ଟିକରପଡ଼ା: ଟଙ୍କାକରେ ୫ଟି କାଗଜି ଲେମ୍ବୁ। ବସ୍ତାଏ ବିକିଲେ ୨୦୦ରୁ ୩୦୦ ଟଙ୍କା ମିଳୁଛି। ବଜାରରେ ଲେମ୍ବୁଦର ଏମିତି କମିଛି ଯେ ଚାଷୀଙ୍କ ପରିବହନ ଖର୍ଚ୍ଚ ବି ଉଠୁନି। ଫଳରେ ଚାଷୀମାନେ ଗଛରୁ ଲେମ୍ବୁ ତୋଳିବା ଛାଡ଼ି ଦେଇଛନ୍ତି। ଗଛରୁ ପଡ଼ି ନଷ୍ଟ ହେଉଛି ଲେମ୍ବୁ। ରାଜ୍ୟରେ କାଗଜି ଲେମ୍ବୁ ଉତ୍ପାଦନରେ ପ୍ରମୁଖ ସ୍ଥାନ ଅଧିକାର କରିଥିବା ଅନୁଗୁଳ ଜିଲ୍ଲାର ଚାଷୀ ଏବେ ଅଭାବୀ ବିକ୍ରିର ଶିକାର ହୋଇଛନ୍ତି। ଏ ନେଇ ଟିକରପଡ଼ା ପଞ୍ଚାୟତର ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ସରକାରୀ ରେକର୍ଡ ଅନୁଯାୟୀ ଅନୁଗୁଳ ଜିଲ୍ଲାର ୩ଟି ବ୍ଲକ୍‌ରେ ୭୦୦ ହେକ୍ଟରରୁ ଅଧିକ ଜମିରେ ଲେମ୍ବୁ ଚାଷ ହୋଇଥାଏ। କେବଳ ଅନୁଗୁଳ ବ୍ଲକ୍‌ର ବନ୍ତଳା ଓ ସାତକୋଶିଆ ଅଞ୍ଚଳରେ ୪୦୦ ହେକ୍ଟରରୁ ଅଧିକ ଜମିରେ ‌ଲେମ୍ବୁ ଚାଷ ହୋଇଥାଏ। 

Advertisment

ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ଟିକରପଡ଼ା ପଞ୍ଚାୟତର ଟିକରପଡ଼ା, କରଡ଼ାପଡ଼ା, ବେହେରା ସାହି ଓ ଗଇନ୍ଦି ଗ୍ରାମର ଶତାଧିକ ଚାଷୀ ଲେମ୍ବୁ ଚାଷ କରିଥାନ୍ତି। ଏହି ଗ୍ରାମଗୁଡ଼ିକରେ ଚାଷୀମାନେ ପୂର୍ବଭଳି ଆଉ ବିଲରେ ଅନ୍ୟ ଚାଷ ନକରି ବହୁଳ ପରିମାଣରେ ଲେମ୍ବୁ ଚାଷ କରି ଆସୁଛନ୍ତି। ବିଭିନ୍ନ ସ୍ଥାନରୁ ବେପାରୀମାନେ ଆସି ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କାର ଲେମ୍ବୁ କିଣି ନେଇଥାନ୍ତି। କିନ୍ତୁ ଚଳିତ ବର୍ଷ ଲେମ୍ବୁର ଚାହିଦା ନଥିବା ଚାଷୀମାନେ କହିଛନ୍ତି। ‌ତେଣୁ ବେପାରୀମାନେ ଲେମ୍ବୁ କିଣିବାକୁ ଆସୁନାହାନ୍ତି। ଯଦି କୌଣସି ବେପାରୀ ଆସୁଛନ୍ତି ବହୁତ କମ୍‌ ମୂଲ୍ୟରେ ନେଉଛନ୍ତି। ବିକଳ୍ପ ବ୍ୟବସ୍ଥା ନଥିବାରୁ ଚାଷୀମାନେ ହାତ ଟେକି ବସିଛନ୍ତି। ଟିକରପଡ଼ା ପଞ୍ଚାୟତର ଲେମ୍ବୁ ଚାଷୀ ସୁରଥ ମେହେର, ଭାସ୍କର ସାହୁ, ରାଜୁ ସାହୁ, ରମେଶ ସାହୁ, ନୀର କନର, ବିପିନ ସାହୁ, ବାବୁ ମହାପାତ୍ର, ଦିଗାମ୍ବର ସେଠ, ଦୀନବନ୍ଧୁ ସେଠ, ଦୁଷ୍ମନ୍ତ ସେଠ, ପ୍ରସନ୍ନ ମହାନ୍ତିଙ୍କ କହିବା ଅନୁଯାୟୀ ବର୍ତ୍ତମାନ ଟଙ୍କାଏରେ ୫ଟି ଲେମ୍ବୁ ବଜାରରେ ବିକ୍ରି ହେଉଛି। ତେଣୁ ସେମାନେ ଲେମ୍ବୁ ବିକ୍ରି କରୁନାହାନ୍ତି କି ଗଛ ମୂଳକୁ ଯାଉନାହାନ୍ତି। ଯାହା ଫଳରେ ଲେମ୍ବୁ ତଳେ ପଡ଼ି ନଷ୍ଟ ହେଉଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବଜାର ବ୍ୟବସ୍ଥା ହେଉ ନଥିବାରୁ ଚାଷୀମାନେ କ୍ଷତି ସହୁଥିବା କହିଛନ୍ତି।