ଟାଙ୍ଗୀ : ଟାଙ୍ଗୀ ଅଞ୍ଚଳରେ ଆତଙ୍କ ଖେଳାଇଛି ଜଣେ ଯୁବକ। ଉନ୍ମତ୍ତ ଯୁବକର କଟୁରି ଚୋଟରେ ବାପା ଓ ଖୁଡ଼ିଙ୍କ ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ଆତଙ୍କ ଖେଳାଇଥିବା ଯୁବକ ହେଉଛି ଟାଙ୍ଗୀ ଥାନା ଅନ୍ତର୍ଗତ କହ୍ନେଇପୁର ପଞ୍ଚାୟତ ଗୁଆଳିଡିହ ଗ୍ରାମର ଶରତ ଚନ୍ଦ୍ର ମହାନ୍ତିଙ୍କ ବଡ଼ ପୁଅ ସୁରେଶ ମହାନ୍ତି ଓରଫ ରିଙ୍କୁଆ (୨୬)। ରିଙ୍କୁଆ ଆଜି ଅପରାହ୍‌ଣରେ ଦୁଇ ହାତରେ ଦୁଇଟି କଟୁରି ଧରି ଗାଁ ଭିତରକୁ ପଶିଥିଲା। ତାର ଖୁଡି ସୁକାନ୍ତି ମହାନ୍ତି ଘର ପାଖ ଗାଡ଼ିଆରେ ବାସନ ମାଜୁଥିବା ବେଳେ ସେ ତାଙ୍କ ପାଖକୁ ଯାଇ କଟୁରିରେ ହାଣିବାକୁ ଉଦ୍ୟମ କରିଥିଲା। ଖୁଡି ବଞ୍ଚିବା ପାଇଁ ହାତ ଦେଖାଇଥିବା ବେଳେ ସେ ତାଙ୍କ ହାତକୁ ଚୋଟ ଉପରେ ଚୋଟ ପକାଇବାରୁ ଶରୀରରୁ ହାତ ଛିଡିଯାଇ ଗାଡ଼ିଆରେ ପଡ଼ିଥିଲା। ପରେ ସେ ତାର ବାପାଙ୍କୁ କଟୁରିରେ ହାଣିଥିଲା।

Advertisment

ସେହି ସମୟରେ ତାର ସାମନାରେ ପଡ଼ିଥିବା ପଡ଼ୋଶୀ ପ୍ରମିଳା ବିଶ୍ୱାଳ ଓ ତାଙ୍କ ବୋହୂ ରଂଜୁ ବିଶ୍ବାଳଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣରେ ପ୍ରମିଳାଙ୍କ ହାତରେ ଗଭୀର କ୍ଷତ ହୋଇଥିବା ବେଳେ ରଂଜୁଙ୍କ କାନ ଛିଣ୍ଡି ଯାଇଛି। ଆହତ ମାନେ ଚିତ୍କାର କରିବାରୁ ଗାଁ ଲୋକେ ଏକାଠି ହୋଇ ଗୋଡ଼ାଇବାରୁ ରିଙ୍କୁଆ ଲୁଚି ଯାଇଥିଲା। ଖବରପାଇ ଟାଙ୍ଗୀ ପୁଲିସ୍ ଗାଁରେ ପହଞ୍ଚିବା ବେଳେ ରିଙ୍କୁଆ ଫେରାର ହୋଇଯାଇଥିଲା। ରିଙ୍କୁଆ ରାସ୍ତାରେ ‌ଯାଉଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବି ଆକ୍ରମଣ କରିଥିବା ସୂଚନା ମିଳିଛି। ଏହି ଘଟଣାରେ ଆହତମାନେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଭିଯୁକ୍ତ ରିଙ୍କୁଆକୁ ଗିରଫ କରିବା ପାଇଁ ଟାଙ୍ଗୀ ଥାନା ଅଧିକାରୀ ସୁଚିତ୍ରବୀର୍ଜ୍ୟ ଦାସଙ୍କ ନେତୃତ୍ବରେ ପୁଲିସ ଉଦ୍ୟମ ଚଳାଇଛି। ଅନ୍ୟପଟେ ଘଟଣା ସଂପର୍କରେ ଗ୍ରାମବାସୀଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। କିନ୍ତୁ ରିଙ୍କୁଆ ଧରା ପଡ଼ିନ ଥିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ପୁଲିସ ବି ବିଳମ୍ବିତ ରାତିରେ ଗାଁରେ ଜଗି ରହିଥିବା ସୂଚନା ମିଳିଛି। ନିଶାରେ ଚୁର୍‌ ହେଇ ରିଙ୍କୁଆ ଏଭଳି କରିଥିବା କୁହାଯାଉଛି।