ସୁନ୍ଦରଗଡ଼/ସବଡେଗା: ବୁଧବାର ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ସବଡେଗାରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଛୁରୀ ଓ ଭୁଜାଲି ଆକ୍ରମଣରେ ସବଡେଗାର ୫ ଯୁବକ ଅଜିତ ମାଝୀ, ବିମଳ ମୁଣ୍ଡା, ସୁମିତ ପ୍ରଧାନ, ରିଙ୍କୁ ଦେହୁରୀ, ସଂଜୟ ମାଝୀ, ଅଶ୍ବିନୀ କାହାଲି, ଦୀପୁ ବାଗ ଆହତ ହୋଇଥିବାବେଳେ ସମସ୍ତଙ୍କୁ ତୁରନ୍ତ ସବଡେଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତନ୍ମଧ୍ୟରୁ ଗୁରୁତର ଅଜିତ ମାଝୀ, ବିମଳ ମୁଣ୍ଡାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଅଜିତଙ୍କ ଛାତି ଓ ପେଟରେ ଗଭୀର ଆଘାତ ଲାଗିଛି, ତେବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।
ଏହି ଘଟଣାକୁ ନେଇ ସବଡେଗାରେ ରାତିରୁ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ସହ ୫ ପ୍ଲାଟୁନ ପୁଲିସ ଫୋର୍ସ ଡେରା ପକାଇ ସ୍ଥିତିକୁ ନିୟନ୍ତ୍ରଣକୁ ନେଇଛନ୍ତି। ଏହା ମଧ୍ୟରେ ରାଶିପତ୍ରାର ୫ ଜଣଙ୍କୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି। ତେବେ ଗୁରୁବାର ସକାଳୁ ସବଡେଗାରେ ତଳସରା ବିଧାୟକ ଭବାନୀଶଙ୍କର ଭୋଇଙ୍କ ସହ ବିଜେପି, ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମୀମାନେ ପହଞ୍ଚି ଏହାର ପ୍ରତିବାଦ କରି ସବଡେଗା ବନ୍ଦ ଡାକରା ଦେଇଥିଲେ। ଯାହା ଫଳରେ ସବଡେଗାର ଦୋକାନବଜାର ବନ୍ଦ ରହିଥିଲା। ୨ ଦିନ ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ କରାନଗଲେ ରାସ୍ତାରୋକ ସହ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ପ୍ରତିବାଦକାରୀ ଚେତାବନୀ ଦେଇଛନ୍ତି।
ଆହତ ଅଜିତ ମାଝୀଙ୍କ ଏତଲା ଅନୁସାରେ, ଗତ ୨୦ ତାରିଖରେ ରଥଯାତ୍ରା ଦିନ ବର୍ଷା ହେଉଥିବା ବେଳେ ଅଜିତଙ୍କ ସାନ ଭାଇ ସଂଜୟ ସବଡେଗାଠାରେ ଫଇଜାଦେ ରାଜାଙ୍କ ଖେଳଣା ଦୋକାନରେ ଛିଡ଼ା ହୋଇଥିବାରୁ ତାକୁ ଫଇଜାଦେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲା। ଅଜିତ ଏହାର ପ୍ରତିବାଦ କରିବାରୁ ସେ ମାଡ଼ପିଟ୍ କରିଥିଲା। ଏହା ପରେ କିଛି ଭଦ୍ର ଲୋକଙ୍କ ହସ୍ତକ୍ଷେପ ପରେ କଥାଟି ସେଇଠି ଥଣ୍ଡା ପଡ଼ି ଯାଇଥିଲା। ୨୮ ତାରିଖ ବାହୁଡ଼ା ଦିନ ଫଇଜାଦେକୁ ଅଜିତ କାହିଁକି ମାଡ଼ପିଟ କଲୁ ବୋଲି ପଚାରିବାରୁ ସେ ଗଣ୍ଡଗୋନଳ ଓ ମାଡ଼ପିଟ କରିଥିଲା। ପୁଲିସ ଆସି ବୁଝାମଣା କରି ଦେଇଥିଲେ। କିନ୍ତୁ କିଛି ସମୟ ପରେ ଫଇଜାଦେ ସହ ରାଶିପତ୍ରାର ସଦାମ ଖାନ, ସାହାଜାହାନ, ମେହେଫୁଜ, ଫିଜନ ସମେତ ୨୫ରୁ ଅଧିକ ଯୁବକ ଆସି ଅଜିତ ଓ ତାଙ୍କ ସାଙ୍ଗମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଛୁରି, ଭୁଜାଲିରେ ଆକ୍ରମଣ କରିଥିଲେ।
କିନ୍ତୁ ଫଇଜାଦେ ତଳସରା ଥାନାରେ ଦେଇଥିବା ଏତଲା ଅନୁସାରେ, ବାହୁଡ଼ା ଦିନ ତାଙ୍କ ଖେଳଣା ଦୋକାନକୁ ଅଜିତ ଓ ଧିରେନ ଆସି ଖେଳଣା ମାଗିଥିଲେ। ଫଇଜାଦେ ଟଙ୍କା ମାଗିବାରୁ ଜୟ ଶ୍ରୀରାମ କହିଲେ ଟଙ୍କା ଦେବୁ କହି ଝଗଡ଼ା କରିଥିଲେ। ପରେ ଫଇଜାଦେ ଦୋକାନ ବନ୍ଦ କରି ଯାଉଥିବା ବେଳେ ସବଡେଗା ମେଡିକାଲ ଛକରେ ଅଜିତ, ଧିରେନ ସହ କିଛି ଯୁବକ ତାଙ୍କୁ ଅଟକାଇ ଜୟ ଶ୍ରୀରାମ କହିବାକୁ ବାଧ୍ୟ କରିଥିଲେ। କିନ୍ତୁ ଫଇଜାଦେ ନକହିବାରୁ ଅଜିତ ଖଣ୍ଡାରେ ଆକ୍ରମଣ କରିବା ସହ ତାଙ୍କ ଠାରୁ ମୋବାଇଲ୍ ଓ ୮ ହଜାର ଟଙ୍କା ଲୁଟି ନେଇ ଜୀବନରେ ମାରିଦେବାର ଧମକ ଦେଇଥିବା ଫଇଜାଦେ ଅଭିଯୋଗ କରିଛନ୍ତି। ଏହା ପରେ ଫଇଜାଦେଙ୍କ ସହ କିଛି ଯୁବକ ଅଜିତ ଓ ତାଙ୍କ ସାଙ୍ଗମାନଙ୍କୁ ଆକ୍ରମଣ କରି ଆହତ କରିଥିବା ଅଭିଯୋଗ ହୋଇଛି। ତେବେ ସ୍ଥିତି ନିୟନ୍ତ୍ରଣରେ ଥିବାବେଳେ ଅଭିଯୁକ୍ତମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।