ରାଜ୍ୟରେ ୫ଲକ୍ଷ ନେଲେଣି କରୋନା ଟିକା

ଭୁବନେଶ୍ବର : ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କୁ ମିଶାଇ ସମୁଦାୟ ୫ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆ ସରିଲାଣି। ଏଥିରେ ଉଭୟ ପ୍ରଥମ ଓ ଦ୍ବିତୀୟ ଡୋଜ୍‌ର ଟିକାକରଣ ରହିଛି। ସମୁଦାୟ ୩୦ଦିନରେ ୫ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତମାସ ୧୬ତାରିଖରୁ ରାଜ୍ୟରେ କରୋନା ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ କେବଳ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଥିବା ବେଳେ ପରବର୍ତୀ ସମୟରେ ଆଗଧାଡ଼ିର ଯୋଦ୍ଧାଙ୍କୁ ଟିକାଦାନ ଆରମ୍ଭ ହୋଇଛି। ରାଜ୍ୟରେ ସମୁଦାୟ ୩ଲକ୍ଷ ୩୮ହଜାର ୭ଶହ ସ୍ବାସ୍ଥ୍ୟକର୍ମୀ ଟିକା ନେବା ପାଇଁ ପଞ୍ଜୀକୃତ ହୋଇଥିବା ବେଳେ ୨ଲକ୍ଷ ୪ହଜାର ୪୬୯ଜଣ ଆଗଧାଡ଼ିର ଯୋଦ୍ଧା ପଞ୍ଜୀକୃତ ହୋଇଛନ୍ତି। ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ସମୁଦାୟ ୮୫.୯ ହାରରେ ୨ଲକ୍ଷ ୯ହଜାର ୯୩୯ଜଣ ଟିକା ନେଇଛନ୍ତି। ଏହାସହ ୯୪ହଜାର ୯୬୬ଜଣ ସ୍ବାସ୍ଥ୍ୟକର୍ମୀ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ସେହିପରି ୧ଲକ୍ଷ ୪୭ହଜାର ୧୮୮ଜଣ ଆଗଧାଡ଼ିର ଯୋଦ୍ଧା ଟିକା ନେଇ ସାରିଲେଣି। ଆଜିକୁ ମିଶାଇ ରାଜ୍ୟରେ ସମୁଦାୟ ୫ଲକ୍ଷ ୩୩ହଜାର ୯୩ଜଣ ଟିକା ନେଇଛନ୍ତି।

ରାଜ୍ୟରେ ଟିକାକରଣ ଆରମ୍ଭ ହେବା ପରେ ପ୍ରଥମ ୫ଦିନରେ ୧ଲକ୍ଷ ଲୋକ ଟିକା ନେଇଥିବା ବେଳେ ପରବର୍ତୀ ୧ଲକ୍ଷ ଲୋକଙ୍କୁ ଟିକା ନେବାକୁ ୬ଦିନ ଲାଗିଥିଲା। ସେହିପରି ତୃତୀୟ ୧ଲକ୍ଷ ପାଇଁ ୮ଦିନ, ଚତୁର୍ଥ ୧ଲକ୍ଷ ପାଇଁ ୫ଦିନ ଓ ପଞ୍ଚମ ୧ଲକ୍ଷ ପାଇଁ ୬ଦିନ ସମୟ ଲାଗିଥିଲା। ଏଥିରେ ଜାନୁଆରି ୧୬ତାରିଖ ଓ ଫେବ୍ରୁଆରି ୧୯ତାରିଖକୁ କରୋନା ଟିକାକରଣରୁ ବାଦ୍ ଦିଆଯାଇଥିଲା। ତେବେ ସମସ୍ତ ସ୍ବାସ୍ଥ୍ୟକର୍ମୀ ଧାର୍ଯ୍ୟ ସମୟ ଭିତରେ ଟିକା ନେଇ ନ ପାରିବାରୁ ରାଜ୍ୟ ସରକାର ଟିକାକରଣ ଅବଧିକୁ ପୁନର୍ବାର ୨୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ସମୟରେ ରାଜ୍ୟର ସବୁ ଜିଲ୍ଲାରେ ଶତ ପ୍ରତିଶତ ଟିକାକରଣ ପାଇଁ ରାଜ୍ୟ ସରକାର ଆଶ ପ୍ରକଟ କରିଛନ୍ତି। ରାଜ୍ୟରେ ଆଜି ପ୍ରଥମ ଡୋଜ୍‌ ପାଇଁ ୧୦୩ ପ୍ରତିଶତ ଟିକାକରଣ ହୋଇପାରିଛି। ୨୮୬ ଅଧିବେଶନରେ ୪୪୧୨ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୪୫୪୩ ଜଣ ଟିକା ନେଇଛନ୍ତି। ସେହିପରି ଦ୍ବିତୀୟ ଡୋଜ୍ ପାଇଁ ୩୦,୦୭୧ଜଣଙ୍କ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୨୬,୮୩୭ଜଣ ଟିକା ନେଇଥିଲେ। ଆଜି ପାଇଁ ଦ୍ବିତୀୟ ଡୋଜ୍ ଟିକାକରଣ ହାର ୮୯ ପ୍ରତିଶତ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଜଣେ ହେଲେ ବ୍ୟକ୍ତିଙ୍କ ନିକଟରେ ଟିକାର ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ।

ସମ୍ବନ୍ଧିତ ଖବର