ଭୁବନେଶ୍ବର : ମଧୁବାବୁ ପେନ୍ସନ୍ ଯୋଜନାରେ ଆଉ ୫ ଲକ୍ଷ ହିତାଧିକାରୀ ଯୋଡ଼ି ହୋଇଛନ୍ତି। ଆସନ୍ତା ୧୫ ତାରିଖରୁ ଏହି ନୂଆ ହିତାଧିକାରୀମାନେ ପେନ୍ସନ୍ ପାଇବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି। ରାଜ୍ୟର ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ମଧୁବାବୁ ପେନ୍ସନ୍ ଯୋଜନାରୁ ବଞ୍ଚିତ ନ ହୁଅନ୍ତି, ତାହା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି। ମଧୁବାବୁ ପେନ୍ସନ୍ ଯୋଜନା ରାଜ୍ୟ ସରକାରଙ୍କ ନିଜସ୍ବ ଯୋଜନା। ବର୍ତ୍ତମାନ ଏହି ଯୋଜନାରେ ୪୩ ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି।
ସେହିପରି ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ ୪୦ ହଜାର କଳାକାରଙ୍କୁ ଚଳିତ ମାସ ୧୫ ତାରିଖରୁ ମାସିକ ୧୨୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବ। ଗତ ଜାନୁଆରି ମାସରେ ଶ୍ରୀ ପଟ୍ଟନାୟକ ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ ଘୋଷଣା କରିଥିଲେ। ଏଥିରେ ୫୦ ହଜାର ହିତାଧିକାରୀଙ୍କୁ ସାମିଲ୍ କରାଯିବାରୁ ଲକ୍ଷ୍ୟ ରଖାଯାଇଥିଲା। ଏହି ସହାୟତା ପାଇଁ ଆବେଦନ ନିୟମାବଳୀରେ ପରିବର୍ତ୍ତନ କରାଯାଇ ଜିଲ୍ଲା ପ୍ରଶାସନକୁ ମଞ୍ଜୁରୀ କ୍ଷମତା ଦିଆଯାଇଥିଲା। ସହାୟତା ନିମନ୍ତେ ପୂର୍ବରୁ ପୁରୁଷ କଳାକାରଙ୍କ ବୟସ ୬୦ ଓ ମହିଳା କଳାକାରଙ୍କ ବୟସ ୫୦ ବର୍ଷ ଥିଲା ବେଳେ ଏବେ ଏହାକୁ ହ୍ରାସ କରାଯାଇ ଯଥାକ୍ରମେ ୫୦ ଓ ୪୦ ବର୍ଷ କରାଯାଇଛି।
ଉଭୟ ମଧୁବାବୁ ପେନ୍ସନ୍ ଯୋଜନା ଓ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ହିତାଧିକାରୀମାନଙ୍କୁ ପ୍ରତି ମାସ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ସ୍ବତନ୍ତ୍ର ଶିବିର କରାଯାଇ େପନ୍ସନ୍ ପ୍ରଦାନ କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିେର୍ଦ୍ଦଶ ଦେଇଛନ୍ତି। ଏହି ଶିବିର ଆୟୋଜନରେ ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧି ଓ ସ୍ବେଚ୍ଛାସେବୀମାନଙ୍କ ସହାୟତା ନିଆଯିବ।
ଆଜି ସଚିବାଳୟରେ ପିଠା(ପିପୁଲ୍ସ ଏମ୍ପାୱାରମେଣ୍ଟ୍-ଏନାବ୍ଲିଂ ଟାନ୍ସପରେନ୍ସି ଆଣ୍ଡ ଆକାଉଣ୍ଟେବିଲିଟି ଅଫ୍ ଓଡ଼ିଶା ଇନିସିଏଟିଭ୍ସ୍) କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସମ୍ପର୍କରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରସଙ୍ଗ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀମାନେ ଯେପରି ସେମାନଙ୍କ ହକ୍ ସୁବିଧାରେ ପାଇପାରିବେ, ତାହାକୁ ଦୃଷ୍ଟିରେ ରଖି ପିଠା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ପ୍ରତି ମାସ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ବ୍ଲକ୍ ସ୍ତରରେ ଆୟୋଜନ କରାଯିବ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣ ଯୋଜନା ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିେଲ। ପିଠା କାର୍ଯ୍ୟକ୍ରମ ଦ୍ବାରା ଜନସାଧାରଣ ସଶକ୍ତ ହେବା ସହ ପ୍ରଶାସନ ଅଧିକ ଉତ୍ତରଦାୟୀ ହେବ ଏବଂ କାର୍ଯ୍ୟକ୍ରମର ସ୍ବଚ୍ଛତା ବୃଦ୍ଧି ପାଇବ ବୋଲି ସେ କହିଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍, ବିଭିନ୍ନ ବିଭାଗର ସଚିବ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ବିଡିଓ ଉପସ୍ଥିତ ଥିଲେ।