ନୂଆ ବର୍ଷରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ୫ଲକ୍ଷ ଶ୍ରଦ୍ଧାଳୁ

ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଲେ ନବୀନ, ଦର୍ଶନ କଲେ ଅନେକ ନେତା ଓ ମନ୍ତ୍ରୀ

ପୁରୀ: ବର୍ଷ ୨୦୧୮ର ପ୍ରଥମ ଦିନରେ ସୋମବାର ପାଖାପାଖି ୫ଲକ୍ଷ ଭକ୍ତ ଶ୍ରୀଜୀଉମାନଙ୍କୁ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୀଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ସେହିଭଳି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ମହେଶ୍ୱର ମହନ୍ତି ମଧ୍ୟ ପ୍ରଭୁଙ୍କ ଦର୍ଶନ କରିଛନ୍ତି। ଭାରତୀୟ ଜନତା ପାର୍ଟିର ପ୍ରଫୁଲ୍ଲ ସାମଲ ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ପ୍ରସାଦ ହରିଚନ୍ଦନ ମଧ୍ୟ ଜଗନ୍ନାଥ ଦର୍ଶନ କରିଛନ୍ତି। ଶ୍ରୀକ୍ଷେତ୍ରରେ ପାଗ ମେଘୁଆ ରହିବା ସହିତ ମଝିରେ ମଝିରେ ସ୍ୱଳ୍ପ ବର୍ଷା ଯୋଗୁଁ ଶ୍ରଦ୍ଧାଳୁମାନେ ହର୍ଷୋଲ୍ଲାସରେ ଠାକୁର ଦର୍ଶନ କରିଛନ୍ତି। ପାଗ ଅନୁକୂଳ ଥିବାରୁ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ରହିବା ସତ୍ତ୍ୱେ ଭକ୍ତଙ୍କୁ ବରିକ୍ତ ଲାଗୁ ନଥିଲା। ରାତି ୧ଟା ୨୫ରେ ଶ୍ରୀମନ୍ଦିର ମୁଖ୍ୟ ଦ୍ୱାର ଖୋଲିବା ପରେ ଭକ୍ତଙ୍କୁ ପ୍ରବେଶ ପାଇଁ ଛାଡି ଦିଆଯାଇଥିଲା।

ନୂଆବର୍ଷ ଉପଲକ୍ଷେ ଭକ୍ତଙ୍କ ବ୍ୟାପକ ଭିଡ଼କୁ ଲକ୍ଷରେ ରଖି ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଅନ୍ୟ ବର୍ଷ ଭଳି ଏବର୍ଷ ମଧ୍ୟ ଭକ୍ତଙ୍କ ଭିଡ଼ ରହିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦର୍ଶନ କରି ସାରିବା ବେଳକୁ ସିଂହଦ୍ୱାର ଠାରୁ ବଡ଼ଦାଣ୍ଡରେ ବହୁ ଦୂର ପର୍ଯ୍ୟନ୍ତ ଲାଇନ୍‌ ଲମ୍ବିଥିଲା। ସେହିଭଳି ସଂନ୍ଧ୍ୟା ୭ଟା ବେଳକୁ ମଧ୍ୟ ସିଂହଦ୍ୱାର ଠାରୁ ମରୀଚିକା ଛକ ପର୍ଯ୍ୟନ୍ତ ଭକ୍ତ ଲାଇନ୍‌ରେ ଛିଡ଼ା ହୋଇଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରାତି ୯ଟା ୫ରେ ମହାପ୍ରସାଦ ହେବ।

ଭକ୍ତଙ୍କୁ ଶାନ୍ତିପୂର୍ଣ୍ଣ ଦର୍ଶନ କରାଇବା ଲକ୍ଷ୍ୟ ନେଇ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଏଥି ପାଇଁ ମରୀଚିକା ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବାଇକ ଓ ଅନ୍ୟ ଯାନବାହାନକୁ ନିଷେଧ କରାଯାଇଥିଲା। ଭକ୍ତଙ୍କୁ ଚାଲିଚାଲି ଯିବାକୁ ପଡୁଥିଲା। ସେହିଭଳି ପର୍ଯ୍ୟଟକମାନେ ବେଳାଭୂମିରେ ଉତ୍ସାହର ସହିତ ନୂଆବର୍ଷର ମଜା ନେଇଥିଲେ।

ସମ୍ବନ୍ଧିତ ଖବର