ବାର୍‌ହା ଆକ୍ରମଣରେ ୫ ଗୁରୁତର

ତେଲକୋଇ/କରଦାଙ୍ଗି : ତେଲକୋଇ ବନାଞ୍ଚଳ ଅନ୍ତର୍ଗତ ଭୀମକାଣ୍ଡ ପଞ୍ଚାୟତର କାଣ୍ଡପଶି ଓ କରଦାଙ୍ଗି ପଞ୍ଚାୟତର ବିଶମୁଣ୍ଡାରେ ମହୁଲ ଗୋଟାଇବାକୁ ଯାଇଥିବାବେଳେ ବାର୍‌ହା ଆକ୍ରମଣରେ ପାଞ୍ଚଜଣ ଗୁରୁତର ହୋଇଛନ୍ତି। ଶୁକ୍ରବାର ପୂର୍ବାହ୍ନ ସାଢ଼େ ୧୧ଟାବେଳେ ମହୁଲ ଗୋଟାଉଥିବାବେଳେ ହଠାତ୍‌ ଏକ ବାର୍‌ହା ନିକଟସ୍ଥ ବୁଦାରୁ ବାହାରି କାଣ୍ଡପଶି ଗ୍ରାମର ଖଗେଶ୍ୱର ମହାକୁଡ଼ଙ୍କୁ ଆକ୍ରମଣ କରିଥିଲା। ତାଙ୍କ ପୁତୁରା କାର୍ତ୍ତିକ ଏହାଦେଖି ପାଟି କରିବାରୁ ବାର୍‌ହାଟି ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ପରେ ବାର୍‌ହାଟି କରଦାଙ୍ଗି ପଞ୍ଚାୟତ ବିଶମୁଣ୍ଡାକୁ ଯାଇଥିଲା। ସେଠାରେ ମହୁଲ ଗୋଟାଉଥିବା ବୁଧୁରାମ ମୁଣ୍ଡା ଓ ସୋମବାରୀ ମୁଣ୍ଡାଙ୍କୁ ଆକ୍ରମଣ କରିଥିଲା। ପୁଣି ବାର୍‌ହାଟି କରଦାଙ୍ଗି ପଞ୍ଚାୟତ ଘୋଡ଼ାବେଡ଼ା ପଟକୁ ଚାଲିଆସିଥିଲା।

ତେଲକୋଇ ସାପ୍ତାହିକ ହାଟରୁ ସାଇକଲରେ ଫେରୁଥିବା ଆମ୍ବତଇଲାସାହିର ରମାକାନ୍ତ ମହାନ୍ତଙ୍କୁ ଆକ୍ରମଣ କରିଥିଲା। ସମସ୍ତ ଗୁରୁୁତରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ‌କେନ୍ଦ୍ରକୁ ଅଣାଯାଇଥିଲା। ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସରକାରୀ ନିୟମ ଅନୁଯାୟୀ କ୍ଷତିଗ୍ରସ୍ତ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ରେଞ୍ଜର ପ୍ରମୋଦ କୁମାର ସେଠୀ କହିଛନ୍ତି। ତେବେ ବାର୍‌ହାଟି ଆକ୍ରମଣର ଶିକାର ହୋଇଥିବାରୁ ସେ ହିଂସ୍ର ହୋଇଯାଇଛି। ଲୋକଙ୍କୁ ଦେଖିଲେ ଆକ୍ରମଣ କରୁଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର