୧୦ଟଙ୍କା ପାର୍କିଂ ଫି’ ମାଗିବାରୁ ୫ ନାବାଳକ ସାରାରାତି ଅଟକ

ପୁଲିସର ଦାଦାଗିରିକୁ ନେଇ ପୁଣି ଏକ ଚର୍ଚ୍ଚା

ରାଉରକେଲା: ନୀଳଗିରି ଡାକ୍ତରଖାନାରେ ସାମ୍ବାଦିକଙ୍କୁ ବେଡ଼ି ଘଟଣା ଚର୍ଚ୍ଚାରେ ପରେ ଏବେ ରାଉରକେଲାରୁ ସାମ୍‌ନାକୁ ଆସିଛି ପୁଲିସର ଦାୟିତ୍ବହୀନ ଦାଦାଗିରି। ପାର୍କିଂ ଫି’ ବାବଦକୁ ମାତ୍ର ୧୦ ଟଙ୍କା ମାଗିବାରୁ ୫ ଜଣ ନାବାଳକଙ୍କ ସହ ପାର୍କିଂ ଦାୟିତ୍ୱରେ ଥିବା ଯୁବକଙ୍କୁ ରାତିସାରା ଥାନାରେ ଅଟକ ରଖାଯାଇଛି। ଜଣେ କ୍ଷମତାଲୋଭୀ ଅଧିକାରୀଙ୍କ ଅନୈତିକ କାର୍ଯ୍ୟକଳାପ ପାଇଁ କିଭଳି ସମଗ୍ର ପୁଲିସ ବିଭାଗକୁ ବଦନାମ ସହିବାକୁ ପଡେ, ତା’ର ସ୍ପଷ୍ଟ ଉଦାହରଣ ହେଉଛି ସେକ୍ଟର-୭ ଥାନାରେ ଘଟିଥିବା ଏହି ଘଟଣା।

ପରୀକ୍ଷା ଦେଇପାରିଲେନି ଯୁକ୍ତ୨ ଛାତ୍ର

ସେକ୍ଟର-୫ ଭଞ୍ଜ ମଣ୍ଡପରେ ଚାଲିଛି ହ୍ୟାଣ୍ଡଲୁମ ଏକ୍ସପୋ ପ୍ରଦର୍ଶନୀ ମେଳା ବାହାରେ ଥିବା ଖୋଲା ପଡ଼ିଆରେ ଦର୍ଶକଙ୍କ ପାଇଁ ଗାଡି ପାର୍କିଂ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ବିନୟ କୁମାର ରାମ ନାମକ ଜଣେ ଯୁବକଙ୍କୁ ସେକ୍ଟର-୭ ପୁଲିସ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ପାର୍କିଂସ୍ଥଳରେ ଟିକେଟ କାଟିବା ଓ ଗାଡ଼ିର ସୁରକ୍ଷା ଦାୟିତ୍ୱରେ ବିନୟ କିଛି ସ୍ଥାନୀୟ ସ୍କୁଲ କଲେଜ ପଢୁଆ ପିଲାଙ୍କୁ ନିୟୋଜିତ କରିଛନ୍ତି। ପ୍ରାପ୍ତ ଅଭିଯୋଗ ଅନୁସାରେ, ଗତକାଲି ସନ୍ଧ୍ୟାରେ ଜଣେ ମହିଳା ପୁଲିସ ଅଧିକାରୀ ସାଦାପୋଷାକରେ ମେଳା ବୁଲିବାକୁ ଆସିଥିଲେ।

ସେ ନିଜ ସ୍କୁଟିକୁ ପାର୍କିଂସ୍ଥଳରେ ରଖିଥିଲେ। ସେତିକିବେଳେ ସେଠାରେ ନିୟୋଜିତ ଥିବା ଜଣେ ନାବାଳକ ୧୦ଟଙ୍କା ଫି’ ମାଗିଦେବାରୁ ମହିଳା ପୁଲିସ ଅଧିକାରୀ ହଠାତ୍ ରାଗିଯାଇଥିଲେ। ସେ ନିଜକୁ ପୁଲିସ ଅଧିକାରୀ କହିବା ସହ ଫି’ଦେବାକୁ ସିଧାସଳଖ ମନା କରିଦେଇଥିଲେ। ପରେ ପୁଲିସ ଅଧିକାରୀ ଜାଣି ସମ୍ପୃକ୍ତ ନାବାଳକ ଜଣକ ଆଉ ଫି’ ମାଗିବାକୁ ସାହସ ଜୁଟାଇନପାରି ତାଙ୍କୁ ମେଳା ଭିତରକୁ ଯିବାକୁ ନିବେଦନ କରିଥିଲେ। କିନ୍ତୁ ତାଙ୍କୁ ପାର୍କିଂ ଫି’ ମଗା ଯିବାର କଥାରେ ଉକ୍ତ ମହିଳା ପୁଲିସ ଏତେ ରାଗି ଯାଇଥିଲେ ଯେ ସହରର ଅନ୍ୟ ଏକ ଥାନାର ଥାନାଧିକାରୀ ଥିବା ନିଜ ସ୍ୱାମୀଙ୍କୁ ଫୋନ୍‌କରି ଜଣାଇଥିଲେ।

ଏହାର କିଛି ସମୟ ପରେ ସେକ୍ଟର-୭ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାର୍କିଂ ଷ୍ଟାଣ୍ଡ ମାଲିକ ବିନୟଙ୍କ ସମେତ ୫ ନାବାଳକଙ୍କୁ ଉଠାଇ ଆଣିଥିଲା। ରାତି ସାରା, ଅର୍ଥାତ ଗତକାଲି ରାତି ସାଢ଼େ ୯ ଟାରୁ ଆଜି ପୂର୍ବାହ୍ନ ସାଢେ଼ ୧୦ ଟା ପର୍ଯ୍ୟନ୍ତ ସମସ୍ତଙ୍କୁ ଥାନାରେ ଅଟକ ରଖିଥିଲା ସେକ୍ଟର-୭ ପୁଲିସ। ସେମାନଙ୍କୁ କେବଳ ଅଟକ ରଖାଯାଇନଥିଲା, ସମସ୍ତଙ୍କ ବିରୋଧରେ ଦାଦାବଟି ମାଗିବା ଭଳି ସଙ୍ଗୀନ ମାମଲା ରୁଜୁ କରିଥିଲା ପୁଲିସ।
ପ୍ରକାଶଥାଉକି, ରାତିସାରା ଥାନାରେ ଅଟକ ଥିବା ଜଣେ ଥିଲେ ଯୁକ୍ତ ଦୁଇ ଶ୍ରେଣୀର ଛାତ୍ର। ଆଜି ସକାଳେ ତାଙ୍କର ପରୀକ୍ଷା ଥିବାବେଳେ ଥାନାରୁ ମୁକୁଳି କଲେଜ ପହଞ୍ଚିଲାବେଳକୁ ଆଜିର ପରୀକ୍ଷା ଶେଷ ହୋଇସାରିଥିଲା। ଏ ଘଟଣା ନେଇ ଏବେ ବି ଚାପା ଉତ୍ତେଜନା ଲାଗିରହିଛି।

ସମ୍ବନ୍ଧିତ ଖବର