିପୁର ଗ୍ରାମରେ ବଜ୍ରାଘାତରେ ବୁଧବାର ଅପରାହ୍ନରେ ଜଣେ ୪୨ ବର୍ଷୀୟା ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ମହିଳା ଗୁରୁତର ଅଛନ୍ତି। ମୃତା ମହିଳା ଜଣକ ହେଉଛନ୍ତି କୁଆମରାସ୍ଥିତ ବଡକ୍ଷୀରପଦା ଗ୍ରାମର ସ୍ବର୍ଗତ ବାବୁଲା ସିଂର ସ୍ତ୍ରୀ ଟୁନି ସିଂ ଓ ଗୁରୁତର ଜଣକ ହେଲେ ହରିପୁର ଗ୍ରାମର ବାସନ୍ତୀ ସିଂ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/thundershower.jpg)