ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ବହୁଚର୍ଚ୍ଚିତ ସାଢ଼େ ୧୨ ଲକ୍ଷ ଟଙ୍କାର ସାଇବର ଲୁଟ୍ ଘଟଣାକୁ ଇତିମଧ୍ୟରେ ମାସେ ପୂରିଥିବା ବେଳେ ଏଥିରେ ସାମିଲ ଥିବା ୫ ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି ସାଇବର ଥାନା ପୁଲିସ। ସେମାନେ ହେଲେ ପଶ୍ଚିମବଙ୍ଗ ମୁର୍ସିଦାବାଦ ଥାନା ଅଞ୍ଚଳର ସମିନ୍ ଅହମ୍ମଦ (୩୨), କୋଲକାତା ସୋରବଜାର ଥାନା ଅଞ୍ଚଳର ସାଜିଦ୍ ଇକ୍ବାଲ (୧୯), କୋଲକାତା ତଲତଲା ଥାନା ଅଞ୍ଚଳର ନିଆଜ୍ ହୁସେନ୍ ଓରଫ୍ ଅରମାନ୍, ଝାଡ଼ଖଣ୍ଡ ଦେଓଗଡ଼ ଜିଲ୍ଲା ମରଗ୍ମୁଣ୍ଡା ଥାନା ଅଞ୍ଚଳର ମହମ୍ମଦ ଆଜାଦ୍ ଅନ୍ସାରୀ (୨୫) ଓ ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳର ମହମ୍ମଦ ରାହିଲ ଓରଫ୍ ମେମ୍ନ। ଏମାନଙ୍କଠାରୁ ୧ ଲକ୍ଷ ୬୯ ହଜାର ଟଙ୍କା ଜବତ କରାଯାଇଥିବା ବେଳେ ବିଭିନ୍ନ ବ୍ୟାଙ୍କର ୧୪ଟି ଏଟିଏମ୍ କାର୍ଡ, ୩୯ଟି ସିମ୍ କାର୍ଡ ଓ ୧୦ଟି ମୋବାଇଲ ଫୋନ୍ ପୁଲିସ ଜବତ କରିଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ଡିସେମ୍ବର ୨୯ ତାରିଖରେ ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ବାଲିଗୋହିରି ଗ୍ରାମର ଅଙ୍ଗନବାଡ଼ି କର୍ମୀ ଜ୍ୟୋତ୍ସ୍ନାରାଣୀ ପାତ୍ର ବାଲେଶ୍ବର ଫକୀରମୋହନ ଗୋଲେଇସ୍ଥିତ ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ୍ ଶାଖାରେ ନିଜ ନାଁରେ ରଖିଥିବା ୫ ଲକ୍ଷ ଟଙ୍କାର ଦୁଇଟି ଫିକ୍ସଡ୍ ଡିପୋଜିଟ୍ ଓ ସେଭିଂ ଆକାଉଣ୍ଟ୍ରୁ ୨ ଲକ୍ଷ ୪୫ ହଜାର ଟଙ୍କା ଗାଏବ୍ ହୋଇ ଯାଇଥିବା ଜାଣିବାକୁ ପାଇଥିଲେ। ଏ ସଂକ୍ରାନ୍ତରେ ଜ୍ୟୋତ୍ସ୍ନାରାଣୀ ବାଲେଶ୍ବର ସାଇବର ଥାନାରେ ଅଭିଯୋଗ କରିବା ପରେ କେସ୍ ନମ୍ବର ୧/୨୧ରେ ମାମଲା ରୁଜୁ ହୋଇ ଏସ୍ପି ସୁଧାଂଶୁ ଶେଖର ମିଶ୍ରଙ୍କ ତତ୍ତ୍ବାବଧାନରେ ଏକ ୧୨ ଜଣିଆ ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା। ଅଭିଯୋଗକାରୀ ଅଙ୍ଗନବାଡ଼ି କର୍ମୀଙ୍କୁ ଘଟଣା ସମ୍ପର୍କରେ ପଚରାଯିବା ବେଳେ ସେ ତାଙ୍କ ଆକାଉଣ୍ଟ ସମ୍ବନ୍ଧରେ ଇଣ୍ଡସ୍ଇଣ୍ଡ ବ୍ୟାଙ୍କର ଗୁଗୁଲରେ ଥିବା କଷ୍ଟମର୍ କେୟାର ନମ୍ବରରେ କଥା ହୋଇ ସେଠାରେ ନିଜ ମୋବାଇଲ ନମ୍ବରକୁ ଆସିଥିବା ଏକ ଓଟିପି ନମ୍ବରକୁ ସେୟାର କରିଥିବା କହିଥିଲେ। ତେବେ ଯେଉଁ ନମ୍ବରରେ ସେ କଥା ହୋଇଥିଲେ ଏବଂ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ କେଉଁ ଆକାଉଣ୍ଟ୍କୁ ଟଙ୍କା ଟ୍ରାନ୍ସଫର ହୋଇଛି, ସେ ସଂକ୍ରାନ୍ତରେ ଛାନ୍ଭିନ କରିଥିଲା ପୁଲିସ। ଉକ୍ତ ଟଙ୍କା ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଓ ଓଡ଼ିଶାର କିଛି ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଥିଲା। ଓଡ଼ିଶାରେ ଥିବା ଆକାଉଣ୍ଟ୍ଟି ସୁନ୍ଦରଗଡ଼ର ଜଣେ ମହିଳାଙ୍କ ନାଁରେ ଥିବା ଜଣାପଡ଼ିବା ପରେ ତଦନ୍ତକାରୀ ଟିମ୍ ସେଠାରେ ପହଞ୍ଚି ତାଙ୍କୁ ଧରିଥିଲେ। ସେ ଆକାଉଣ୍ଟ ତାଙ୍କ ସ୍ବାମୀ ମହମ୍ମଦ ରାହିଲ ବ୍ୟବହାର କରୁଥିବା ମହିଳାଜଣକ ପୁଲିସକୁ କହିଥିଲେ। ଏହା ପରେ ଟିମ୍ ରାହିଲଙ୍କୁ ଧରିଥିଲା। ରାହିଲ ଜଣେ ମୋବାଇଲ ସିମ୍ ବିକାଳୀ ହୋଇଥିବା ବେଳେ ତାଙ୍କ ଦୋକାନକୁ ସିମ୍ ନେବାକୁ ଆସୁଥିବା ଲୋକଙ୍କ ଆଧାରକାର୍ଡ ଓ ଡକ୍ୟୁମେଣ୍ଟ୍କୁ ବ୍ୟବହାର କରି କିପରି ସାଇବର ଠକେଇ କରୁଛନ୍ତି ତାହା ପୁଲିସ୍ ଆଗରେ ମାନିଥିଲା।
ରାହିଲ ଜରିଆରେ ତଦନ୍ତକାରୀ ଟିମ୍ ଅନ୍ୟ ୪ ଅଭିଯୁକ୍ତଙ୍କୁ କୋଲକାତାର ଏକ ହୋଟେଲରେ ଚଢ଼ାଉ କରି ଗିରଫ କରିଥିବା ସାଇବର ଥାନାଧିକାରୀ ମୀନା ବିନ୍ଧାଣୀ ସୂଚନା ଦେଇଛନ୍ତି। ଧରାପଡ଼ିଥିବା ଲୁଟେରାମାନେ ନିଜ ନିଜ ଅଞ୍ଚଳରେ ଏକାଧିକ ସାଇବର ଠକେଇରେ ସମ୍ପୃକ୍ତ ରହି ବାରମ୍ବାର ଗିରଫ ହୋଇଛନ୍ତି। ତେବେ ଏହି ସାଇବର ଠକେଇ ମାମଲାରେ ଆହୁରି ଅନେକ ଅଭିଯୁକ୍ତ ସାମିଲ ଅଛନ୍ତି। ମାଷ୍ଟରମାଇଣ୍ଡ ଅଭିଯୁକ୍ତ ବି ଫେରାର ଅଛି। ଗିରଫ ୫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ମାମଲାର ତଦନ୍ତ ଜାରି ରହିଥିବା ଇନ୍ସପେକ୍ଟର ବିନ୍ଧାଣୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/gadgdagadgadgdagdgda.jpg)