ନିର୍ବାଚନ ପୂର୍ବରୁ ନକ୍ସଲ ହମଲା : ବିସ୍ଫୋରଣରେ ୫ ଯବାନ ସହିଦ

ମାଲକାନଗିରି : ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଆଜି ନକ୍ସଲ ବଡ଼ଧରଣର ହିଂସାକାଣ୍ଡ ଘଟାଇଛନ୍ତି। କମ୍ବିଂ ଅପରେସରରେ ବାହାରିଥିବା ସିଆରପିଏଫ ଯବାନଙ୍କୁ ଟାର୍ଗେଟ କରି ନକ୍ସଲ ଲ୍ୟାଣ୍ଡ ମାଇନ ବିସ୍ଫୋରଣ କରିଛନ୍ତି। ତିମାପୁର ନିକଟରେ ଘଟିଥିବା ଏହି ଅଘଟଣରେ ଘଟଣା ସ୍ଥଳରେ ୪ଜଣ ଯବାନ ସହିଦ‌ ହୋଇଛନ୍ତି। ସେହିପରି ଗୁରୁତର ଅବସ୍ଥାରେ ମେଡିକାଲ ନେବା ସମୟରେ ଅନ୍ୟ ଜଣେ ଯବାନ ସହିଦ ହୋଇଯାଇଛନ୍ତି। ଘଟଣା ପରେ ଯବାନମାନେ ଏହି ଅଞ୍ଚଳକୁ ଘେରାବନ୍ଦୀ କରି କମ୍ବିଂ ଅପରେସନକୁ ଜୋରଦାର କରିଛନ୍ତି।

ସୂଚନା ଅନୁଯାୟୀ, ଆଉ ମାତ୍ର ଦୁଇ ସପ୍ତାହ ପରେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନକୁ ପୂର୍ବରୁ ବିରୋଧ କରି ଆସୁଥିବା ନକ୍ସଲ ଗତ କିଛି ଦିନ ହେଲା ଅଧିକ ସକ୍ରିୟ ହୋଇଯାଇଛନ୍ତି। ଏପରିକି ହିଂସାକାଣ୍ଡ କରି ଭୟର ବାତାବରଣ ସୃଷ୍ଟି କରି ନିର୍ବାଚନକୁ ଭଣ୍ଡୁର କରିବାକୁ ପୂରା ଜୋର ଲଗାଇ ଦେଇଛନ୍ତି। ଅନ୍ୟପଟେ ରାଜ୍ୟରେ ମୁତୟନ ଅର୍ଧସାମରିକ ବଳ କମ୍ବିଂ ଅପରେସନକୁ ତ୍ବରାନ୍ବିତ କରିଛି। ଏପରିକି ସନ୍ଦିଗ୍ଧ ଅଞ୍ଚଳରେ ଚଢ଼ାଉ କରିବା ସହ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଉଠାଇ ଆଣି ପଚରା ଉଚୁରା କରୁଛି। ଏଭଳି ପରିସ୍ଥିତିିରେ ଯବାନଙ୍କୁ ଆକ୍ରମଣ କରି ମନୋବଳ ଭାଙ୍ଗିବାକୁ ଆଜି ଗୋଟିଏ ପ୍ରୟାସ କରିଛି ଲାଲ ବାହିନୀ। ଏହି କ୍ରମରେ ୧୬୮ ବାଟାଲିୟନ ସିଆରପିଏଫର ଗୋଟିଏ ଦଳ କମ୍ବିଂ ଅପରେସନରେ କ୍ୟାମ୍ପ ଛାଡ଼ିଥିଲା। ବୁଲେଟପ୍ରୁଫ୍ ଗାଡ଼ିରେ ଯବାନମାନେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ପଶିଥିବା ବେଳେ ମୁର୍ଦାଣ୍ଡା ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂର ତିମାପୁର ନିକଟରେ ଯବାନଙ୍କୁ ଲକ୍ଷ୍ୟ କରି ନକ୍ସଲ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ। ବିସ୍ଫୋରଣର ତୀବ୍ରତା ଏତେ ଜୋର ଥିଲା ଯେ ଗାଡ଼ି କିଛି ଦୂରକୁ ଛିଟିକି ପଡ଼ିବା ସହ ଘଟଣା ସ୍ଥଳରେ ହିଁ ପଶ୍ଚିମବଙ୍ଗର ଏଏସଆଇ ମିର ମେତୁର ରେହମାନ (୫୦), ଓଡ଼ିଶାର ହେଡକନେଷ୍ଟବଳ ତଥା ଡ୍ରାଇଭର ବି.ଏମ ବେହେରା (୪୩), ଆନ୍ଧ୍ର ପ୍ରଦେଶର ସିପାହୀ ସିଏଚ.ପ୍ରବୀଣ (୨୧) ଏବଂ ଆନ୍ଧ୍ର ପ୍ରଦେଶର ହିଁ କନେଷ୍ଟବଳ ଜି.ଶ୍ରୀନୁ କୁମାର(୨୬) ସହିଦ ହୋଇଯାଇଥିଲେ। ସେହିପରି ହେଡକନେଷ୍ଟବଳ ବାବୁ ରାଓ ଏବଂ ଗୁଜରାଟର କନେଷ୍ଟବଳ ପରମାର ହାର୍ଦିକ ସୁରେଶ କୁମାର ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ମେଡିକାଲ ନେବା ସମୟରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ମୃତକଙ୍କ ମଧ୍ୟରେ ଘଷିପୁରାର ବ୍ରଜମୋହନ

ଆନନ୍ଦପୁର : ଛତିଶଗଡ଼ ବିଜାପୁରରେ ଲାଲବାହିନୀଙ୍କ ଲ୍ୟାଣ୍ତମାଇନ ବିସ୍ଫୋରଣରେ ଓଡ଼ିଆ ସିଆର୍‌ପିଏଫ୍ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନ ଜଣଙ୍କ ହେଲେ ଘସିପୁରା ବ୍ଲକ ବଳରାମପୁର ଗ୍ରାମର ବ୍ରଜମୋହନ ବେହେରା(୪୩)। ଆଜି ଅପରାହ୍‌ଣରେ ଘଟିଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ବ୍ରଜମୋହନଙ୍କ ସମେତ ୪ ଜଣ ଯବାନ ସହିଦ୍‌ ହୋଇଛନ୍ତି। ସନ୍ଧ୍ୟାରେ ଏହି ଖବର ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସ୍ବର୍ଗତ ଅର୍ଜୁନ ବେହେରାଙ୍କ ଦ୍ବିତୀୟ ପୁତ୍ର ବ୍ରଜମୋହନ ୧୯୯୬ ମସିହାରେ ସିଆରପିଏଫରେ ଭର୍ତ୍ତି ହୋଇଥିଲେ।

ସମ୍ବନ୍ଧିତ ଖବର