ମହାପ୍ରଭୁଙ୍କ ନାଗାର୍ଜୁନ ବେଶକୁ ଆଉ ପାଞ୍ଚଦିନ : ରହସ୍ୟରେ ରହିଗଲା ତଦନ୍ତ କମିସନଙ୍କ ରିପୋର୍ଟ

ତଥାପି ଚେତିନାହାନ୍ତି ସରକାରଙ୍କ ଆଇନ ଓ ଗୃହ ବିଭାଗ
ବିଧାନସଭାରେ ୬ମାସ ମଧ୍ୟରେ ଉପସ୍ଥାପନ ହେଉନି ରିପୋର୍ଟ

ଭୁବନେଶ୍ୱର : ନାଗାର୍ଜୁନ ବେଶ ଦଳାଚକଟା ମାମଲା ସଂକ୍ରାନ୍ତ ବିଚାର ବିଭାଗ ତଦନ୍ତ ରିପୋର୍ଟ ସବୁଦିନ ପାଇଁ ଅନ୍ଧାରରେ ରହିଗଲା। କମିସନଙ୍କ ରିପୋର୍ଟ କୁଆଡେ ଗଲା ତାହା ଖୋଜିବା ଲାଗି ବସିଥିବା କମିସନ ବି ରିପୋର୍ଟ ସଂପର୍କରେ କିଛି ଜାଣିପାରିଲେ ନାହିଁ। କମିସନଙ୍କ ଏହି ରିପୋର୍ଟ ପରେ ସରକାର ଶ୍ରୀମନ୍ଦିରରେ ଭିଡ଼ ଓ ଦଳାଚକଟା ସଂକ୍ରାନ୍ତ ଏହି ଅତି ଗୁରୁତ୍ବପୂର୍ଣ୍ଣ ରିପୋର୍ଟ ସଂପର୍କରେ ଅଧିକ ତନାଘନା ନ କରି ହାତ ଛାଡ଼ି ଦେଇଛନ୍ତି। ଆହୁରି ବିସ୍ମୟକର କଥା ହେଲା, ଏହି ଘଟଣାରୁ ମଧ୍ୟ ସରକାର ବେଶି କିଛି ଶିଖିନାହାନ୍ତି। ରିପୋର୍ଟ ହାତକୁ ଆସିବାର ସର୍ବାଧିକ ୬ମାସ ମଧ୍ୟରେ କାର୍ଯ୍ୟାନ୍ବୟନ ରିପୋର୍ଟ ସହିତ ବିଧାନସଭାରେ ଉପସ୍ଥାପିତ କରିବା ଲାଗି ସ୍ପଷ୍ଟ ନିର୍ଦେଶନାମା ଥିବା ସତ୍ତ୍ବେ ଆଜି ବି ବିଚାର ବିଭାଗୀୟ କମିସନଙ୍କ ରିପୋର୍ଟ ସରକାରଙ୍କ ଫାଇଲ ଭିତରେ ଚାପି ହୋଇ ରହିଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ସରକାର ବସାଇଥିବା ବିଚାର ବିଭାଗୀୟ ତଦନ୍ତ କମିସନ ଦୁଇବର୍ଷ ତଳୁ ଅର୍ଥାତ୍ ୨୦୧୮ ଡିସେମ୍ବରରୁ ତାଙ୍କ ରିପୋର୍ଟ ଦେଇସାରିଲେଣି। ହେଲେ ଜଷ୍ଟିସ ରଘୁବର ଦାସ କମିସନଙ୍କ ରିପୋର୍ଟ ଏଯାଏ ବିଧାନସଭାକୁ ଆସିପାରିଲା ନାହିଁ।

ଆସନ୍ତା ୨୭ ତାରିଖ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ୨୫ ବର୍ଷ ପରେ ଏହି ବେଶରେ ଦର୍ଶନ ଦେବେ ମହାପ୍ରଭୁ। କରୋନା କଟକଣା ଯୋଗୁଁ ସର୍ବସାଧାରଣ ଦର୍ଶନକୁ ବାରଣ କରାଯାଇଛି। ହେଲେ ଏହି ବେଶ ସହିତ ଯୋଡ଼ି ହୋଇରହିଥିବା ଅଘଟଣ ଅର୍ଥାତ୍ ୧୯୯୩ ମସିହା ନାଗାର୍ଜୁନ ବେଶ ସଂପର୍କିତ ରିପୋର୍ଟ ଘଟଣା ଓ ରାଜ୍ୟ ସରକାରଙ୍କ ସ୍ବରାଷ୍ଟ୍ର ଏବଂ ଆଇନ ବିଭାଗର ଖାମଖିଆଲି ମନୋଭାବ ପ୍ରସଙ୍ଗ ପୁଣି ଥରେ ସମସ୍ତଙ୍କ ସ୍ମରଣକୁ ଫେରିଛି। ଶ୍ରୀମନ୍ଦିର ସଂକ୍ରାନ୍ତ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ସହିତ ଜଡିତ ଦୁର୍ଘଟଣା ପ୍ରସଙ୍ଗଟି ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ବ ରଖେ।

ଆଜି ବି ଆଇନ ବିଶାରଦମାନଙ୍କମନରେ ପ୍ରଶ୍ନ ଉଠେ, ତତ୍କାଳୀନ କମିସନ କଣ କେବଳ ଗୋଟିଏ ରିପୋର୍ଟ ପ୍ରସ୍ତୁତ କରିଥିଲେ? ଏହାର ନକଲ ନଥିଲା? ଏହି ପ୍ରସଙ୍ଗଟି ସହିତ ସରକାରୀ ଦପ୍ତରର କାର୍ଯ୍ୟପ୍ରକ୍ରିୟା ଓ ଆଭିମୁଖ୍ୟ ଯୋଡ଼ିହୋଇଥିବାରୁ ସବୁଦିନ ପାଇଁ ଏହି ଘଟଣାକୁ ପ୍ରଶାସନିକ ଇତିହାସରେ ଉଲ୍ଲେଖନୀୟ ସ୍ଥାନରେ ରହିବ। ୧୯୯୩ ମସିହା ନଭେମ୍ବର ୨୭ ତାରିଖ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦର୍ଶନ କରିବା ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ଦଳାଚକଟାରେ ୩ ଜଣ ଲୋକ ପ୍ରାଣ ହରାଇଥିଲେ ଓ ୩୦ ଜଣ ଲୋକ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ସେ ସମୟରେ କଂଗ୍ରେସ ଏବଂ ବିଜେପି ନେତାମାନେ ତମ୍ବିତୋଫାନ କରିବା ପରେ ତତ୍କାଳୀନ ବିଜୁ ପଟ୍ଟନାୟକ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଥିଲେ। ଜଷ୍ଟିସ୍ ଜୀବନ ମୋହନ ମହାପାତ୍ରଙ୍କୁ ଏହି ଘଟଣାର ଅନୁଧ୍ୟାନ କରି କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା, କିଏ ଏଥିରେ ଦୋଷୀ ଏବଂ କିଭଳି ଏ ଘଟଣାର ପୁନରାବୃତ୍ତି ହେବ ନାହିଁ, ଏଭଳି କିଛି ସର୍ତ୍ତ ସହିତ ତଦନ୍ତ କରିବାକୁ କୁହାଯାଇଥିଲା। ଜଷ୍ଟିସ୍ ମହାପାତ୍ର ୧୯୯୫ ମସିହା ଅଗଷ୍ଟ ୩୧ ତାରିଖରେ ତାଙ୍କ ରିପୋର୍ଟ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଦେଇଥିଲେ। ହେଲେ ଏହି ରିପୋର୍ଟ ତା ପରେ କୁଆଡେ ଗଲା, କେହି ଜାଣି ପାରିଲେ ନାହିଁ।

୨୦୦୬ ମସିହାରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଦଳଚକଟା ଘଟଣାକୁ ନେଇ ଘଣ୍ଟାଚକଟା ପରେ ୧୯୯୩ ମସିହା ନ୍ୟାୟିକ ଯାଞ୍ଚ ରିପୋର୍ଟ କୁଆଡେ ଗଲା ସେ ନେଇ ପ୍ରଶ୍ନ ଉଠିଥିଲା। ସେ ସମୟର ଆଇନ ମନ୍ତ୍ରୀ ବିଶ୍ବଭୂଷଣ ହରିଚନ୍ଦନ ବିଧାନସଭାରେ ବିତର୍କର ଉତ୍ତର ଦେବା ବେଳେ ଏହି ରିପୋର୍ଟ ଉପଲବ୍ଧ ନ ଥିବା କହିଥିଲେ। ୨୦୦୬ ନଭେମ୍ବର ୪ ତାରିଖରେ ନ୍ୟାୟିକ ଯାଞ୍ଚ ପାଇଁ ନିର୍ଦେଶ ଦେଇଥିଲେ। ୨୦୦୬ ଶ୍ରୀମନ୍ଦିର ଦଳାଚକଟା ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଜଷ୍ଟିସ୍ ପି କେ ମହାନ୍ତିଙ୍କୁ ତଦନ୍ତ ପାଇଁ କୁହାଯିବା ବେଳେ ରାଜ୍ୟ ସରକାର ଏକଥା ବି ଟର୍ମସ ଆଣ୍ଡ ରେଫରେନ୍ସରେ କହିଥିଲେ ଯେ ୧୯୯୩ ମସିହା ରିପୋର୍ଟ କୁଆଡେ ଗଲା ସେ ନେଇ ମଧ୍ୟ କମିସନ ଅନୁଧ୍ୟାନ କରି ରିପୋର୍ଟ ଦେବେ।

କୌତୂହଳ କଥା ହେଲା, ଜଷ୍ଟିସ ମହାନ୍ତି ୨୦୦୯ ସେପ୍ଟେମ୍ବର ୧୫ ତାରିଖ ଦିନ ତାଙ୍କ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଲେ। ଏହାର ପାଖାପାଖି ସାତବର୍ଷ ପରେ ଅର୍ଥାତ୍ ୨୦୧୬ ମେ’ ୧୬ ତାରିଖ ଦିନ ଏହି ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେଲା। ହେଲେ ସମସ୍ତଙ୍କୁ ପଚରାଉଚରା କରିବା ପରେ ଏହି ରିପୋର୍ଟ ସଂପର୍କରେ କୌଣସି ତଥ୍ୟ କମିସନଙ୍କୁ ମିଳିପାରିଲା ନାହିଁ।

ଜଷ୍ଟିସ ମହାନ୍ତି କମିସନ କିନ୍ତୁ ଏହି ଘଟଣାରେ ଆଇନ ବିଭାଗ ଆଡ଼କୁ ଆଙ୍ଗୁଳି ଉଠାଇଥିଲେ। ସୂଚାଇଥିଲେ ଯେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନର ସପ୍ତାହକ ଭିତରେ କମିସନଙ୍କ ସଚିବ ୧୯୯୫ ମସିହା ସେପ୍ଟେମ୍ବର ସାତ ତାରିଖରେ କମିସନଙ୍କ ସମସ୍ତ ନଥିପତ୍ର ଆଇନ ବିଭାଗକୁ ହସ୍ତାନ୍ତର କରିଥିଲେ। ଏହି ନଥିର ୪୯ ନମ୍ବର ଆଦେଶନାମାରେ ସରକାରଙ୍କୁ ରିପୋର୍ଟ ପ୍ରଦାନ ସଂକ୍ରାନ୍ତରେ ସୂଚନା ଦିଆଯାଇଥିଲା। ହେଲେ ଆଇନ ବିଭାଗ ଯଦି ସେ ସମୟରେ ଏ ନେଇ ଖୋଳତାଡ଼ କରିଥାନ୍ତେ, ତେବେ ଏଭଳି ଅଭାବନୀୟ ପରିସ୍ଥିତି ଉପୁଜିନଥାନ୍ତା ବୋଲି କମିସନ ମତ ଦେଇଥିଲେ। ଏଥିସହିତ ତଦନ୍ତ ରିପୋର୍ଟ ଆଇନ ଓ ଗୃହ ବିଭାଗକୁ ଦେବା ସଂପର୍କରେ ବି ମତ ଦିଆଯାଇଥିଲା। ସରକାର ଏହାକୁ ମାନୁଥିଲେ ହେଁ, କମିସନଙ୍କ ରିପୋର୍ଟ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା, ସ୍ଥଳ ବିଶେଷରେ କିଛି କମିସନଙ୍କ ରିପୋର୍ଟ ପ୍ରସ୍ତୁତିରେ ବର୍ଷ ବର୍ଷ ସମୟ ଲାଗୁଥିବା ଘଟଣା ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି।

ଏଠାରେ ଉଲ୍ଲେଖଥାଉକି, ଶ୍ରୀମନ୍ଦିର ନାଗାର୍ଜୁନ ବେଶ ଦଳାଚକଟା ରିପୋର୍ଟ ୨୦୦୫ରେ ତତ୍କାଳୀନ ରାଜ୍ୟପାଳ ଦେଖିବାକୁ ଚାହିଁଥିଲେ।

ଆସନ୍ତାବର୍ଷ ପୁଣି ଥରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହେବ। ସମ୍ଭବତଃ କରୋନା କାଳ ସରିଥିବ ଓ ଭକ୍ତ ମହାପ୍ରଭୁଙ୍କ ବୀର ବେଶ ଦର୍ଶନ କରିବେ। ସେତେବେଳେ କିନ୍ତୁ ଶ୍ରୀମନ୍ଦିର ପରିସରରେ ଭିଡ ନିୟନ୍ତ୍ରଣ କ୍ଷେତ୍ରରେ ଏହି ରିପୋର୍ଟ ପ୍ରଶାସନକୁ ବେଶ୍ ସହଯୋଗ କରିଥାନ୍ତା।

ସମ୍ବନ୍ଧିତ ଖବର