ଜମି ପାଇଁ ପରିବାରର ୫ଜଣଙ୍କୁ ହତ୍ୟା ଘଟଣା: ସ୍ମୃତିସନ୍ଧ୍ୟାଙ୍କ ହାତରେ କାହାର ଚୁଟି?

କଟକ କାଳିଆବୁଦାରେ ଏକାଠି ଜଳିଲା ଜୁଇ, ଶାଶୂ ଆଣିଲେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଅଭିଯୋଗ

କଟକ/ମାହାଙ୍ଗା: ମାହାଙ୍ଗାରେ ବର୍ବର ଗଣହତ୍ୟା ଘଟଣାରେ ଜଣେ ନୁ‌ହେଁ, ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ରହିଛି। ଏଭଳି ଆଶଙ୍କା ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି। ମୃତ ସ୍ମୃତିସନ୍ଧ୍ୟାଙ୍କ ହାତମୁଠାରୁ ଫରେନ୍‌ସିକ୍‌ ଟିମ୍‌ ମହିଳାଙ୍କ ଲମ୍ବା ଚୁଟି ଜବତ୍‌ କରି ପରୀକ୍ଷା ପାଇଁ ନେବା ପରେ ଏଭଳି ଆଶଙ୍କା ବଢିବାରେ ଲାଗିଛି। ହତ୍ୟାକାଣ୍ଡରେ କୌଣସି ମହିଳାଙ୍କ ସଂପୃକ୍ତି ନାହିଁ ତ? ଏହି ଲମ୍ବା ଚୁଟି କାହାର? ତାକୁ ନେଇ ଆଶଙ୍କା, ଆକଳନ ଆରମ୍ଭ ହୋଇଛି। ଅନ୍ୟପଟେ ମୃତ ରଶ୍ମିରେଖାଙ୍କ ମା ରୀନା ପୃଷ୍ଟି ମାହାଙ୍ଗା ଥାନାରେ କରିଥିବା ଅଭିଯୋଗ ଅନୁସାରେ, ଏହି ଘଟଣାରେ ଜଣେ ବ୍ୟକ୍ତି ନୁହନ୍ତି, ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ସନ୍ଦେହ ହେଉଛି। ତେଣୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ ମାହାଙ୍ଗାରେ ଗୋଟିଏ ପରିବାରର ୫ଜଣଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତ ଶିବ ପ୍ରସା‌ଦ ସାହୁ ଗତକାଲି ଆତ୍ମସମର୍ପଣ କରିଥିବା ବେଳେ ଆଜି ତାକୁ କୋର୍ଟଚାଲାଣ କରିଛି। ହତ୍ୟାକାଣ୍ଡ ପରେ ଭିଡିଓ ଜାରି କରି ଓ ପୁଲିସ ଆଗରେ ଅଭିଯୁକ୍ତ ଶିବ ସିଧାସଳଖ ଦୋଷ ସ୍ବୀକାର କରିଥିବାରୁ ପଚରାଉଚରା ପରେ ଆଜି ଅପରାହ୍ନରେ ମାହାଙ୍ଗା ପୁଲିସ ଶିବକୁ ସାଲେପୁର ଜେଏମ୍‌ଏଫ୍‌ଏସି କୋର୍ଟରେ ହାଜର କରିବା ସହ ୫ଦିନିଆ ରିମାଣ୍ଡ ଆବେଦନ କରିଥିବା ଜଣାପଡିଛି। ଏପଟେ, ତଦନ୍ତ ଆଗକୁ ବଢ଼ିବା ସହ ନୂଆ ନୂଆ ତଥ୍ୟ ପୁଲିସ ହାତକୁ ଆସିବାରେ ଲାଗିଛି। କେବଳ ଜଣେ ବ୍ୟକ୍ତି କଣ ଏକୁଟିଆ ଏମିତି ୫ଜଣଙ୍କୁ ହତ୍ୟା କରିପାରିବ? ତା ସହିତ ସମସ୍ତଙ୍କ ଗୋଡ଼ର ଗୋଛି, ହାତର ଶିରା, ମୁଣ୍ଡ, ବେକ ସହ ବିଭିନ୍ନ ସ୍ଥାନ କଟାଯାଇଛି ଅତି ବୀଭତ୍ସ ଭାବେ। ତେଣୁ, ଜଣେ ବ୍ୟକ୍ତି ଏହା କରିବାକୁ ନେଇ ସଂଶୟ ପ୍ରକାଶ ପାଇଛି। ହତ୍ୟାକାରୀକୁ ଫାଶୀ ଦେବାକୁ ଓ ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ମୃତ ଅଲେଖଙ୍କ ଶାଶୂ ଦାବି କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ସମ୍ପର୍କ‌ରେ ପୁଲିସ ତଦନ୍ତ କରିବ ବୋଲି ଅନୁମାନ କରାଯାଉଛି। ଗତକାଲି ସମସ୍ତ ୫ ମୃତକଙ୍କ ଶବ କଟକ ବଡ଼ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଆଜି ସମସ୍ତ

ଶବ ବ୍ୟବଚ୍ଛେଦ କରାଯିବା ସହ ଭିସେରା‌ ସଂଗ୍ରହ କରାଯାଇ ଯାଞ୍ଚ ପାଇଁ ରଖାଯାଇଛି। ବ୍ୟବଚ୍ଛେଦ କରୁଥିବା ଡାକ୍ତରଙ୍କ ସହିତ ମଧ୍ୟ ପୁଲିସ ଆଲୋଚନା କରିଛି ଓ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି। ବ୍ୟବଚ୍ଛେଦ ପରେ କଟକର କାଳିଆବୁଦା ଶ୍ମଶାନରେ ବାପା, ମା ଓ ୩ ପିଲାଙ୍କ ଜୁଇ ଏକାଠି ଜଳିଛି। ଶବଗୁଡ଼ିକ ଜଳିବା ସମୟରେ କାଳିଆବୁଦାରେ ଶୋକାକୁଳ ପରିବେଶ ସଷ୍ଟି ହୋଇଥିଲା। ବିଭତ୍ସ ଗଣହତ୍ୟା ପରେ ଗାଁ ମାଟିର ପରିସ୍ଥିତି ଠିକ୍‌ ନଥିବାରୁ ମୃତଦେହଗୁଡିକୁ ଗାଁକୁ ନିଆ ନଯାଇ କଟକରେ ଦାହ କରାଯାଇଥିଲା। ମୃତ ଅଲେଖଙ୍କ ସାନ ଶଳା ଦିଲ୍ଲୀପ ଶବଗୁଡ଼ିକରେ ମୁଖାଗ୍ନି ଦେଇଥିଲେ।

ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ଜମିଜମା ବିବାଦରୁ ବଡ଼ଭାଇର ପୂରା ପରିବାରକୁ ସାନଭାଇ ଶିବପ୍ରସାଦ ସାହୁ ନିଶ୍ଚିହ୍ନ କରିଦେଇଥିଲା। ବଡ଼ଭାଇ ଅଲେଖ ସାହୁ (୪୪), ପତ୍ନୀ ରଶ୍ମିରେଖା ପୃଷ୍ଟି (୩୮), ବଡ଼ପୁଅ ସ୍ମୃତି ସାହିଲ ସାହୁ (୧୭), ସାନପୁଅ ସ୍ମୃତି ସୌରଭ (୧୪) ଓ ଝିଅ ସ୍ମୃତିସନ୍ଧ୍ୟା ସାହୁ (୧୯)ଙ୍କୁ ହତ୍ୟା କରିବା ପରେ ନାଟକୀୟ ଢଙ୍ଗରେ ଭିଡିଓ ଭାଇରାଲ୍‌ କରି ନିଜର ଦୋଷ ସ୍ବୀକାର କରିବା ସହିତ ସାନଭାଇ ଥାନାରେ ଆତ୍ମସମର୍ପଣ କରିଥିଲା। କିନ୍ତୁ ଜଣେ ବ୍ୟକ୍ତି ଏଭଳି ୫ ଜଣଙ୍କୁ ହତ୍ୟା କରିବା ଘଟଣାକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ବଢ଼ିବାରେ ଲାଗିଛି। ଯେଉଁ ଜମି କଥା କୁହାଯାଉଛି ତାକୁ ନେଇ ଦୀର୍ଘ ୧୦ରୁ ଅଧିକ ବର୍ଷ ହେଲା ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଚାଲିଥିଲା। ଅନେକ ସମୟରେ ସରପଞ୍ଚ ଓ ଗାଁର ମୁରବିମାନେ ଆପୋଷ ସମାଧାନ କରିଥିଲେ ବି ବିଫଳ ହେବାକୁ ପଡ଼ିଥିଲା। ତାଛଡ଼ା, କୋଟି କୋଟି ଟଙ୍କାର ସମ୍ପତ୍ତି ନୁହେଁ ଯେ, ସେଥିପାଇଁ ଏତେ ବଡ ଜଘନ୍ୟ କାଣ୍ଡ ଘଟିବ? ଏ ସବୁ ଦିଗକୁ ଦେଖିଲେ, ହତ୍ୟାକାଣ୍ଡ ଜମି ବିବାଦରୁ ଘଟିଛି ବୋଲି ସହଜରେ କେହି ବିଶ୍ବାସ କରି ପାରୁନାହାନ୍ତି। ଯେଉଁଭଳି ଢଙ୍ଗରେ ଶିବ ଭିଡିଓ ଭାଇରାଲ୍‌ କରିଥିଲା ତାହା ମଧ୍ୟ ସନ୍ଦେହାସ୍ପଦ ମନେ ହେଉଛି। ସେହି ଭିଡିଓ ସେ ନିଜେ କରିଛି, ନା ଆଉ କାହା ଦ୍ବାରା ରେକର୍ଡିଂ କରାଇଛି, ତାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବା ଜରୁରୀ ହୋଇପଡ଼ିଛି। ଆବଶ୍ୟକ ପଡିଲେ ପୁଲିସ ହତ୍ୟାକାରୀ ଶିବକୁ ରିମାଣ୍ଡରେ ଆଣି କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରାଯିବ ବୋଲି ସୂଚନା ଦେଇଛନ୍ତି ସାଲେପୁର ଏସ୍‌ଡିପିଓ ବିମଳ ବାରିକ। ତେବେ, ଗଣହତ୍ୟାକୁ ନେଇ ନାନା ସନ୍ଦେହ ଉପୁଯିବା‌ରେ ଲାଗିଛି। ଗତକାଲି ହିଁ ଆଇଜି ନରସିଂହ ଭୋଳ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯିବ ବୋଲି ସ୍ପଷ୍ଟ କରିଥିଲେ ବି ଏହି ଘଟଣାକୁ ନେଇ ପୁଲିସର ତଦନ୍ତ କେଉଁ ଦିଗକୁ ଯିବ ତାକୁ ନେଇ ସାଧାରଣରେ ନାନା ଚର୍ଚ୍ଚା ହେଉଛି।

ଅନ୍ୟପଟେ, ଶିବ ଆତ୍ମସମର୍ପଣ ପରେ କୁଆଡ଼େ ପୁଲିସ ଆଗରେ ହତ୍ୟାକାଣ୍ଡ କେମିତି କରିଥିଲା ସେ ବିଷୟରେ ବଖାଣିଛି। ସେ କହିଛି, ‘୧୦-୧୫ ବର୍ଷ ହେଲା ସେମାନଙ୍କ ଉପରେ ମୋର ରାଗ ଥିଲା। ସେମାନେ ମୋତେ ବହୁତ ହଇରାଣ କରୁଥିଲେ। ସୋମବାର ରାତିରେ ଆମେ ସମସ୍ତେ ଖାଇ ପିଇ ଶୋଇଥିଲୁ। ବିଳମ୍ବିତ ରାତିରେ ମୋ ନିଦ ଭାଙ୍ଗିଗଲା। ମୁଁ ଘର ବାହାରକୁ ଯିବାକୁ ଚାହିଁବାରୁ ଗେଟରେ ତାଲା ପଡ଼ିଥିଲା। ତାଲା ଖୋଲିବା ପାଇଁ ଡାକିବାରୁ ଭାଉଜ ବିରକ୍ତ ହୋଇଥିଲେ, ଯୁକ୍ତିତର୍କ ବି କରିଥିଲେ। ସେଇ ରାଗରେ ସମସ୍ତଙ୍କୁ ଜୀବନରେ ମାରିଦେବାକୁ ମୁଁ ଯୋଜନା କରିଥିଲି। କବାଟ ବାଡେଇବା ପରେ ଭାଉଜ କବାଟ ଖୋଲିଥିଲେ। ପ୍ରଥମେ ତାଙ୍କୁ ହାଣିଲି। ଆଉ ତାପରେ ଅନ୍ଧାର ଘର ଭିତରେ ମୋ କଟୁରୀ ଆଗରେ ଯିଏ ବି ପଡ଼ିଲା ସମସ୍ତଙ୍କୁ ହାଣିଲି। ଘଣ୍ଟାଏ ଧରି ହଣାକଟା ଚାଲିଥିଲା। ପ୍ରକୃତରେ ସମସ୍ତେ ମଲେ ନା ନାହିଁ, ତାକୁ ଜାଣିପାରିଲିନି। ସେଇଥିପାଇଁ ଗୋଡ଼ର ଗୋଚ୍ଛି ସବୁ କାଟିଦେଲି ବୋଲି ଶିବ କୁଆଡ଼େ ପୁଲିସ ଆଗରେ କହିଛି। ରକ୍ତଭିଜା ଲୁଗା, କଟୁରି ଧୋଇ ଗାଧୋଇବା ପରେ ଘରେ ତାଲା ପକାଇ ସେ ଘରୁ ବାହାରି ଯାଇଥିବା କୁହାଯାଉଛି। ଏହାପରେ ସେ ହତ୍ୟାର ସ୍ବୀକାର ପାଇଁ ଭିଡିଓ ଭାଇରାଲ କରିବା ସହ କୁସୁପୁରରୁ ମାହାଙ୍ଗା ଥାନା ଅଧିକ ଦୂର ହୋଇଥିବାରୁ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଥିଲା। ତେବେ, ଶିବ ଯାହା କହୁଛି ତାହା କେତେଦୂର ସତ? ଏହି ଘଟଣାରେ ଆଉ କାହାର ହାତ ଅଛି ନା ନାହିଁ ପୁଲିସ ସେ ସବୁ ଦିଗ ଉପରେ ପୁଲିସ ତଦନ୍ତ କରୁଛି।

ଅନ୍ୟପଟେ ହତ୍ୟାକାରୀ ଶିବର ପତ୍ନୀ ଗଣମାଧ୍ୟମ ସମ୍ମୁଖରେ ଆଉ ଏକ କଥା‌ ବର୍ଣ୍ଣନା କରିଛନ୍ତି। ତାଙ୍କ ମ୍ବାମୀ ସେଦିନ ତାଙ୍କ ଘର ତାଲା ପକାଇ ଦେଇଥିଲେ। ‘ତୁ ଚାଲିଯା ନହେଲେ ତୋତେ ବି ମାରିଦେବି ବୋଲି ଧମକ ଦେବାରୁ ଭୟଭୀତ ହୋଇ ସେ ଘରୁ ଚାଲିଆସିଥିବା କହିଛନ୍ତି। ହେଲେ, ଏତେବଡ ଘଟଣା ସଂପର୍କରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା ପରେ ବି ସୁନୀତା କଣ ପାଇଁ କାହାରିକୁ କିଛି ଜଣାଇଲେ ନାହିଁ? ସେ କଣ ଘଟଣା ସଂପର୍କରେ ସବୁ ଜାଣି ଚୁପ୍‌ ରହିଥିଲେ?… ଏଭଳି ଅନେକ ପ୍ରଶ୍ନର ଉତ୍ତର ଏବେ ରହସ୍ୟ ଘେରରେ। ଅନ୍ୟପଟେ ହତ୍ୟାକାଣ୍ଡରେ ବ୍ୟବହୃତ କେଉଁ ସବୁ ସାମଗ୍ରୀ ପୁଲିସ ଜବତ୍‌ କରିଛି ଓ ଏଥିରେ ଅନ୍ୟ କେହି ସଂପୃକ୍ତ ରହିଛନ୍ତି ନା ନାହିଁ, ସେ ସବୁ ଉପରେ ସ୍ପଷ୍ଟ ତଥ୍ୟ ପାଇବା ପାଇଁ ପୁଲିସ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି। ଆବଶ୍ୟକ ପଡ଼ିଲେ ଶିବକୁ ରିମାଣ୍ଡରେ ଅଣାଯାଇ ଅଧିକ ତଦନ୍ତ କରାଯିବ ବୋଲି ସାଲେପୁର ଏସ୍‌ଡିପିଓ ସୂଚନା ଦେଇଛନ୍ତି। ତେବେ, ହତ୍ୟାକାଣ୍ଡ ସମ୍ପର୍କରେ ଅବସରପ୍ରାପ୍ତ ପୁଲିସ ଡିଜି ବିପିନବିହାରୀ ମିଶ୍ର କହିଛନ୍ତି ଯେ ପୁଲିସ ହାତରେ ଗିରଫ ହୋଇଥିବା ଅଭିଯୁକ୍ତ ଏକୁଟିଆ ଏଭଳି ହତ୍ୟାକାଣ୍ଡ ଘଟାଇବା ସମ୍ଭବ। ଏମିତି ହୋଇଥାଇପାରେ ଯେ ଅଭିଯୁକ୍ତ ଜଣକୁ ସେହି ଘରେ ମାରିବାକୁ ଉଦ୍ୟମ କରିଥିବେ। ଅନ୍ୟମାନେ ଚିତ୍କାର ଶୁଣି ଉଠିପଡ଼ିବାରୁ ତାଙ୍କୁ ବି ହତ୍ୟା କରି ପ୍ରମାଣ ନଷ୍ଟ କରିଥାଇପାରନ୍ତି। ମୃତ ମହିଳାଙ୍କ ହାତରୁ ଯେଉଁ ଚୁଟି ଜବତ ହୋଇଥିବା କୁହାଯାଉଛି, ଏହି ଚୁଟି ସେହି ମହିଳାଙ୍କର କି ଅନ୍ୟ କାହାର ଏହା ଫରେନସିକ୍ ସାଇନ୍ସ ଲାବରେଟୋରି ସ୍ପଷ୍ଟ କରିପାରିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର