ବଜ୍ରପାତରେ ୫ ମୃତ

ସୁକିନ୍ଦା/ଢିଙ୍କିକୋଟ୍‌/ଛେଣ୍ଡିପଦା : ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁ ବୁଧବାର ଦିନ ୫ଜଣ ପ୍ରାଣ ହରାଇଛନ୍ତି। ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ପଲାଶଖଳି, ବିରିଗଡ଼ା ଗ୍ରାମରେ ବଜ୍ରପାତରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ସେହିପରି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ବଜ୍ରପାତ ଘଟି ୨ ମହିଳାଙ୍କର ମୃତ୍ୟୁ ହୋଇଛି। ସେହିଭଳି, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗାଁର ଚାଷୀ ସଂଜୟ ବେହେରା (୪୫)ଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ସୁକିନ୍ଦା ଥାନା ଅନ୍ତର୍ଗତ ବିରିଗଡ଼ା ଗ୍ରାମର ଜଙ୍ଗା ମୁଣ୍ଡାଙ୍କ ପୁଅ ଆକାଶ(୧୪) ଓ ପଳାଶଖଳି ଗ୍ରାମର ସ୍ବର୍ଗତ ରଘୁନାଥ ସଏଙ୍କ ପତ୍ନୀ ଶାନ୍ତି ଏବଂ ଘଟଗାଁ ଥାନା ଅନ୍ତର୍ଗତ ସାନ୍ତରାପୁର ଗ୍ରାମର ହୀରାମଣି ମୁଣ୍ଡା ଓ ବିନତି ମୁଣ୍ଡା ବଜ୍ରପାତରେ ପ୍ରାଣ ହରାଇଛନ୍ତି। ଆଜି ଅପରାହ୍ନ ୩ଟାବେଳେ ସୁକିନ୍ଦା ଅଞ୍ଚଳରେ ପ୍ରଚଣ୍ଡ ବଜ୍ରପାତ ହୋଇଥିଲା। ଏହିସମୟରେ ବିରିଗୋଡ଼ା ଗ୍ରାମର ଆକାଶ ମୁଣ୍ଡା ଛେଳି ଚରାଉଥିଲେ। ବଜ୍ରାଘାତରେ ଆକାଶ ଓ ତାଙ୍କ ଛେଳି ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ପଳାଶଖଳିର ଶାନ୍ତି ସଏ ବିଲକୁ ଯାଇ ଫେରୁଥିବା ସମୟରେ ବଜ୍ରପାତ ହୋଇଥିଲା।‍ ଫଳରେ, ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ବଜ୍ରପାତରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ, ସାନ୍ତରାପୁର ଗ୍ରାମର ହୀରାମଣି ମୁଣ୍ଡା (୬୫) ଓ ବିନତି ମୁଣ୍ଡା (୩୫)। ଆଜି ଅପରାହ୍ନରେ ହୀରାମଣି ଓ ବିନତି ଛେଳି ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଏହିସମୟରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ମାରିଥିଲା। ଦୁଇଜଣ ଜଙ୍ଗଲରେ ଏକ ପଥର ଖୋଲରେ ଆଶ୍ରୟ ନେଇଥିଲେ। ବଜ୍ରପାତରେ ଉଭୟ ସେଠାରେ ଟଳି ପଡ଼ିଥିଲେ।

ସେହିପରି, ଛେଣ୍ଡିପଦା ଥାନା କୋଶଳା ଗାଁର ଚାଷୀ ସଂଜୟ ଆଜି ଅପରାହ୍ନ ପ୍ରାୟ ୪ଟାବେଳେ ଧାନତଳି ପଡ଼ିଥିବା ତାଙ୍କ ବିଲ ଦେଖିବାକୁ ଯାଇଥିଲେ। ଏହି ସମୟରେ ଘଡ଼ଘଡ଼ି ସହ ଜୋର୍‌ ଅସରାଏ ବର୍ଷା ହୋଇଥିଲା। ଏତିକିବେଳେ ସଂଜୟଙ୍କ ଉପରେ ବଜ୍ରପାତ ହେବାରୁ ସେ ଗୁରୁତର ଆହତ ହୋଇ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ କୋଶଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ‌ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର