ବୀରମହାରାଜପୁର: ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଭୁତିଆପାଲି ଓ ଲୁତୁରପଙ୍କ ମଝିରେ ଥିବା ଘୁଙ୍ଗିନାଳ ପୋଲ ଉପରେ ପୁଣି ବନ୍ୟାଜଳ ପ୍ରବାହିତ ହୋଇଛି। ଉକ୍ତ ପୋଲ ଉପରେ ପ୍ରାୟ ୫ଫୁଟର ବନ୍ୟାଜଳ ପ୍ରବାହିତ ହୋଇଛି। ଫଳରେ ବୀରମହାରାଜପୁରରୁ ଅମରପାଲିକୁ ଯୋଗାଯୋଗ ବିଚ୍ଛିର୍ଣ୍ଣ ରହିଛି। ଗତ ଦୁଇ ଦିନ ହେଲା ଲଗାଣ ବର୍ଷା ଯୋଗୁଁ ଆଜି ପୁଣି ଭୁତିଆପାଲି-ଲୁତୁରପଙ୍କ ମଝିରେ ଥିବା ଘୁଙ୍ଗିନାଳ ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି।ଫଳରେ ଉଭୟ ପାର୍ଶ୍ବରେ ଗାଡିମଟର ଅଟକି ରହିଛି। ପୋଲଟି କମ ଉଚ୍ଚତା ଯୋଗୁଁ ବନ୍ୟାଜଳ ପୋଲ ଉପରେ ପ୍ରବାହିତ ହେଉଛି। ବୀରମହାରାଜପୁରରୁ ବହଲପଦର, ଦୁର୍ଜନତୈଲା ଓ ଲୁତୁରପଙ୍କ ପଞ୍ଚାୟତର ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଗ୍ରାମ ସମେତ ଖଣ୍ଡହତା ପଞ୍ଚାୟତର କେତେକ ଗ୍ରାମ, ରେଢାଖୋଲ ବ୍ଲକର ବିଭିନ୍ନ ପଞ୍ଚାୟତର ଲୋକେ ମଧ୍ୟ ନାହିଁ ନ ଥିବା ହଇରାଣ ହୋଇଛନ୍ତି।
ବୀରମହାରାଜପୁରରୁ ଯୁଯୁମୁରା-ସମ୍ବଲପୁରକୁ ଯାତାୟତରେ ବାଧାପ୍ରାପ୍ତ ଦେଖାଦେଇଛି। ସାଧାରଣ ଲୋକେ, ବ୍ୟବସାୟୀମାନେ ବୀରମହାରାଜପୁରକୁ ଯିବା ଆସିବା କରି ପାରି ନାହାନ୍ତି। ଉକ୍ତ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ସକାଳୁ ମୁର୍ଷୁଣ୍ଢିରୁ ଯୁଯୁମୁରା ଦେଇ ସମ୍ବଲପୁର ଯାଉଥିବା ବସ, ଚଳାଚଳ ବାଧାପ୍ରାପ୍ତ ହୋଇଛି। ବୀରମହାରାଜପୁରର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ୍ ସୁଲିଆଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ସୋମବାର ୩୫ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ମଙ୍ଗଳବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ଭିତରେ ୫୬ ମିଲିମିଟର ବର୍ଷା ହୋଇଛି। ଏବେ ମଧ୍ୟ ବର୍ଷା ଲାଗି ରହିଛି ଫଳରେ ଘୁଙ୍ଗି ନାଳ ଉପରେ ଆହୁରି ବନ୍ୟାଜଳ ଆସିପାରେ ବୋଲି ଅନୁମାନ କରାଯାଉଛି।
ବନ୍ୟା ଯୋଗୁଁ ଆମ୍ବୁଲାନ୍ସ ମଧ୍ୟ ଉକ୍ତ ପୋଲ ଦେଇ ଯାଇ ପାରି ନାହିଁ। ପ୍ରାୟ ତିନି ବର୍ଷ ପୂର୍ବରୁ ପୂର୍ତ୍ତ ବିଭାଗ ତରଫରୁ ଉକ୍ତ ପୋଲ କାମ କରିବା ପାଇଁ ଟଙ୍କା ମଞ୍ଜୁର ହୋଇ ଟେଣ୍ଡର ମଧ୍ୟ ସରିଥିଲା। ଠିକା ସଂସ୍ଥା ଉକ୍ତ ପୋଲ କାମ ଆରମ୍ଭ କରିଥିଲେ ମଧ୍ୟ ଜମି ବିବାଦ ଯୋଗୁଁ ଅଧାରେ କାମ ଛାଡି ଫେରାର ହୋଇଛି। ଏପଟେ ପୂର୍ତ୍ତ ବିଭାଗ ମଧ୍ୟ ଏଥିପ୍ରତି କୌଣସି ଗୁରୁତ୍ବ ନ ଦେଇ ଚୁପ ରହିଛି। ତେଣୁ ସାମାନ୍ୟ ବର୍ଷା ହେଲେ ମଧ୍ୟ ଉକ୍ତ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଇଥାଏ। ତେଣୁ ଅଂଚଳବାସୀ ହଇରାଣ ହୋଇଥାନ୍ତି। ସେହିପରି ବର୍ଷା ଯୋଗୁଁ ଉକ୍ତ ଘୁଙ୍ଗି ନାଳର ଲୁତୁରପଙ୍କ-ଘଣ୍ଟପାଲି ମଝିରେ ଥିବା ପୋଲ ଉପରେ ମଧ୍ୟ ଚାରି ଫୁଟର ବନ୍ୟାଜଳ ପ୍ରବାହିତ ହୋଇଛି। ବନ୍ୟା ଜଳ ରାସ୍ତା ବନ୍ଦ ହୋଇଥିବା ବେଳେ ୪ଟି ପଞ୍ଚାୟତକୁ ବିଦ୍ୟୁତ୍ ଯୋଗାଣ ବନ୍ଦ ରହୁଥିବାରୁ ଜନ ସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/2d6e0558-ab10-40cc-ac50-11e0aae5cb25.jpg)