ବ୍ରହ୍ମପୁର/ପାତ୍ରପୁର : ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଶ୍ରୀକାକୁଲମ୍ ଜିଲ୍ଲା ମଞ୍ଜୁଷା ଥାନା କୋତପଲ୍ଲୀ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଭୋର୍ ସାଢ଼େ ୫ଟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘନକୁହୁଡ଼ିରେ ରାସ୍ତା ଦେଖା ନଦେବାରୁ ଗୋଟିଏ କାର୍ ଦ୍ରୁତ ଗତିରେ ଭାରସାମ୍ୟ ହରାଇ କଲଭର୍ଟକୁ ପିଟି ହୋଇ କେନାଲକୁ ଖସି ପଡ଼ିବାରୁ ୫ଜଣ ପ୍ରାଣ ହରାଇଛନ୍ତି। ମୃତକମାନେ ଦୁଇ ପରିବାରର ସଦସ୍ୟ ଓ ସେମାନେ ଭୁବନେଶ୍ବର ନିକଟ ସୁନ୍ଦରପଦାର ବାସିନ୍ଦା। ସୁନ୍ଦରପଦା-ଜଟଣୀ ରାସ୍ତାରେ ଥିବା ଅନ୍ନପୂର୍ଣ୍ଣା ଟାୱାର୍ ଆପାର୍ଟମେଣ୍ଟ୍ରେ ସେମାନେ ରହୁଥିଲେ। ଆନ୍ଧ୍ରପ୍ରଦେଶ ସୀମାଞ୍ଚଳ ମନ୍ଦିରରୁ ଦର୍ଶନ ସାରି ସେମାନେ ଫେରୁଥିବା ସମୟରେ ଏହି ଛାତିଥରା ଦୁର୍ଘଟଣା ଘଟିଥିଲା।
ମୃତକମାନେ ହେଲେ, ଦଣ୍ତପତି ପ୍ରତାପ, ପତ୍ନୀ ରିତୁ ଦାଶ, ଶାଳୀ ଜିତାରାଣୀ ଦାଶ ଓ ତ୍ରିଲୋଚନ ଜେନାଙ୍କ ପତ୍ନୀ ବନିତା ଜେନା, ପୁଅ ଆଦର୍ଶ (୪)। ତ୍ରିଲୋଚନ ଗୁରୁତର ଅବସ୍ଥାରେ ଆନ୍ଧ୍ର ସୋମ୍ପେଟ୍ଟା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣା ୨ ପରିବାରର ତୀର୍ଥଯାତ୍ରା ଶେଷଯାତ୍ରା ପାଲଟିଛି।
ମଞ୍ଜୁସା ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଭୁବନେଶ୍ବର ଏୟାରଫିଲଡ୍ ଥାନା ଅର୍ନ୍ତଗତ ସୁନ୍ଦରପଦା ଅଞ୍ଚଳର ଦୁଇ ସାଙ୍ଗ ଦଣ୍ତପତି ପ୍ରତାପ ଏବ˚ ତ୍ରିଲୋଚନ ଜେନା ସେମାନଙ୍କ ପରିବାରକୁ ନେଇ ଏକ କାର୍ରେ (ଓଡ଼ି-୦୨-ବିବି-୨୨୮୨) ସୀମାଞ୍ଚଳ ଦର୍ଶନ ପାଇଁ ଯାଇଥିଲେ। ଗତ ଗୁରୁବାର ଦିନ ଭୁବନେଶ୍ବରରୁ ବାହାରି ଗତକାଲି ସକାଳେ ପହଞ୍ଚିଥିଲେ। ଗତକାଲି ରାତି ସାଢ଼େ ୧୧ଟାରେ ସେମାନେ ଭୁବନେଶ୍ବର ଅଭିମୁଖେ ଫେରୁଥିଲେ। ଦଣ୍ଡପତି କାର୍ ଚଳାଉଥିଲେ। ପଲାସାରେ ଓହ୍ଲାଇ ସମସ୍ତେ ଚା’ ପିଇବା ପରେ ଶୋଇ ଯାଇଥିଲେ। ହେଲେ ମୃତ୍ୟୁ ଯେମିତି ସେମାନଙ୍କ ବାଟକୁ ଚାହିଁ ବସିଥିଲା। ଭୋର୍ ସାଢ଼େ ୫ଟାରେ କାର୍ କୋତପଲ୍ଲୀ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ପହଞ୍ଚିବା କ୍ଷଣି ଘନ କୁହୁଡ଼ି କାରଣରୁ ଭାରସାମ୍ୟ ହରାଇ କଲଭର୍ଟକୁ ପିଟି ହୋଇ କେନାଲକୁ ଖସି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗାଡ଼ିର କିଛି ଯନ୍ତ୍ରାଂଶ ବିଛେଇ ହୋଇ ଏଣେତେଣେ ପଡ଼ିଥିଲା। ଆଉ କାର୍ଟି ପାଣିରେ ବୁଡ଼ି ଯାଇଥିଲା। ବ୍ରହ୍ମପୁର ଠାରୁ ପ୍ରାୟ ୧୨୩ କିଲୋମିଟର ଏବ˚ ପାରଳାଖେମୁଣ୍ତି ଠାରୁ ମାତ୍ର ୨୬ କିଲୋମିଟର ଦୂର ସ୍ଥାନରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଆଖପାଖରେ କେହି ବି ନଥିଲେ। ଜଣେ ମାତ୍ର ତ୍ରିଲୋଚନ ପଛ କାଚ ଭାଙ୍ଗି ଏଥିରୁ ବର୍ତ୍ତିଯାଇଥିଲେ।
ସ୍ଥାନୀୟ ଲୋକଙ୍କୁ ସେ ଡାକିବା ପରେ ମଞ୍ଜୁଷା ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କ୍ରେନ୍ ସାହାଯ୍ୟରେ କାର୍ ଏବଂ ଚାପି ହୋଇ ରହିଥିବା ଶବକୁ ଉଦ୍ଧାର କରିଥିଲେ। ସମସ୍ତ ଶବକୁ ବ୍ୟବଚ୍ଛେଦ ଲାଗି ରଖାଯାଇଥିବା ବେଳେ ତ୍ରିଲୋଚନ ସୋମ୍ପେଟ୍ଟା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମୃତକ ଦଣ୍ଡପତିଙ୍କ ପୈତୃକ ଗ୍ରାମ ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅର୍ନ୍ତଗତ ଏସ୍.ପି.ଜଗଦେବପୁର। ଦୀର୍ଘ ବର୍ଷ ହେଲା ପ୍ରତାପଙ୍କ ପରିବାର ଗାଁ ଛାଡ଼ି ସାରିଛନ୍ତି। ତାଙ୍କ ପରିବାର ଏବେ ଯାଜପୁରରେ ରହୁଥିବା ବେଳେ ପ୍ରତାପ ଭୁବନେଶ୍ବର ନିକଟ ସୁନ୍ଦରପଦାରେ ରହି ସ୍ନାକ୍ସ ଦୋକାନ କରିଛନ୍ତି। ସେହିପରି ତାଙ୍କ ବନ୍ଧୁ ତ୍ରିଲୋଚନ ମଧ୍ୟ ବ୍ୟବସାୟ କରୁଛନ୍ତି। ଏହି ଘଟଣା ଗଞ୍ଜାମ ଓ ସୀମାନ୍ତ ଆନ୍ଧ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ଆଣିଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/car-ff.jpg)