ଯାଜପୁର : ୫ ଡିଲରଙ୍କୁ ବିଦାକଲା ପ୍ରଶାସନ, ଭୋକିଲାଙ୍କ ହଡ଼ପ ଚାଉଳ ମିଳିବ କେବେ?

ରିଲିଫ ଚାଉଳ ବିକ୍ରି ଘଟଣାରେ ୩ ଏମ୍‌ଆଇଙ୍କ ତଦନ୍ତ

ଯାଜପୁର/ବୈତରଣୀରୋଡ/କୋରେଇ : ଗିଳି ଦେଇଥିଲେ ଭୋକିଲାଙ୍କ ରାସନ ଓ ରିଲିଫ। ଏବେ ଓକାଳିବାକୁ ବାଟ ପାଉନାହାନ୍ତି। ପଦାରେ ପଡ଼ିବା ପରେ ପ୍ରଶାସନ ଚଳାଇଛି ତଦନ୍ତ। ପ୍ରଥମପାଳିରେ ପାଞ୍ଚ ପାଞ୍ଚ ଜଣ ଡିଲରଙ୍କୁ ହଟାଇ ଦିଆଯାଇଛି। ବଡ଼ମୁଣ୍ଡକୁ ଖସାଇ ଦେବାକୁ ଏହା ଚାଲ୍‌ ନୁ‌ହେଁ ତ ବୋଲି ପ୍ରଶ୍ନ ଉଠିଛି। ଏପରିକି ଗୋଟିଏ ଗୋଟିଏ ଜାଗାକୁ ତିନି ତିନି ଏମ୍‌ଆଇ ‌ଗସ୍ତ କରି ତଦନ୍ତ କରୁଛନ୍ତି। ତଦନ୍ତରୁ ଯାହା ମିଳୁ ନମିଳୁ ଭୋକିଲାଙ୍କୁ ମିଳିନାହିଁ ହଡ଼ପ ଚାଉଳ। କେବେ ମିଳିବ ଚାଉଳ ଚାହିଁ ବସିଛନ୍ତି ଗରିବ ପଡ଼ିକାର୍ଡଧାରୀ। ଯାଜପୁର ଜିଲ୍ଲାର ରାସନ କେଳେଙ୍କାରୀ ସମ୍ପର୍କରେ ‘ସମ୍ବାଦ’ରେ ଲଗାତର ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପରେ ବ୍ୟତିବ୍ୟସ୍ତ ପ୍ରଶାସନର ଶେଷରେ ଚେତା ପଶିଛି। ରାସନ କେଳେଙ୍କାରୀକୁ ଜଗିବା ପାଇଁ ଗଠନ ହୋଇଛି ସ୍କ୍ବାଡ୍‌।

ଯାଜପୁର ଜିଲ୍ଲାର ଶହଶହ ଗରିବ ଲୋକଙ୍କର ପଡ଼ିକାର୍ଡରେ ଶହ ଶହ କୁଇଣ୍ଟାଲ ରାସନ ହଡ଼ପ ଚାଲିଥିଲା। ଏବେ କରୋନା ଲକ୍‌ଡାଉନ୍‌ ସମୟରେ ଜୀବିକା ହରାଇଥିବା ଭୋକିଲା ଲୋକଙ୍କ ଦୁର୍ବିଷହ ଜୀବନ ନେଇ ‘ସମ୍ବାଦ’ରେ ଲଗାତର ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇବା ପରେ ରାସନ କେଳେଙ୍କାରୀ ଉପରୁ ପରଦା ହଟିଛି। ଏପରିକି ରିଲିଫ ଚାଉଳ ହଡ଼ପ କରି ଧରାପଡ଼ିବାରୁ କିଲୋ ପିଛା ୧୮ଟଙ୍କା‌ କାର୍ଡଧାରୀଙ୍କୁ ବାଣ୍ଟିବା ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ପାଇଁ କେରେଇ ବ୍ଲକ୍‌ ଗୌରପୁର ପଞ୍ଚାୟତର ମଙ୍ଗଳପୁର ଡିଲର ରାମଚନ୍ଦ୍ର ତରାଇଙ୍କୁ ନିଲମ୍ବିତ କରାଯାଇଛି। ସେହିପରି ଜହ୍ନା ପଞ୍ଚାୟତର ଡିଲର ସୁରେନ୍ଦ୍ର ପଣ୍ଡା, ଦାନଗଦୀ ବ୍ଲକର ଜଣେ ଡିଲର, ଧର୍ମଶାଳାର ଆରୁଆ ପଞ୍ଚାୟତ ଅନ୍ତର୍ଗତ କୋହ୍ଲ ଗାଁର ରାସନ ଓ ସହାୟତା ରାଶି ହଡ଼ପ କରିଥିବା ଡିଲର ପ୍ରସନ୍ନ ସାହାଣୀଙ୍କୁ ନିଲମ୍ବନ କରାଯାଇଛି। ଏହିାପୂର୍ବରୁ ବରୀ ବ୍ଲକ୍‌ର ବାଲିବିଲି ପଞ୍ଚାୟତର ଡିଲରଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ବୋଲି ଯୋଗାଣ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।

ପ୍ରକାଶଥାଉକି, କୋରେଇ ବ୍ଲକ୍ ରଣପୁର ପଞ୍ଚାୟତର ସାଆଁଳା ଗ୍ରାମର ଭୋକିଲା ଲୋକଙ୍କ ୩ମାସର ରିଲିଫ ଓ ମାସ ମାସ ଧରି ରାସନ ସାମଗ୍ରୀ ହଡ଼ପର ପର୍ଦ୍ଦାଫାସ ହେବା ପରେ ଉପଜିଲ୍ଲାପାଳଙ୍କ ନିର୍ଦେଶରେ ଆଜି ୩ବ୍ଲକ୍‌ର ଯୋଗାଣ ଅଧିକାରୀ ତଦନ୍ତ କରିଛନ୍ତି। ତଦନ୍ତକାରୀ ଅଧିକାରୀମାନେ ରଣପୁର ପଞ୍ଚାୟତର ସାଆଁଳା ଗାଁ ଓ ଗୌରପୁର ପଞ୍ଚାୟତର ମଙ୍ଗଳପୁର ଗାଁରେ ପହଞ୍ଚି ଲୋକମାନଙ୍କୁ ଭେଟି ତଦନ୍ତ କରିଛନ୍ତି। ସାଆଁଳା ଗାଁର ଶତାଧିକ କାର୍ଡଧାରୀଙ୍କ ୬ ମାସରୁ ଊର୍ଦ୍ଧ୍ବ ସମୟର ରାସନ ସାମଗ୍ରୀ ସହ କରୋନା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଥିବା ୩ ମାସର ରିଲିଫ୍ ଚାଉଳକୁ ରିଟେଲର ହଡ଼ପ କରିଥିବା ଗ୍ରାମବାସୀ ଯୋଗାଣ ଅଧିକାରୀମାନଙ୍କ ନିକଟରେ ଅଭିଯୋଗ କରିଥିଲେ। ଆଜି ସୁକିନ୍ଦା ବ୍ଲକ୍ ଯୋଗାଣ ଅଧିକାରୀ ଦେବାଶିଷ କର, ଦାନଗଦୀ ବ୍ଲକ ଯୋଗାଣ ଅଧିକାରୀ ରାଜଲକ୍ଷ୍ମୀ ପାତ୍ର ଓ ରସୁଲପୁର ବ୍ଲକ ଯୋଗାଣ ଅଧିକାରୀ ଟୁନାରାଣୀ ସାହୁଙ୍କ ସହ କୋରେଇ ବ୍ଲକ୍ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ନାୟକ ସାଆଁଳା ଓ ମଙ୍ଗଳପୁର ଗ୍ରାମରେ ପହଞ୍ଚି ରିଟଲେରଙ୍କ ଅନୁପସ୍ଥିତରେ ଅଭିଯୋଗକାରୀଙ୍କ ରାସନ କାର୍ଡ ଯାଞ୍ଚ କରିବା ସହ ରାସନ ଓ ରିଲିଫ୍ ଚାଉଳ ପାଇନଥିବା ସମ୍ପର୍କରେ ପଚାରି ବୁଝିଥିଲେ। ଯାଞ୍ଚ ସମୟରେ କାର୍ଡଧାରୀମାନେ କେବେ ଏବଂ କିପରି ଚାଉଳ ପାଇବେ ବୋଲି ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ସେମାନଙ୍କୁ କେବଳ ତଦନ୍ତ କରିବା ପାଇଁ କୁହାଯାଇଛି। ତଦନ୍ତ ରିପୋର୍ଟ ମିଳିବା ପରେ ଉପରିସ୍ଥ ଅଧିକାରୀମାନେ ବିଚାର କରିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର