ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରରେ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭବାନୀପାଟଣା ସହରର ୱାର୍ଡ ନଂ ୧୦ ଅର୍କାବାହାଲିପଡାରେ ଆଜି ୪ମହିଳା ଓ ଜଣେ ପୁରୁଷ ସମେତ ୫ ଜଣ କରୋନା ପଜିଟିଭ ଚିହ୍ନଟ ହେବା ନେଇ ସହରବାସୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି ।

Advertisment

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ ୨୭ ତାରିଖ ଦିନ ଅର୍କାବାହାଲିପଡାର ଜଣେ ୫୮ ବର୍ଷିୟ ଵୃଦ୍ଧ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ଆକ୍ରାନ୍ତ ବ୍ୟକ୍ତି ଭୁବନେଶ୍ବର ସମ୍‌ ହସପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ । ସେଠାରେ ସ୍ୱାବ ପରୀକ୍ଷା ବେଳେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ଏହା ପରେ ଆର୍କାବାହାଲିପଡାକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା । ଏହା ସହିତ ୩ କିଲୋମିଟର ପରିଧି ଅଞ୍ଚଳକୁ ବଫର ଜୋନ ଘୋଷଣା କରାଯାଇଥିଲା । କଣ୍ଟ୍ରାକ୍ଟଟ୍ରେସିଂ ଯୋଗେ ୪୧୪ଜଣଙ୍କ ସ୍ୱାବ ପରୀକ୍ଷା କରାଯାଇଥିଲା । ସେଥି ମଧ୍ୟରୁ ୧୭୪ ଜଣଙ୍କ ସ୍ୱାବ ରିପୋର୍ଟ ଆସିଥିବା ବେଳେ ସେଥି ମଧ୍ୟରୁ ୫ ଜଣଙ୍କ କରୋନା ପଜିଟିଭ ଥିବା ଚିହ୍ନଟ ହୋଇଛି । ଅନ୍ୟ ୨୪୦ ଜଣଙ୍କ ସ୍ୱାବ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ ।

ଆଜି ଚିହ୍ନଟ ହୋଇଥିବା ୫ ଜଣ ଆକ୍ରାନ୍ତଙ୍କ ଘର ୱାର୍ଡ ନଂ ୧୦ ଆର୍କାବାହାଲି ପଡାର ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ୫ ଜଣ ଆକ୍ରାନ୍ତଙ୍କୁ ଭବାନୀପାଟଣା କୋଭିଡ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଆକ୍ରାନ୍ତଙ୍କ କଣ୍ଟ୍ରାକ୍ଟଟ୍ରେସିଂ ଜାରି ରହିଛି । ଏପର୍ଯ୍ୟନ୍ତ ୩୯ ଜଣଙ୍କ କଣ୍ଟ୍ରାକ୍ଟଟ୍ରେସିଂ ହୋଇ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଛି । ଏଥି ମଧ୍ୟରୁ ଜିଲ୍ଲାଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ୨୬ ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଗୃହ ସଙ୍ଗରୋଧକୁ ପଠାଇ ଦିଆଯାଇଛି । ଫଳରେ ଡିଇଓ କାର୍ଯ୍ୟାଳୟକୁ ବନ୍ଦ କରି ଦିଆଯାଇଛି । ସେହିଭଳି ଏକ ହାଇସ୍କୁଲର ୧୩ ଜଣ କର୍ମଚାରୀଙ୍କ ସ୍ୱାବ ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଅର୍କାବାହାଲିପଡାକୁ କଣ୍ଟେନମେଣ୍ଟ ଜୋନ ଓ ତିନି କିଲୋମିଟର ପରିଧିକୁ ବଫର ଜୋନ ଘୋଷଣା କରାଯାଇଛି । ଦୟାନିଧି ଛକ ଠାରୁ ଅର୍କାବାହାଲି ପଡା ଚେକଗେଟ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଅର୍କାବାହାଲି ପଡାକୁ ଆସୁଥିବା ୮ଟି ରାସ୍ତାକୁ ସିଲ କରାଯାଇଛି।