ଆଉ ୫ ପଜିଟିଭ୍ ଚିହ୍ନଟ, ସମସ୍ତେ ଭଦ୍ରକର; ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଲା

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ନିକଟତର

ଭୁବନେଶ୍ବର : ଗୋଟିଏ ଦିନ ବ୍ୟବଧାନ ପରେ ଆଜି ଭଦ୍ରକରେ ପୁଣିଥରେ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଏବଂ ରାଜ୍ୟରେ ୯୪ରେ ପହଞ୍ଚିଛି। ଆଜି ଚିହ୍ନଟ ବ୍ୟକ୍ତିମାନଙ୍କ ମଧ୍ୟରୁ ୨ଜଣ ତିହିଡ଼ିର ହୋଇଥିବା ବେଳେ ଅନ୍ୟ ଦୁଇଜଣ ଧାମନଗର ଅଞ୍ଚଳର। ସେମାନଙ୍କ ବୟସ ୪୦, ୪୧, ୨୯ ଓ ୨୪ବର୍ଷ ରହିଛି। ସକାଳେ ମଧ୍ୟ ଜିଲ୍ଲାର ଜଣେ ୪୦ ବର୍ଷୀୟ ବ୍ୟକ୍ତି ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ସମସ୍ତ ସଂକ୍ରମିତ କୋଲକାତାରୁ ଫେରିଥିବା ଜଣାପଡ଼ିଛି। ଏହି ଆକ୍ରାନ୍ତମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।

ଆଜିର ପଜିଟିଭ୍‌ଙ୍କୁ ମିଶାଇ ରାଜ୍ୟରେ ଏବେ ୬୦ଜଣ ସକ୍ରିୟ କରୋନା ସଂକ୍ରମିତ ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି। ଏ ପର୍ଯ୍ୟନ୍ତ ଜଣେ କରୋନାରେ ପ୍ରାଣ ହରାଇଥିବା ବେଳେ ୩୩ଜଣ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି। ଏହାସହ କରୋନା ସନ୍ଦିଗ୍ଧରେ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ୧୭୦ଜଣ ପୃଥକବାସରେ ରହିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ହାର ୦.୬୦% ରହିଥିବା ଜଣାପଡ଼ିଛି।

ଅପରପକ୍ଷରେ ରାଜ୍ୟରେ ଦିନକୁ ଦିନ କୋଭିଡ୍‌ ନମୁନା ପରୀକ୍ଷା ସଂଖ୍ୟାରେ ବୃଦ୍ଧି ହୋଇଛି। ଗତକାଲି ୨୪୭୪ ନମୁନା ପରୀକ୍ଷା ହୋଇଥିଲା। ତହିଁରୁ ୧୨୪୧ କେବଳ ଆରଏମ୍‌ଆରସି ହୋଇଥିବା ବେଳେ ଏମ୍‌ସରେ ୧୧୫, ଏସ୍‌ସିବିରେ ୫୪୮, ଏମ୍‌କେସିଜିରେ ୪୫, ଭିମସାରରେ ୬୬, ଜୀବବିଜ୍ଞାନରେ ୩୭୭, ଆଇଜିଏଚ୍‌ରେ ୬୩ ଓ
ଆପୋଲୋରେ ୧୯ଟି ନମୁନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୮୪୫୮ ନମୁନା ପରୀକ୍ଷା ହୋଇସାରିଲାଣି। ଜିଲ୍ଲାୱାରୀ ତାଲିକାରେ ଖୋର୍ଧା ଜିଲ୍ଲା ଏବେ ବି ଆଗରେ ରହିଛି। ଏଠାରେ ୪୬ଜଣ, ଭଦ୍ରକରେ ୧୬, ଯାଜପୁରରେ ୧୨, ବାଲେଶ୍ବରରେ ୧୦, ସୁନ୍ଦରଗଡ଼ରେ ୩, କେନ୍ଦ୍ରାପଡ଼ା ଓ କଳହାଣ୍ଡିରେ ୨ଜଣ ଲେଖାଏଁ, ଢେଙ୍କାନାଳ, କଟକ ଓ ପୁରୀ ଜିଲ୍ଲାରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର