ପୁଲିସ ପଞ୍ଝାରେ ୫ ଅନ୍ତଃଜିଲ୍ଲା ଡକାୟତ

ଚୋରି ଜିନିଷ କିଣିଥିବା ୪ ଗ୍ରାହକ ବି ଗିରଫ

ଭୁବନେଶ୍ବର, ଯାଜପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବରରୁ ଲୁଟୁଥିଲେ
ଲକ୍ଷାଧିକ ଟଙ୍କାର ସୁନାରୁପା ଅଳଙ୍କାର ଜବତ

ଭଦ୍ରକ/ରାଣୀତାଲ : ଏକ ଚୋରି ଘଟଣାର ଅନୁସନ୍ଧାନ କରିବାକୁ ଯାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ୍‌କୁ ଧରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗ୍‌ ଭଦ୍ରକ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଚୋରି କରିଥିବା ମାନିଛନ୍ତି। ସେମାନଙ୍କଠାରୁ ୩୨୦ ଗ୍ରାମ୍‌ ସୁନା, ୪ କେଜି ରୁପା ଅଳଙ୍କାର, ମୋବାଇଲ, ତାଲାଭଙ୍ଗା ଯନ୍ତ୍ର ସହ ୩ଟି ବାଇକ୍‌ ଜବତ କରାଯାଇଛି। ଜବତ ସୁନାରୁପାର ଦାମ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଜୁଲାଇ ୨୨ ତାରିଖରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦେଉଳପାଳ ଗ୍ରାମର ବିଧାନ ଚୌଧୁରୀଙ୍କ ଘରୁ ଚୋରି ହୋଇଥିଲା। ଥାନା ଅଧିକାରୀ ଆଲୋକ ଜେନାଙ୍କ ନେତୃତ୍ୱରେ ତଦନ୍ତ ଚାଲିଥିବା ବେଳେ ଏକ ଗାଡ଼ି ନମ୍ବର ପ୍ଲେଟ୍‌କୁ ଦେଖି ପୁଲିସର ସନ୍ଦେହ ବଢ଼ିଥିଲା। ‌ଶେଷରେ ଏହି ନମ୍ବରକୁ ଆଧାର କରି ପୁଲିସ ଏହି ଡକାୟତ ଗ୍ୟାଙ୍ଗ୍‌ ପାଖରେ ପହଞ୍ଚିବାକୁ ସକ୍ଷମ ହୋଇଥିଲା। ଘଟଣାରେ ସଂପୃକ୍ତ ଭଣ୍ଡାରୀପୋଖରୀ ବ୍ଲକ କାନ୍ତି ଗ୍ରାମର ଶ୍ରୀକାନ୍ତ ବେହେରା (୩୫), ଧାମନଗର ଦକ୍ଷିଣବାଡ଼ ଗ୍ରାମର ସଂଗ୍ରାମ ଜେନା (୨୯), ବାସୁଦେବପୁର ମନ୍ଦାରୀ ଗ୍ରାମର ବୃନ୍ଦାବନ ବେହେରା (୪୮), ଧାମନଗର ଚିଲାପଟି ଗ୍ରାମର ସୁଦର୍ଶନ ରାଉତ (୫୫), ଦିଗି ଗ୍ରାମର ଅତୁଲ ବେହେରା (୩୬)ଙ୍କୁ ପୁଲିସ ନିଜ ହେପାଜତକୁ ଆଣି ପଚରାଉଚରା କରିଥିଲା। ଜେରା ବେଳେ ସେମାନେ ଚୋରି ସୁନାରୁପାଗୁଡ଼ିକୁ କଟକ ଗୋବିନ୍ଦପୁରର ମଦନ ମୋହନ ମହାପାତ୍ର (୩୦), ଭଦ୍ରକ କୁଆଁସର ସନ୍ତୋଷ ସାହୁ (୪୦), ଯାଜପୁର ଘଣ୍ଟିଆଳି ଗ୍ରାମର ପ୍ରଭାତ କୁମାର ସାହୁ (୩୦) ଓ ମଙ୍ଗଳପୁରର ଆନନ୍ଦ ଚନ୍ଦ୍ର ସାହୁ (୬୫)ଙ୍କୁ ବିକ୍ରି କରିଥିବା କହିଥିଲେ। ଚୋରି ଜିନିଷ କିଣିବା ଅଭିଯୋଗରେ ପୁଲିସ ଉପରୋକ୍ତ ୪ ଜଣଙ୍କୁ ମଧ୍ୟ ଗିରଫ କରିଛି।

ଚୋରି ସୁନା ଅଳଙ୍କାରକୁ ଡକାୟତମାନେ ଏକ ଘରୋଇ ସଂସ୍ଥାରେ ବନ୍ଧା ପକାଇ ଟଙ୍କା ଆଣିଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଛି। ଖୁବଶୀଘ୍ର ସେଗୁଡ଼ିକୁ ଜବତ କରାଯିବ ବୋଲି ଆଜି ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଯତୀନ ପଣ୍ଡା ପ୍ରକାଶ କରିଛନ୍ତି। ଏହି ଘଟଣାରେ ପୁଲିସ ସମ୍ପୃକ୍ତ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର