ମାଟ୍ରିକ୍‌ ପାସ କ‌ଲେ ନଗଡ଼ାର ଦାଦନ ଫେରନ୍ତା ୫ ଜୁଆଙ୍ଗ ଛାତ୍ର

କାଳିଆପାଣି : ମାଟ୍ରିକ୍‌ ପରୀକ୍ଷା ପୂର୍ବରୁ ଦାଦନ ଯାଇଥିଲେ। ଆଉ ସେଠାରୁ ଫେରିବା ପରେ ନଗଡ଼ାର ୫ ଜଣ ଜୁଆଙ୍ଗ ଜନଜାତି ଛାତ୍ର ସୁକିନ୍ଦା ବ୍ଲକ ଗୋବରଘାଟି ହାଇସ୍କୁଲରୁ ମାଟ୍ରକ୍ ପାସ୍ କରିଛନ୍ତି। ୩୦୬ ନମ୍ବର ରଖି ବାଉରିଆ ପ୍ରଧାନ, ୨୪୪ ନମ୍ବର ରଖି ନିଧିଆ ପ୍ରଧାନ, ୨୩୮ ନମ୍ବର ରଖି କାଳିଆ ପ୍ରଧାନ, ୨୧୪ ନମ୍ବର ରଖି ମିଟୁ ପ୍ରଧାନ ଓ ୧୯୮ ନମ୍ବର ରଖି ସଇତ ପ୍ରଧାନ ପାସ୍‌ କରିଛନ୍ତି। ଏହି ପରୀକ୍ଷାରେ ତାଙ୍କର ଅନ୍ୟ ୨ ସହପାଠୀ ଲଟିଆ ପ୍ରଧାନ ୨୨୪ ନମ୍ବର ଓ ରବି ପ୍ରଧାନ ୧୯୦ ନମ୍ବର ରଖିଥିଲେ ମଧ୍ୟ ଅକୃତ କ‌ାର୍ଯ୍ୟ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଉପରୋକ୍ତ ଛାତ୍ରମ‌ାନେ କରୋନ‌ା ବେଳେ ଗାଁକୁ ପଳାଇ ଆସିଥିଲେ। ଜନୈକ ଦଲାଲ୍ କଥାରେ ପଡ଼ି ଭୁବନେଶ୍ବରରେ ରହି ଦାଦନ ଖଟୁଥିଲେ। ମାଟ୍ରିକ୍ ସମ୍ମେଟିଭ୍‌-୧ ପୂର୍ବରୁ ଏହି ପିଲାମାନେ ନିଖୋଜ ଥିବା ନଜରକୁ ଆସିଥିଲା। ସଂପୃକ୍ତ ଅଭିଭାବକମାନେ ଆମ ପ୍ରତିନିଧିଙ୍କୁ ଭେଟି ଦୁଃଖ ଜଣାଇଥିଲେ। ଏ ସଂକ୍ରାନ୍ତରେ ଗତ ଜାନୁଆରି ୪ ତାରିଖ ‘ସମ୍ବାଦ’ ପ୍ରଥମ ପୃଷ୍ଠାରେ ‘ମାଟ୍ରିକ୍‌ ଦେଇଥାନ୍ତେ, ବନ୍ଧା ପଡ଼ିଛନ୍ତି’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ପ୍ରଶାସନିକ ତନାଘନା ପରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ଏକ ସ୍ବତନ୍ତ୍ର ପ୍ରତିନିଧି ଦଳର ତତ୍ପରତା ପରେ ସମସ୍ତ ପରୀକ୍ଷାର୍ଥୀ ଓ ସାଥୀ ନାବାଳକମାନଙ୍କୁ ଉଦ୍ଧାର କରାଯାଇଥିଲା। ପରେ ଏମାନେ ମାଟ୍ରିକ୍‌ ପରୀକ୍ଷା ଦେଇଥିବା ବେଳେ କୃତକାର୍ଯ୍ୟ ହୋଇଛନ୍ତି।

ସମ୍ବନ୍ଧିତ ଖବର