ନାଲକୋନଗର/ଘଟଗାଁ/ଅତାବିରା/ସୋହେଲା : ଆଜି ଅପରାହ୍ଣରେ ଅନୁଗୁଳ ଜିଲ୍ଲା ନାଲ୍କୋ ସିପିପି ପ୍ଲାଣ୍ଟ ନିକଟ ଏକ ବସ୍ତିରେ ବଜ୍ରପାତ ଘଟି ଦୁଇ ଯୁବକଙ୍କର ମୃତ୍ୟୁ ଘଟିଛି। ବର୍ଷା ଯୋଗୁଁ ବସ୍ତିର ଏହି ଦୁଇ ସାଙ୍ଗ ଏକ ଗଛତଳେ ଆଶ୍ରୟ ନେଇଥିବାବେଳେ ବଜ୍ରପାତ ହେବାରୁ ଦୁହିଁଙ୍କର ଜୀବନ ଚାଲିଯାଇଛି। ଏହି ଘଟଣାକୁ ମିଶାଇ ବଜ୍ରପାତରେ ୫ ଜଣଙ୍କର ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ନାଲ୍କୋ ସିପିପି ପ୍ଲାଣ୍ଟ ନିକଟ ଟାଙ୍କି ହଟିଂର ରାମଚନ୍ଦ୍ର କିସ୍କୁ ଓ ଦଶରଥ ମୁର୍ମୁ ଦୁହେଁ ସାଙ୍ଗ। ଉଭୟଙ୍କ ବୟସ ପାଖାପାଖି ୨୫ ବର୍ଷ। ରାମଚନ୍ଦ୍ର ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜରେ ବି-ଟେକ୍ ଶେଷବର୍ଷର ଛାତ୍ର ଥିଲେ। ଦଶରଥ ସିପିପି ପ୍ଲାଣ୍ଟ୍ରେ ଠିକା ଶ୍ରମିକ ରୂପେ କାର୍ଯ୍ୟ କରୁଥିଲେ। ଆଜି ଅପରାହ୍ଣ ପ୍ରାୟ ସାଢ଼େ ୩ଟାବେଳେ ସେମାନେ ଖେଳିବା ପାଇଁ ବସ୍ତି ନିକଟ ପଡ଼ିଆକୁ ଆସିଥିଲେ। ସେତେବେଳେ ଘଡ଼ଘଡ଼ି ସହ ଅସରାଏ ବର୍ଷା ହୋଇଥିଲା। ତେଣୁ ରାମଚନ୍ଦ୍ର ଓ ଦଶରଥ ପଡ଼ିଆ ନିକଟ ଏକ ଗଛ ତଳକୁ ଚାଲିଆସିଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ଉଭୟେ ଟଳିପଡ଼ିଥିଲେ। ବର୍ଷା ଛାଡ଼ିଯିବା ପରେ ପଡ଼ିଆ ନିକଟ ରାସ୍ତା ଦେଇ କେତେକ ଯୁବକ ଯିବାବେଳେ ରାମଚନ୍ଦ୍ର ଓ ଦଶରଥଙ୍କ ମୃତଦେହ ପଡ଼ିଥିବା ଦେଖି ଉଭୟଙ୍କ ଘରେ ଜଣାଇଥିଲେ। ଖବର ପାଇ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ସଂପର୍କରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଘଟଗାଁ ବ୍ଲକ୍ ବିନିଦା ଗ୍ରାମରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସାରୁପାଟ ଗ୍ରାମର ଶ୍ରୀଧର ମୁଣ୍ଡାଙ୍କ ପତ୍ନୀ ସାବିତ୍ରୀ (୨୭)। ସାବିତ୍ରୀଙ୍କ ବାପଘର ବିନିଦା ଗ୍ରାମରେ। ସେ ବଖରାରେ ଧାନଚାଷ କରିଥିଲେ। ଆଜି ଅପରାହ୍ଣରେ ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ସାବିତ୍ରୀ ଟଳି ପଡ଼ିଥିଲେ। ସାବିତ୍ରୀଙ୍କ ଦୁଇଟି ଛୋଟ ଛୁଆ ଥିବା ଜଣାପଡ଼ିଛି।
ସେହିଭଳି, ବରଗଡ଼ ଜିଲ୍ଲାରେ ବୁଧବାର ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲୁଣ୍ଡା ଗାଁରେ ବଜ୍ରପାତ ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାମ ନୀରବତି ଜାଲ (୫୩)। ସେ ଅନ୍ୟ ୫ ଜଣ ମହିଳାଙ୍କ ସହ ଚାଷ ଜମିକୁ ଘାସ ବାଛିବାକୁ ଯାଇଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ବଜ୍ରପାତ ହେବାରୁ ଚାଷ ଜମିରେ ନୀରବତି ଟଳି ପଡ଼ିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ସହ କାମ କରୁଥିବା ରୀତା ସାହୁ (୨୫) ଓ ମନୋକାନ୍ତି ଭୋଇ (୩୬) ଗୁରୁତର ହୋଇଥିଲେ। ଉଭୟଙ୍କୁ ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ମନୋକାନ୍ତିଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ସେହିପରି ସୋହେଲା ବ୍ଲକ ଅନ୍ତର୍ଗତ ବୈଦେଶପାଲି ଗାଁରେ ବଜ୍ରପାତରେ ଉସବ ଭୋଇ (୩୫)ଙ୍କ ମୃତ୍ୟୁ ଘଟିଛି। ସେଠାରେ ୭ ଜଣ ଗୁରୁତର ହୋଇ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି।