ପୁରୀ-ଓଖା ଏକ୍ସପ୍ରେସ୍‌ରେ ସୁରତରୁ ଆସିଲେ ୫ ଶହ ପ୍ରବାସୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ମାର୍ଚ୍ଚ ଦ୍ବିତୀୟ ସପ୍ତାହରୁ ପୁଣି କରୋନା ସଂକ୍ରମଣ ଆରମ୍ଭ ହୋଇଛି। ପ୍ରତିଦିନ କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଆଜି ବି ୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କରୋନାର ଦ୍ବିତୀୟ ପ୍ରବାହ ଯୋଗୁଁ ମୁମ୍ବାଇ ଓ ସୁରତର ସ୍ଥିତି ବିଗିଡ଼ିଛି। ସେଠାରୁ ପ୍ରବାସୀ ଗଞ୍ଜାମକୁ ଫେରିଲେ ସଂକ୍ରମଣ ସ୍ଥିତି ପୁଣି ଗମ୍ଭୀର ହୋଇପାରେ ବୋଲି ଯାହା ଆଶଙ୍କା କରା ଯାଉଥିଲା ତାହା ଏବେ ସତ୍ୟ ହେବାକୁ ଯାଉଛି। ମହାରାଷ୍ଟ୍ର ଓ ଗୁଜରାଟରୁ ପ୍ରତ୍ୟହ ଟ୍ରେନ୍‌ ଆସୁଥିବା ବେଳେ କିଛି କିଛି ପ୍ରବାସୀ ଆସୁଥିଲେ। ଆଜି(ଶୁକ୍ରବାର) ସୁରତରୁ ୨ଟି ଟ୍ରେନ ଆସିଥିଲା।
ବ୍ରହ୍ମପୁର ଷ୍ଟେସନ୍‌ରେ ଶହ ଶଡ ପ୍ରବାସୀ ଓହ୍ଲାଇଥିଲେ। ଅପରାହ୍‌ଣ ୨ଟା ବେଳେ ପୁରୀ-ଓଖା ଏକ୍ସପ୍ରେସ୍‌ ଲାଗିଥିଲା। ସେଥିରେ ୫ଶହରୁ ଅଧିକ ପ୍ରବାସୀ ଆସିଥିବା ଜଣାପଡ଼ିଛି। ଟ୍ରେନ୍‌ରେ ଆସୁଥିବା ପ୍ରବାସୀମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ୍‌ ଲାଗି କୌଣସି ପ୍ରାଶାସନିକ କଳ ନା ଡାକ୍ତରୀ ଟିମ୍‌ ନିୟୋଜିତ ନଥିଲେ। କେବଳ ର୍ଥମାଲ ସ୍କ୍ରିନିଂ କରି ଛାଡ଼ି ଦିଆ ଯାଇଥିଲା। କରୋନା ଲକ୍ଷଣ ଅନୁଧ୍ୟାନ କରିବାକୁ କେହି ନଥିଲେ। ଜିଲ୍ଲା ପ୍ରଶାସନର ସାତ ଦିନିଆ ଗୃହ ସଙ୍ଗରୋଧ କଟକଣା ବିଷୟରେ ସେମାନଙ୍କୁ ସଚେତନ କରିବାକୁ କେହି ସ୍ବେଚ୍ଛାସେବୀ ମଧ୍ୟ ନଥିଲେ। ଯିଏ ଯୁଆଡ଼େ ପାରିଲେ ଗଲେ। ଏପଟେ ମା’ ତାରାତାରିଣୀଙ୍କ ଚୈତ୍ରପର୍ବ, ଦଣ୍ଡଯାତ୍ରା ଓ ସୁରତ ଓ ମୁମ୍ବାଇରେ କରୋନାର ପ୍ରକୋପ କାରଣରୁ ପ୍ରବାସୀ ଅଧିକ ସଂଖ୍ୟାରେ ଫେରୁଥିବା ଜଣାପଡ଼ିଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେଉ ନାହିଁ। ଏଭଳି ଧାରା ଚାଲିଲେ ସମ୍ଭବତଃ ଆସନ୍ତା ଦୁଇ ସପ୍ତାହ ପରେ, ଅର୍ଥାତ୍‌ ମେରୁ ପର୍ବ ପରେ ପରେ ଗଞ୍ଜାମ ଜିଲ୍ଳାକୁ ପୁଣି କରୋନା ପୂର୍ବ ସ୍ଥିତି ଫେରିବା ଆଶଙ୍କା ଦେଖାଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ର ଓ ଗୁଜରାଟ ଏବେ କରୋନା ହଟ୍‌ସ୍ପଟ୍‌ ପାଲଟିଛି। ଉଭୟ ରାଜ୍ୟରେ ଗଞ୍ଜାମର ଲକ୍ଷ ଲକ୍ଷ ଲୋକ ବସବାସ କରୁଛନ୍ତି। ବିଶେଷ କରି ଗୁଜରାଟର ସୁରତରେ ଗଞ୍ଜାମର ୩ଲକ୍ଷରୁ ଅଧିକ ଲୋକ ରହୁଛନ୍ତି। ସୁରତରୁ ପ୍ରବାସୀ ଫେରିବା ପରେ ଗତବର୍ଷ ମେ ୨ତାରିଖ ଠାରୁ ଜିଲ୍ଲାରେ କରୋନା ବ୍ୟାପିଥିଲା। ଏବେ ସୁରତରେ କରୋନା ଦ୍ବିତୀୟ ପ୍ରବାହ ଆରମ୍ଭ ହୋଇଛି। କେବଳ ସୁରତ ମହାନଗର ନିଗମ(ଏସ୍‌ଏମ୍‌ସି) ଅଞ୍ଚଳରୁ ୨୩ତାରିଖରେ ୪୭୬, ୨୪ତାରିଖରେ ୪୮୦ ଓ ୨୫ତାରିଖ ୫୦୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।
ସମ୍ବନ୍ଧିତ ଖବର