‘ମ’ ଓ ’ନ’ର ୫-ମ, ୫-ନ ଫର୍ମୁଲା ଗ୍ରହଣ କର: ସୌମ୍ୟରଂଜନ

ଗଞ୍ଜାମ, କନ୍ଧମାଳ ଜିଲ୍ଲାର ୧୩୬ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

ବ୍ରହ୍ମପୁର: କେବଳ ସଫଳ ହେଲେ ହେବ ନାହିଁ, ସମାଜରେ ଭଲ ମଣିଷ ହେବା ନିହାତି ଦରକାର। କଠିନ ପରିଶ୍ରମ ବଳରେ ମାଟ୍ରିକ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଏଭଳି ପରିଶ୍ରମ ଆଗକୁ ମଧ୍ୟ ଜାରି ରହୁ। ଏଥିପାଇଁ ‘ମ’ ଓ ‘ନ’ର ଫର୍ମୁଲା ଆପଣେଇବା ପାଇଁ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ଆହ୍ବାନ କରିଛନ୍ତି। ୫ଟି ‘ମ’ ଓ ୫ଟି ‘ନ’ ଉପରେ ଗୁରୁତ୍ବ ଦେଇ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ସେ କହିଥିଲେ। ମା, ମାଟି, ମାତୃଭାଷାକୁ ସମ୍ମାନ ଦେଇ ମୋବାଇଲର ସଦ୍‌ବ୍ୟବହାର ଏବଂ ମଦ ଠାରୁ ଦୂରେଇ ରହିବାକୁ ସେ ପରାର୍ମଶ କରିଥିଲେ। ସେହିପରି ନିରୋଗ, ନିରହଂକାର, ନିରାଡ଼ମ୍ବର, ନିଡର ଓ ନିଶାମୁକ୍ତ ପରିବେଶ ଗଠନ କରିବା ଦିଗରେ ଉଦ୍ୟମ କରିବାକୁ କହିଥିଲେ।

‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ତରଫରୁ ହିଲ୍‌ପାଟଣା ସ୍ଥିତ ସଂସ୍କୃତି ଭବନରେ ଆୟୋଜିତ ମାଟ୍ରିକ୍‌ ଚାମ୍ପ୍‌-୨୦୨୩ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଶ୍ରୀ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ। ସମାଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହେବା ସହିତ ଜଣେ ଭଲ ମଣିଷ ହେବା ନିହାତି ଦରକାର। ଏଥିପାଇଁ ପ୍ରଥମେ ମା’କୁ ସମ୍ମାନ ଦେବା। ଯିଏ ମା’କୁ ହତାଦର କରିଛି ସିଏ ଜୀବନରେ କେବେ ବି ଖୁସିରେ ରହି ପାରିବ ନାହିଁ। ସେହିପରି ନିଜର ମାଟିକୁ ସମ୍ମାନ ଦେବା। ନିଜର ଜନ୍ମମାଟିକୁ ନେଇ ଗର୍ବ ଅନୁଭବ କରିବା। ମାତୃଭୂମି ପ୍ରତି ସମର୍ପିତ ହୋଇ କାମ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ। ସେହିପରି ମାତୃଭାଷାକୁ ସମ୍ମାନ ଦିଅନ୍ତୁ। ଉଚ୍ଚ ଶିକ୍ଷିତ ହେବା ପାଇଁ ଇଂରାଜୀ ଭାଷାରେ ଦଖଲ ଦରକାର। କିନ୍ତୁ ମାତୃଭାଷାକୁ ଭୁଲନ୍ତୁ ନାହିଁ ବୋଲି କହିଥିଲେ।

ବର୍ତ୍ତମାନର ଯୁଗରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଯଥେଷ୍ଟ ଆବଶ୍ୟକତା ରହିଛି। ‌ଏଣୁ ମୋବାଇଲ୍‌ର ସଦ୍‌ବ୍ୟବହାର ଦିଗରେ ଦୃଷ୍ଟି ଦେବାକୁ କହିଥିଲେ। ଭଲ ମଣିଷ ହେବା ପାଇଁ ଶେଷ ‘ମ’କୁ ସମ୍ପୂର୍ଣ୍ଣ ତ୍ୟାଗ କରିବାକୁ ଶ୍ରୀ ପଟ୍ଟନାୟକ କହିଥିଲେ। ତାହା ହେଉଛି ମଦ। ଛାତ୍ରଛାତ୍ରୀ ଚାହିଁଲେ ମଦମୁକ୍ତ ସମାଜ ଗଠନ ସମ୍ଭବ ହୋଇପାରିବ ବୋଲି କହିଥିଲେ। ସେହିପରି ୫ଟି ‘ନ’ରେ ନିରୋଗ ରହିବାକୁ କହିଥିଲେ। ଆମ ଶରୀର ହିଁ ଆମର ନିକଟତର। ଶରୀରକୁ ନିରୋଗ ରଖିଲେ ଆମ‌େ ସବୁ ପ୍ରକାର ବାଧାବିଘ୍ନ ଓ ଚାଲେଞ୍ଜର ସମ୍ମୁଖୀନ ହୋଇ ପାରିବା। ସେହିପରି ନିରହଂକାର ଜୀବନଯାପନକୁ ଗୁରୁତ୍ବ ଦିଅ। ଗର୍ବ କର ନାହିଁ। ଯିଏ ଆମ ପାଇଁ କିଛି କରିଛି ଆମେ ତାଙ୍କ ନିକଟତରେ କୃତଜ୍ଞ ହେବା। ନିରାଡ଼ମ୍ବର ଜୀବନ ଶୈଳୀ ଆପଣେଇବା। ନିଜକୁ ନିୟନ୍ତ୍ରଣରେ ରଖିଲେ ଆଉ ଅଭାବ ରହିବ ନାହିଁ। ଆଡ଼ମ୍ବର ଠାରୁ ନିଜକୁ ଦ‌ୂରେଇ ରଖିବାକୁ ପରାମର୍ଶ ଦେଇଥିଲେ। ଚତୁର୍ଥରେ ନିଡର ରହିବା। ସବୁ କଥାରେ ପ୍ରଶ୍ନ କରିବା। ପ୍ରଶ୍ନ ପଚାରିଲେ ଆମେ ତା’ର ସଠିକ୍‌ ଉତ୍ତର ପାଇବା। ଯାହାକି ଆମର ଜ୍ଞାନ ବୃଦ୍ଧିରେ ସହାୟକ ହେବ ବୋଲି କହିଥିଲେ। ଶେଷ ‘ନ’କୁ ଗୁରୁତ୍ବ ଦେବାକୁ କହିଥିଲେ। ନିଶାମୁକ୍ତ ପରିବେଶ ଗଠନ ଦିଗରେ ସମସ୍ତେ ଉଦ୍ୟମ କରୁନ୍ତ। ଏହଦ୍ବାରା ଏକ ସୁସ୍ଥା ସମାଜ ସୃଷ୍ଟି କରାଯାଇ ପାରିବ ବୋଲି ଶ୍ରୀ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ କହିଥିଲେ।

ମୁଖ୍ୟ ଅତିଥି ଭାବେ ବିଏମ୍‌ସି କମିସନର୍‌ ଜେ. ସୋନାଲ୍‌ ଯୋଗ ଦେଇ ଆଜି ମାଟ୍ରିକ୍‌ ପରୀକ୍ଷାରେ ଯେଉଁମାନେ କୃତକାର୍ଯ୍ୟ ହୋଇଛନ୍ତି, ସେମାନେ ଆଗକୁ ମଧ୍ୟ ସେଭଳି ପରିଶ୍ରମ ଜାରି ରଖନ୍ତୁ। ମାଟ୍ରିକ୍‌ ପରେ ଆଗକୁ ନୂଆ ନୂଆ ଚାଲେଞ୍ଜ ଆସିବ। ପ୍ରତିଯୋଗିତା ଆହୁରି କଠିନ ହେବ। ଜାତୀୟ, ଅନ୍ତର୍ଜାତୀୟସ୍ତରର ପିଲାଙ୍କ ସହିତ ପ୍ରତିଯୋଗିତାରେ ଓହ୍ଲାଇବାକୁ ପଡ଼ିବ। ତାକୁ ନଜରରେ ରଖି ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିବା ଦରକାର ବୋଲି କମିସନର୍‌ ସୋନାଲ୍‌ କହିଥିଲେ। ସେହିପରି ନିଜର ଭାଷାକୁ ନେଇ ଗର୍ବ କରିବା, କିନ୍ତୁ ଅନ୍ୟ ଭାଷାକୁ ମଧ୍ୟ ଗ୍ରହଣ କରିବା। କାରଣ ଜ୍ଞାନ ଆହରଣ ପାଇଁ ଆମକୁ ଓଡ଼ିଆ, ଇଂରାଜୀ, ହିନ୍ଦୀ ସହିତ ବିଭିନ୍ନ ରାଜ୍ୟର ଭାଷା ଶିଖିବାକୁ ପଡ଼ିବ। ଯେଉଁମାନେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ସଫଳ ହୋଇ ଯେଉଁ ରାଜ୍ୟରେ ଯୋଗଦାନ କରୁଛନ୍ତି, ସେହି ଅଧିକାରୀ ସେଠାକାର ଭାଷା ଶିଖୁଛନ୍ତି। ଏଣୁ ଅଧିକରୁ ଅଧିକ ଭାଷା ଶିଖିବାକୁ ସେ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ନିଯୁକ୍ତି ପାଇଁ ବ୍ୟାପକ ସୁଯୋଗ ରହିଛି। ଏଣୁ ନିଜର ଲକ୍ଷ୍ୟ ସ୍ଥିର କରି ସେଥିପ୍ରତି ଅଗ୍ରସର ହୁଅନ୍ତୁ। କଠିନ ପରିଶ୍ରମ କରନ୍ତୁ ବୋଲି କମିସନର୍‌ କହିଥିଲେ।

ସମ୍ମାନିତ ଅତିଥି ଭାବେ ଏମ୍‌କେସିଜି ବଡ଼ ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ସୁଚିତ୍ରା ଦାଶ ଯୋଗ ଦେଇଥିଲେ। କଠିନ ପରିଶ୍ରମର ବିକଳ୍ପ ନାହିଁ। ଯେଉଁମାନେ ଆଜି ମାଟ୍ରିକ୍‌ ପରୀକ୍ଷାରେ ସଫଳ ହୋଇଛନ୍ତି, ସେମାନଙ୍କ ପାଇଁ ଏହା ହେଉଛି ପ୍ରଥମ ପାହାଚ। ସେଭଳି ପରିଶ୍ରମ ଆଗକୁ ମଧ୍ୟ ଜାରି ରଖନ୍ତୁ। ଲକ୍ଷ୍ୟଭ୍ରଷ୍ଟ ହୁଅନ୍ତୁ ନାହିଁ। ପରିଶ୍ରମ କରି ଚାଲନ୍ତୁ। ବିଫଳ ହେଲେ ଭାଙ୍ଗି ପଡ଼ନ୍ତୁ ନାହିଁ। କାରଣ ବିଫଳତା ହେଉଛି ସଫଳତାର ଚାବିକାଠି ବୋଲି ସେ କହିଥିଲେ। ନିଜର ଜୀବନଶୈଳୀ ଶୃଙ୍ଖଳିତ ଥିଲେ, କେହି ଆମକୁ ହରାଇ ପାରିବେ ନାହିଁ। ନିଜର ଇଚ୍ଛା ଅନୁସାରେ ବୃତ୍ତି ଚୟନ କରିବାକୁ ସେ ଆହ୍ବାନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଏସ୍‌.ପି. ଡା. ଶରବଣା ବିବେକ ଏମ୍‌. ଯୋଗଦେଇ ସଫଳ ହେଲେ ସମସ୍ତ‌େ ଖୁସି ହୁଅନ୍ତି, କିନ୍ତୁ ବିଫଳ ହେଲେ ଭାଙ୍ଗି ପଡ଼ନ୍ତି। ଏଭଳି ଚିନ୍ତାଧାରା ମନରୁ ବାହାର କରି ଦିଅନ୍ତୁ। ସଫଳ ହେବା ପୂର୍ବରୁ ଜଣେ ବିଫଳ ହୋଇଥାଏ। ଏସ୍‌.ପି. ନିଜର ଉଦାହରଣ ଦେଇ କହିଲେ ଯେ ସେ ଡାକ୍ତରୀ ପେସାରେ ଥାଇ ସିଭିଲ୍‌ ସର୍ଭିସ୍‌ ପାଇଁ ମନ ବଳାଇଥିଲେ। ଥରେ ନୁହେଁ କି ଦୁଇଥର ନୁହେଁ, ୪ଥର ସେ ବିଫଳ ହୋଇଥିଲେ। ସେ ଭାଙ୍ଗି ନପଡ଼ି ପରିଶ୍ରମ ଜାରି ରଖିଥିଲେ। ଶେଷରେ ୫ଥର ସେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ସଫଳ ହୋଇ ଆଇପିଏସ୍‌ ପାଇଥିବା କହିଛନ୍ତି।

ପ୍ରାରମ୍ଭରେ ‘ସମ୍ବାଦ’ ବାର୍ତ୍ତା ବିଭାଗ ମୁଖ୍ୟ ମହାପ୍ରବନ୍ଧକ ଅରବିନ୍ଦ ଦାସ ପ୍ରାରମ୍ଭିକ ସୂଚନା ଦେଇଥିଲେ। ମାଟ୍ରିକ୍‌ ପାସ୍‌ କରିବା ପରେ ଅଧିକାଂଶ ପିଲା ଡାକ୍ତର ହେବାକୁ ଇଚ୍ଛା କରିଥା’ନ୍ତି। କିନ୍ତୁ ଡାକ୍ତର ବ୍ୟତୀତି ଆହୁରି ବହୁ ବୃତ୍ତି ରହିଛି। ଏଣୁ ଚାକିରି ପଛରେ ଗୋଡ଼ାନ୍ତୁ ନାହିଁ। ଭଲ ମଣିଷ ହୁଅନ୍ତୁ ଏବଂ ଓଡ଼ିଆ ଭାଷାକୁ ଭଲ ପଆନ୍ତୁ ବୋଲି କହିଥିଲେ। ଶେଷରେ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ୧୩୬ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ଶାଖା ପରିଚାଳକ ସୁଶୀଲ ପ୍ରଧାନ, ଆମ ଓଡ଼ିଶା ସଂଯୋଜକ ବସନ୍ତ ପଣ୍ଡା ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମହାନଗର ସଂଯୋଜକ ପ୍ରମୋଦ କୁମାର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ସହସମ୍ପାଦକ ପ୍ରଶାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର