ରାଣୀତାଲ/କୁଚିଣ୍ଡା/କବାଟବନ୍ଧ/କୁଜଙ୍ଗ/ ମାହାଙ୍ଗା: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁ ଗତକାଲି ୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଆଉ ୫ଜଣଙ୍କ ମୃତ୍ୟୁ ଘଟିଛି। ଭଦ୍ରକଜିଲ୍ଲା ସାବରଙ୍ଗ ଥାନା ଅନ୍ତର୍ଗତ କୋଡ଼ବରୁଆ ପଞ୍ଚାୟତ କୋଡ଼ବରୁଆ ଗ୍ରାମର ପ୍ରହ୍ଲାଦ ଦାସଙ୍କ ଝିଅ ତଥା ଚରମ୍ପା କଲେଜର ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ ଲିଲିରାଣୀ (୧୮) ଆଜି ମଧ୍ୟାହ୍ନରେ କୌଣସି କାମରେ ଘର ପାଖ ପଡ଼ିଆକୁ ଯାଇଥିବା ବେଳେ ବଜ୍ରପାତ ହେବାରୁ ଟଳିପଡ଼ିଥିଲେ। ଘରଲୋକ ତାଙ୍କୁ ଭଦ୍ରକ ଡାକ୍ତରଖାନା ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ସୁବର୍ଣ୍ଣପାଲି ଗ୍ରାମର କୃଷି ଶ୍ରମିକ କୈଳାସ ସେଉଳ (୩୫)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଦୀନେଶ ଜାମଡୁଲିଆ (୨୫) ଗୁରୁତର ହୋଇଛନ୍ତି। ଧର୍ମଶାଳା ବ୍ଲକ୍ କବାଟବନ୍ଧ ଅଞ୍ଚଳରେ ଆଜି ଅପରାହ୍ଣରେ ବଜ୍ରପାତ ଯୋଗୁ ବିଲରେ କାମ କରୁଥିବା ଜେନାପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ପଞ୍ଚାୟତ ବଳଭଦ୍ରପୁର ଗ୍ରାମର ଭାଗୀରଥି ନାୟକ(୬୫)ଙ୍କ ମୃତ୍ୟୁ ଘଟିଛି। ସେହିପରି ଅବିଭକ୍ତ କଟକ ଜିଲ୍ଲାର ଦୁଇଟି ସ୍ଥାନରେ ବଜ୍ରପାତ ଯୋଗୁ ଦୁଇ ଚାଷୀଙ୍କର ମୃତ୍ୟୁ ଘଟିଛି। ଧାନବିଲରେ ଚାଷକାର୍ଯ୍ୟ କରୁଥିବା ବେଳେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଭଦ୍ରେଶ୍ବର ଥାନା ପୋଡ଼ାମରାଇ ପଞ୍ଚାୟତ ସିନ୍ଧୁପୁର
ଗ୍ରାମର ଚାଷୀ ପ୍ରଦୀପ୍ତ ଖଟୁଆ(୪୨)ଙ୍କ ମୃତ୍ୟୁ ଘଟିଛି। କୁଜଙ୍ଗ ଥାନା ଫତେପୁର ପଞ୍ଚାୟତ ଜଳଧରପୁର ଗ୍ରାମର ବିଜୟ ସାମଲ(୬୯) ଓ ତାଙ୍କ ସାନଭାଇ କୈଳାସ ରୁଆ ବେଉଷଣ କରିବାକୁ ବିଲକୁ ଯାଇଥିଲେ। ଦିନ ପ୍ରାୟ ୨ଟା ବେଳେ ଦୁଇଭାଇ ଘରକୁ ଫେରୁଥିବା ସମୟରେ ବଜ୍ରପାତ ହେବାରୁ ବିଜୟଙ୍କ ମୃତ୍ୟୁ ଘଟିଛି।