ହୋଟେଲ୍ ଭିତରେ ବୁଲିଲା ଖଣ୍ଡା-ଭୁଜାଲି:ଗୋଟିଏ ପରିବାରର ୪ ସମେତ ୫ ଗୁରୁତର

୮ ବାଇକ୍‌ରେ ଆସିଥିଲେ ୨୦ରୁ ଅଧିକ ଦୁର୍ବୃତ୍ତ, ପଞ୍ଚାୟତ ନିର୍ବାଚନ ଆଗରୁ କେଶପୁର ଅଶାନ୍ତ

ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ଆଗରୁ ଗଞ୍ଜାମ ଜିଲ୍ଲାର ସମ୍ବେଦନଶୀଳ ଇଲାକା ଭାବେ ପରିଚିତ ଖଲ୍ଲିକୋଟ ଥାନା ଅଧୀନ କେଶପୁର ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଆଜି ସକାଳ ସାଢ଼େ ୧୦ଟାରେ କେଶପୁର ଛକ ଉପରେ ଥିବା ଏକ ହୋଟେଲ୍‌ ଭିତରେ ୨୦ରୁ ଅଧିକ ଦୁର୍ବୃତ୍ତ ପଶି ଖଣ୍ଡା ଓ ଭୂଜାଲି ଧରି ପଶି ଆତଙ୍କ ଖେଳାଇବା ସହ ୫ ଜଣଙ୍କୁ ହାଣି ଲହୁଲୁହାଣ କରିଛନ୍ତି। ଏହି ଘଟଣା ଖଲ୍ଲିକୋଟ ଥାନା ଇଲାକାରେ ଆଲୋଡ଼ନ ସୃଷ୍ଟି କରିଛି। ଆହତ ମାନେ ହେଲେ ଲୁଂଘର ଗ୍ରାମର ଭଗି ନାହାକ ଓ ତାଙ୍କର ତିନିପୁଅ ସୌରୀ, ରାମ ଏବଂ ଲକ୍ଷ୍ମଣ। ସେହିପରି ରୋଷେୟା ବି ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ଆହତ ହୋଇଥିବା ସୌରୀଙ୍କ ପତ୍ନୀ ସଞ୍ଜୁ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି।

ସୂଚନାନୁସାରେ, ଆଜି ସକାଳ ସାଢ଼େ ୧୦ଟାରେ ୮ଟି ବାଇକ୍‌ରେ ୨୦ରୁ ଅଧିକ ଯୁବକ ଆସି ସୌରୀଙ୍କ ଜଳଖିଆ ହୋଟେଲ୍‌ ଭିତରେ ଅତର୍କିତ ଭାବେ ପଶିଥିଲେ। କିଏ କିଛି କହିବା ପୂର୍ବରୁ ହଠାତ୍ ସେମାନେ ଖଣ୍ଡା ଓ ଭୂଜାଲି ବାହାର କରି ପ୍ରଥ‌ମେ ତାଙ୍କ ବାପା ଭଗି ଓ ଦୁଇଭାଇ ରାମ ଏବଂ ଲକ୍ଷ୍ମଣଙ୍କୁ ହାଣିଥିଲେ। ପରେ ସୌରୀଙ୍କ ଗୋଡ଼, ହାତ ଓ ମୁଣ୍ଡରେ ଚୋଟ ପକାଇବା ସହ ଠେଙ୍ଗାରେ ପିଟିଥିଲେ। ଆଉ ରୋଷେୟାଙ୍କୁ ବି ଆକ୍ରମଣ କରିଥିଲେ। ଏହି ସମୟରେ ସୌରୀଙ୍କ ପତ୍ନୀ ସଞ୍ଜୁ ଦୁର୍ବୃତ୍ତଙ୍କୁ ପ୍ରତିରୋଧ କରିବାକୁ ଚେଷ୍ଟା କରିବାରୁ ସେମାନେ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଖବର ପାଇ ପୁଲିସ ପହଞ୍ଚିବା ଆଗରୁ ଦୁର୍ବୃତ୍ତ ମାନେ ସେଠାରୁ ଆଖି ପିଛୁଳା‌କେ ଫେରାର୍ ହୋଇ ଯାଇଥିଲେ।
ସମସ୍ତ ଆହତଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ତେବ‌େ ସୌରୀ ଓ ତାଙ୍କ ବାପା ଭଗିଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଖଲ୍ଲିକୋଟ ଥାନାରେ କେସ୍ ନମ୍ବର ୫୧୯ ଅନୁସାରେ ଏକ ମାମଲା ରୁଜୁ ହୋଇଛି। ଛତ୍ରପୁର ଏସଡିପିଓ ଗୌତମ କିଶାନ୍ ଓ ଖଲ୍ଲିକୋଟ ଥାନାଧିକାରୀ ରଞ୍ଜନ ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଘଟଣା ବିଷୟରେ ଆହତ ମାନଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇଛି।

ତେବେ ଲୁଂଘର ଗ୍ରାମର କିଛି ଲୋକଙ୍କ ସହ ପୂର୍ବ ବିବାଦକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି। ଗତ ଏକ ମାସ ତଳେ ହୋଟେଲ ଆଗରେ ମୋରମ୍ ବିଛାଇବାକୁ କେନ୍ଦ୍ର କରି କିଛି ଲୋକ ଓ ସୌରୀଙ୍କ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା। ଫଳରେ ସୌରୀ ଓ ତାଙ୍କ ପରିବାରଲୋକେ ଥାନାର ଦ୍ବାରସ୍ଥ ହେବାକୁ ଚାହୁଁଥିଲେ। ଏଥିପାଇଁ କିଛି ଲୋକ ଉତ୍ତ୍ୟକ୍ତ ହୋଇ ଆକ୍ରମଣ ପାଇଁ ଯୋଜନା କରିଥିବା ସୌରୀ ଓ ତାଙ୍କ ପତ୍ନୀ ସଞ୍ଜୁ ପୁଲିକୁ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ସୌରୀଙ୍କ ନାମରେ ଖଲ୍ଲିକୋଟ ସମେତ ଅନ୍ୟାନ୍ୟ ଥାନାରେ ବିଭିନ୍ନ ମାମଲା ରହିଛି। ଗତ ୮ ମାସ ତଳେ ଏକ ମାମଲାରେ ଗିରଫ ହୋଇ ସୌରୀ ଜେଲରୁ ମୁକୁଳିଥିଲେ। କେଶପୁର ଛକରେ ଏକ ଜଳଖିଆ ହୋଟେଲ କରି ପରିବାର ପ୍ରତିପୋଷଣ କରୁଥିଲେ। ଫଳରେ ସୌରୀଙ୍କ ସହ ଅନ୍ୟ କୌଣସି ବିବାଦକୁ କେନ୍ଦ୍ର କରି ଦୁର୍ବୃତ୍ତ ମାନେ ଏହି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ତେବେ ପଞ୍ଚାୟତ ନିର୍ବାଚନ ଆଗରୁ ଅପରାଧପ୍ରବଣ କେଶପୁରରେ ଆଇନଶୃଙ୍ଖଳା ବିଗିଡ଼ିବା ପୁଲିସ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାପୂର୍ବରୁ ଗତ ୫ ତାରିଖରେ ଖଲ୍ଲିକୋଟ ବିଧାୟିକାଙ୍କ ବାସଭବନରେ ଦୁର୍ବୃତ୍ତ ମାନେ ଭଙ୍ଗାରୁଜା କରି ଆତଙ୍କ ଖେଳାଇଥିଲେ।

ସମ୍ବନ୍ଧିତ ଖବର