ପିଏଲ୍‌ଜି ସପ୍ତାହରେ ମାଓବାଦୀଙ୍କୁ ଝଟକା; ୫ ନକ୍ସଲ ଗିରଫ

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦି ଜିଲ୍ଲା ପୁଲିସ ୫ ଜଣ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି। ନକ୍ସଲଙ୍କ ପିଏଲଜିଏ ସପ୍ତାହ ଚାଲିଥିବା ବେଳେ ଚାରି ରାଜ୍ୟର ପୁଲିସ ଏବଂ ସୁରକ୍ଷାକର୍ମୀ କମ୍ବିଂକୁ ଜୋରଦାର କରିବା ସହ ସର୍ଚ୍ଚ ଅପରେସନ କରୁଛନ୍ତି। ଚେରଲା ପୁଲିସ ଏବଂ ସିଆରପିଏଫ ଯବାନ କୁମ୍ବିଂ କରୁଥିବା ବେଳେ ଜଂଗଲରେ ୫ ଜଣ ସନ୍ଦିଗ୍ଧ ନକ୍ସଲ ଯବାନଙ୍କୁ ଦେଖି ଦୌଡି ପଳାଇବା ବେଳେ ଗିରଫ କରିଥିଲେ। ସମସ୍ତ ନକ୍ସଲ ଛତିଶଗଡ ଅଂଚଳର ବୋଲି ଜଣାପଡିଛି। ସେମାନଙ୍କୁ ପୁଲିସ ଧରି ପଚରାଉଚରା କରୁଛି। ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଇଛି।

ମାଲକାନଗିରି ଜିଲ୍ଲାର ଦୁର୍ଗମ ଏବଂ ପଡୋଶୀ ଛତିଶଗଡର ସୀମାବର୍ତ୍ତୀ ଅଂଚଳରେ ନକ୍ସଲ ବ୍ୟାନର ଓ ପୋଷ୍ଟର ମାରି ଲୋକଙ୍କୁ ପିଏଲଜିଏ ସପ୍ତାହ ପାଳନ କରିବାକୁ ଆହ୍ବାନ କରିଛନ୍ତି। ମାଲକାନଗିରି ସମେତ ପଡୋଶୀ ରାଜ୍ୟର ପୁଲିସ ଅତି ସତର୍କତା ଅବଲମ୍ବନ କରୁଛନ୍ତି। ନକ୍ସଲଙ୍କର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖାଯାଇଛି। ପିଏଲଜିଏ ସପ୍ତାହକୁ ନଜରରେ ରଖି ସରକାରୀ ବସ ଚଳାଚଳ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଆସନ୍ତା ୭ ଦିନ ସରକାରୀ ବସ ଚଳାଚଳ ବନ୍ଦ ରହିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର