ଯାଜପୁର: ଯାଜପୁର ଜିଲ୍ଲାର କରୋନା ଆକ୍ରାନ୍ତ ସଂଖ୍ୟାରେ ଆଉ ୫ ଯୋଡ଼ି ହୋଇଯାଇଛି। ଆଜି ଦଶରଥପୁର ବ୍ଲକ୍ କଟିକଟା ଗ୍ରାମର ୪ଜଣ ଚିହ୍ନଟ ହୋଇଥିବା ବେଳେ ମଲ୍ଲିକାପୁର ପଞ୍ଚାୟତ ଅନ୍ତର୍ଗତ ମହାନ୍ତିପାଟଣା ଗ୍ରାମର ଜଣେ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା୧୭ରେ ପହଞ୍ଚିଛି। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୯ରେ ପହଞ୍ଚିଛି। ଚିନ୍ତାର ବିଷୟ ହେଲା, ବର୍ତ୍ତମାନ ଯାଜପୁର ରାଜ୍ୟର ଦ୍ବିତୀୟ ସର୍ବାଧିକ ସଂକ୍ରମିତ ଜିଲ୍ଲାରେ ପରିଣତ ହୋଇଛି। ପୂର୍ବରୁ ଭଦ୍ରକ ଜିଲ୍ଲା ୧୬ କରୋନା ଆକ୍ରାନ୍ତଙ୍କ ସହ ଦ୍ବିତୀୟ ସ୍ଥାନରେ ଥିଲା।
ଜିଲ୍ଲାର କଟିକଟା ଗ୍ରାମର ୪ଜଣ ଆକ୍ରାନ୍ତଙ୍କ ବିଷୟରେ ଯାଜପୁର ସିଡିଏମ୍ଓ ସୁଧାଂଶୁ ଶେଖର ବଳ ସ୍ପଷ୍ଟ କରିଥିବା ବେଳେ ମହାନ୍ତିପାଟଣା ଆକ୍ରାନ୍ତଙ୍କ ସଂପର୍କରେ ଡିଆଇପିଆରଓ ସନ୍ତୋଷ କୁମାର ସେଠୀ ସ୍ପଷ୍ଟ କରିଛନ୍ତି। ଏହି ସମସ୍ତ ଆକ୍ରାନ୍ତ କୋଲକାତା ଫେରନ୍ତା ବୋଲି ଜଣାପଡିଛି।
#ପୁଣି_୫_ପଜିଟିଭ
ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ
ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର । ସୂଚନା ଦେଲା ଜିଲ୍ଲା ପ୍ରଶାସନ
ନୂଆ ୫ ଆକ୍ରାନ୍ତ ଚିହ୍ନଟ ପରେ ଯାଜପୁରର ମୋଟ ଆକ୍ରାନ୍ତ ସଂଖ୍ୟା ୧୭ରେ ପହଞ୍ଚିଲା— Jajpur District Admn (@JajpurAdmn) April 25, 2020
ଯାଜପୁର ବ୍ଲକ୍ ଓ ଦଶରଥପୁର ବ୍ଲକ୍ରେ ଶତାଧିକ ଲୋକ କୋଲକାତାରୁ ଫେରିଥିବା ବେଳେ ଏବେ ଭୟଙ୍କର ସ୍ଥିତି ଉପୁଜିଛି। ଏବେ ସୁଦ୍ଧା ଜିଲ୍ଲାରେ ମୋଟ ୧୭ଜଣ କରୋନା ରୋଗୀଙ୍କ ମଧ୍ୟରୁ ଯାଜପୁର ବ୍ଲକ୍ର ୭ଜଣ ଓ ଦଶରଥପୁର ବ୍ଲକ୍ର ୮ଜଣ, କୋରେଇର ଜଣେ ଓ ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ଅଞ୍ଚଳର ଜଣେ ଚିହ୍ନଟ ହୋଇଛନ୍ତି। ବ୍ରହ୍ମବରଦା କରୋନା ରୋଗୀଙ୍କ ନିଜାମୁଦ୍ଦିନ ଲିଙ୍କ୍ ରହିଥିବା ବେଳେ ଅନ୍ୟ ୧୬ଜଣ ରୋଗୀଙ୍କର କୋଲକାତା ଲିଙ୍କ୍ ବୋଲି ସ୍ପଷ୍ଟ ହୋଇଛି।
ଆଜି ଚିହ୍ନଟ ହୋଇଥିବା ୫ଜଣ ନୂଆ କରୋନା ଆକ୍ରାନ୍ତ ଗତ ୨୯ତାରିଖରେ ଏକ ବୋଲେରୋରେ କୋଲକାତାରୁ ଫେରିଥିଲେ। ୪ଜଣ କଟିକଟା ସ୍କୁଲରେ ସରକାରୀ ସଙ୍ଗରୋଧରେ ୧୪ ଦିନ କାଟି ଘରକୁ ଫେରିଥିବା ବେଳେ ମହାନ୍ତିପାଟଣା ଗ୍ରାମର ଆକ୍ରାନ୍ତଜଣକ ମଧ୍ୟ ଗାଁ ବିଦ୍ୟାଳୟରେ ସଂଗରୋଧରେ ଥିଲେ ବୋଲି ଜଣାପଡିଛି। ଆକ୍ରାନ୍ତମାନଙ୍କ ବୟସ ଯଥାକ୍ରମେ ୨୩,୪୯,୫୨, ୫୭ ଏବଂ ୩୯ ବୋଲି ଜଣାପଡ଼ିଛି।
ସଂଗରୋଧରେ ରହିବା ପରେ ଘରକୁ ଫେରିଥିବାରୁ ଅନେକ ଲୋକ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଆଶଙ୍କା କରାଯାଇଛି। ଖବରପାଇ ମଙ୍ଗଳପୁର ଥାନାଧିକାରୀ ଅସିତ ରଞ୍ଜନ ମହାନ୍ତି ଓ ଏଏସଆଇ ଏସକେ ସିଂହ କଟିକଟାରେ ପହଞ୍ଚିଛନ୍ତି। ସେହିପରି ଦଶରଥପୁର ବିଡିଓ ନାରାୟଣ ଚନ୍ଦ୍ର ନାୟକ, ତହସିଲଦାର ସୌଭାଗ୍ୟ କୁମାର ବେହେରା, ଅତିରିକ୍ତ ତହସିଲଦାର କୈଳାସ ଚନ୍ଦ୍ର ମହାଳିକ, ମଙ୍ଗଳପୁର ସିଏଚ୍ସିର ଡ. ଉମାକାନ୍ତ ମଲ୍ଲିକ ପ୍ରମୁଖ ରାତିରେ କଟିକଟା ଗ୍ରାମରେ ପହଞ୍ଚିଛନ୍ତି। ଏଥିପୂର୍ବରୁ ଏହି ବ୍ଲକ୍ର କୋଦେଇବାଟିର ୨ଜଣ ଓ ଅକରପଡ଼ାର ଜଣେ କରୋନା ରୋଗୀ ଚିହ୍ନଟ ହୋଇ ଚିକିତ୍ସାଧୀନ ଅଛନ୍ତି। ଚିହ୍ନଟ ହୋଇଥିବା ଏହି ଅଞ୍ଚଳକୁ ଅବରୋଧ ଅଞ୍ଚଳ ଘୋଷଣା କରାଯିବ ବୋଲି ଜଣାପଡିଛି।